ବିଚ୍ଛିନ୍ନାଞ୍ଚଳରେ ଜନନୀ ଯନ୍ତ୍ରଣା : ଦେଶୀ ଡଙ୍ଗାରେ ପ୍ରସବ

ଚିତ୍ରକୋଣ୍ଡା : ଗାଁରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ସ୍ଥଳ ପଥ ମଧ୍ୟ ନାହିଁ। ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ବିଳମ୍ବିତ ରାତିରେ ଦେଶୀ ଡଙ୍ଗାରେ ନଦୀ ପାର କରାଯାଇ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଉଥିଲା। ତେବେ ଡଙ୍ଗା ଭିତରେ ହିଁ ମହିଳା ଜଣକ ଏକ କନ୍ୟା ସନ୍ତାନ ପ୍ରସବ କରାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ପରେ ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ରହିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଉପାନ୍ତ ଚିତ୍ରକୋଣ୍ଡା ବ୍ଲକର ବିଚ୍ଛିନ୍ନାଞ୍ଚଳ ଯୋଡାମ୍ବ ପଞ୍ଚାୟତ ଦୋରାଘାଟ ଗ୍ରାମରେ। ବିଚ୍ଛିନ୍ନାଞ୍ଚଳର ଯୋଡାମ୍ବ ପଞ୍ଚାୟତର ନଦୀ ଓ ପାହାଡ ଘେରାରେ ଥିବା ଦୋରାଘାଟ ଗ୍ରାମର ପରମାନନ୍ଦ ଖରାଙ୍କ ପତ୍ନୀ ବତୀ ଖରା ଗତକାଲି ରାତି ୩ଟାରେ ପ୍ରସବ ବେଦନା ଅନୁଭବ କରିଥିଲେ। ତେବେ ଗାଁ ନିକଟରେ କୌଣସି ସ୍ବାସ୍ଥ୍ୟସେବା ଉପଲବ୍ଧ ନଥିବା ସହ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ସ୍ଥଳ ପଥ ନଥିବାରୁ ପରିବାର ଲୋକ ଚିନ୍ତାରେ ପଡିଥିଲେ। ପ୍ରସବ ବେଦନା ଅସହ୍ୟ ହେବାରୁ ବାଧ୍ୟ ‌େହାଇ ପରିବାରର ୬ଜଣ ଲୋକ ବତୀଙ୍କୁ ଗାଁ ନିକଟସ୍ଥ ନଦୀ ଘାଟ ପର୍ଯ୍ୟନ୍ତ ନେଇଥିଲେ। ପରେ ପରମାନନ୍ଦ ନିଜେ ଦେଶୀ ଡଙ୍ଗା ଚଲାଇ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଭିମୁଖେ ବାହାରିଥିଲେ। ତେବେ ରାତି ପ୍ରାୟ ୪ଟାରେ ନଦୀ ଭିତରେ ଦେଶୀ ଡଙ୍ଗା ଚାଲୁଥିବା ସମୟରେ ପରିବାର ଲୋକଙ୍କ ସହାୟତାରେ ବତୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସକାଳ ୬ଟାରେ ଡଙ୍ଗା ସ୍ପିଲ‌େୱ ଘାଟରେ ପହଞ୍ଚିବା ପରେ ଚିତ୍ରକୋଣ୍ଡାର ଏକ ବଲେରୋ ଯୋଗେ ବତୀଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଚିକିତ୍ସା ପରେ ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡିଛି।

ବିଚ୍ଛିନ୍ନାଞ୍ଚଳରେ ସ୍ବାସ୍ଥ୍ୟସେବା ଉପଲବ୍ଧ ନଥିବାରୁ ବିଭିନ୍ନ ସମୟରେ ଅଞ୍ଚଳବାସୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏହି ଅଞ୍ଚଳବାସୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରଶାସନ ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି।

ସମ୍ବନ୍ଧିତ ଖବର