ସୁରକ୍ଷିତ ମାତୃତ୍ୱ ଏମିତି : ପ୍ରସବ ଯନ୍ତ୍ରଣାରେ ଚାଲିଲେ ୨କିଲୋମିଟର

କେନ୍ଦୁଝର/ହରିଚନ୍ଦନପୁର : ଗାଁକୁ ରାସ୍ତା ନାହିଁ। ଗାଡ଼ି ଗଡ଼ିପାରୁନି। ପରିଣାମ ହେଉଛି ପ୍ରସବ ବେଦନା ମଧ୍ୟରେ ଜଣେ ମହିଳାଙ୍କୁ ଚାଲିଚାଲି ଦୁଇକିଲୋମିଟର ଯିବାକୁ ପଡ଼ିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବୁଢ଼ାଖମଣ ପଞ୍ଚାୟତ ଗେଣ୍ଡାଚୁଆ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା। ଏହି ଗ୍ରାମର ଶୁକଲାଲ ମୁଣ୍ଡାଙ୍କ ପତ୍ନୀ ଲୀଳାବତୀ ମୁଣ୍ଡା ଗର୍ଭବତୀ ଥିଲେ। ଗତକାଲି ଦିନ ୧୦ଟା ପାଖାପାଖିରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଗାଁକୁ ରାସ୍ତା ନ ଥିବାରୁ ଦୁଇ କିଲୋମିଟର ରାସ୍ତାକୁ ବହୁ କଷ୍ଟରେ ଅତିକ୍ରମ କରି ପ୍ରାୟ ୩ ଘଣ୍ଟା ପରେ ଆଶାକର୍ମୀଙ୍କ ଘର ପନାସିଆରେ ପହଞ୍ଚିଥିଲେ। ଏହାପରେ ଆଶାକର୍ମୀ ୧୦୨ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲନ୍ସ ନ ଆସିବାରୁ ବାଧ୍ୟ ହୋଇ ଏକ ଅଟୋରେ ଲୀଳାବତୀଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଆଜି ସକାଳେ ତାଙ୍କର ଅପରେସନ କରାଯାଇଥିଲା ଏବଂ ସେ ଗୋଟିଏ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଏତିକିରେ କାମ ସରିନଥିଲା । ଝିଅ ଜନ୍ମ ହେବାରୁ ଜଣେ ନର୍ସ ତାଙ୍କଠାରୁ ୫ ଶହ ଟଙ୍କା ନେଇଥିବାର ଶ୍ରୀ ମୁଣ୍ଡା ପ୍ରକାଶ କରିଛନ୍ତି। ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନାରେ ୨ କିଲୋମିଟର ରାସ୍ତା ଚାଲିକି ଯିବା ଆମ ସୁରକ୍ଷିତ ମାତୃତ୍ୱ ଯୋଜନାକୁ ପରିହାସ କରୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର