କ’ଣ ହେବ ବନ୍ଦ ସ୍କୁଲ କୋଠା?

ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୩୯ ସ୍କୁଲ ବନ୍ଦ, ନିଷ୍ପତ୍ତିର ପୁନର୍ବିଚାର ଲାଗି ପ୍ରସ୍ତାବ

ଭୁବନେଶ୍ବର : ୧୦ରୁ କମ୍ ଛାତ୍ରଛାତ୍ରୀ ଥିବା ରାଜ୍ୟର ୯୬୬ଟି ପ୍ରାଥମିକ ସ୍କୁଲ୍‌ ବନ୍ଦ ହେବ। ୨୦୧୯-୨୦ ଶିକ୍ଷାବର୍ଷରେ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କେଉଁ ଜିଲ୍ଲାରେ କେତେ ସ୍କୁଲ ବନ୍ଦ କରାଯିବ ସେନେଇ ତାଲିକା ବି ପ୍ରସ୍ତୁତ ହୋଇଛି। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୩୯ଟି ବିଦ୍ୟାଳୟ ବନ୍ଦ ହେବାକୁ ଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ କମ୍‌ ଦୁଇଟି ସ୍କୁଲ ବନ୍ଦ ହେବ। ଇତିମଧ୍ୟରେ କେତେକ ଜିଲ୍ଲାରେ ସ୍କୁଲ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେବଳ ସେତିକି ନୁହେଁ, ଚଳିତ ଶିକ୍ଷାବର୍ଷରେ ବନ୍ଦ ହୋଇଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ବାକି ସ୍କୁଲ୍‌ଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଆସନ୍ତା ଜୁଲାଇ ମାସ ସୁଦ୍ଧା‌ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେପଟେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କେତେକ ଶିକ୍ଷକ ଅନୁଷ୍ଠାନ, ରାଜନୈତିକ ଦଳ ବିରୋଧ କରି ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ କେବଳ ପିଲା ନ ହେବା ଦର୍ଶାଇ ସ୍କୁଲ ବନ୍ଦ କରିବା ଠିକ୍‌ ନୁହେଁ। ସବୁ ଆଡ଼ୁ ଦୃଷ୍ଟି ଦେବାକୁ ହେବ। ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ଶିକ୍ଷକ-ପିଲାଙ୍କ ଅନୁପାତ ଆଦି ଉପରେ ବି ବିଚାର କରାଯିବାର ଆବଶ୍ୟକତା ରହିଛି। ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ତିନି ଦିନ ତଳେ ବିଭାଗୀୟ ମନ୍ତ୍ରୀ ସମୀର ଦାଶଙ୍କୁ ଅନୁରୋଧ କରାଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ଅତୀତରେ ଏସବୁ ସ୍କୁଲରେ ଅଧିକ ପିଲା ପଢ଼ୁଥିଲେ। ଏବେ କାହିଁକି ପିଲା କମୁଛନ୍ତି ତାହାର ତଦନ୍ତ ହେବା ଆବଶ୍ୟକ। ଯେଉଁଠି ସ୍କୁଲ ବନ୍ଦ ହୋଇଛି ସେଠାରେ ପଢ଼ିବାକୁ ପିଲା ନାହାନ୍ତି ନା ସରକାରଙ୍କ ଭୁଲ ଶିକ୍ଷା ନୀତି ପାଇଁ ପିଲା ଆସୁନାହାନ୍ତି। ଏହାର ନିରାକରଣ ଲାଗି ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ। ରାଜ୍ୟ ସରକାର ଘରୋଇ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି। ତେଣୁ ସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ଆଗେଇ ଆସିଛନ୍ତି। ଶିକ୍ଷା ବେପାରୀଙ୍କ ହାତରେ ଶିକ୍ଷା ବ୍ୟବସ୍ଥାକୁ ଟେକି ଦେବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି ଶ୍ରୀ କାନୁନ୍‌ଗୋ ଅଭିଯୋଗ କରିଛନ୍ତି।

ଆହୁରି ବି ଅଭିଯୋଗ ହୋଇଛି ‌ଯେ ଯେଉଁ ସ୍କୁଲଗୁଡ଼ିକ ବନ୍ଦ ହେବ ସେଠାକାର କୋଠା କ’ଣ ହେବ? ସେଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମିବ ନାହିଁ ତ? ସ୍ଥାନାନ୍ତର ହେଉଥିବା ଛାତ୍ରଛାତ୍ରୀଙ୍କୁ ଗସ୍ତ ଖର୍ଚ୍ଚ ସରକାର ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ସ୍ଥାନାନ୍ତର ହେବା ପରେ ଯଦି ପିଲା ସ୍କୁଲ ନ ଆସନ୍ତି? ବନ୍ଦ ହେବାକୁ ଥିବା ଅଧିକାଂଶ ବିଦ୍ୟାଳୟ ଉପାନ୍ତ ଅଞ୍ଚଳରେ ହୋଇଥିବାରୁ ସେଠାରେ ଡ୍ରପ୍‌ ଆଉଟ୍‌ ହାର ବଢ଼ିବନି ତ? ଏହାର ମୁକାବିଲା ଲାଗି ସରକାର କିଭଳି ପଦକ୍ଷେପ ନେଇଛନ୍ତି କି ନେବେ ବୋଲି ଏବେ ପ୍ରଶ୍ନ ଉଠିଛି।

ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ରାୟଗଡ଼ା ପରେ କୋରାପୁଟରେ ୯୩, ଅନୁଗୁଳରେ ୬୪, କନ୍ଧମାଳ ଓ ଗଞ୍ଜାମରେ ୬୦ଟି ଲେଖାଏ, ମୟୂରଭଞ୍ଜରେ ୫୩, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୪୪ଟି ଲେଖାଏ, କଳାହାଣ୍ଡିରେ ୩୯, ସମ୍ବଲପୁରରେ ୩୪, ଗଜପତିରେ ୩୩, ଯାଜପୁରରେ ୩୨, କଟକ ଓ କେନ୍ଦ୍ରାପଡ଼ାରେ ୨୭ଟି ଲେଖାଏ, ସୋନପୁରରେ ୨୪, ବରଗଡ଼, ଜଗତ୍‌ସିଂହପୁର ଓ ଢେଙ୍କାନାଳରେ ୧୯ଟି ଲେଖାଏ ସ୍କୁଲ ବନ୍ଦ ହେବ। ଏଥିସହ ନୂଆପଡ଼ା ଓ ବୌଦ୍ଧରେ ୧୮ଟି ଲେଖାଏ, ମାଲକାନଗିରିରେ ୧୭, ପୁରୀରେ ୧୬, ଦେବଗଡ଼ରେ ୧୨, ବାଲେଶ୍ବର ଓ ଭଦ୍ରକରେ ୧୦ଟି ଲେଖାଏ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ୯ଟି ଲେଖାଏ, ଖୋର୍ଧାରେ ୬ ଓ ନବରଙ୍ଗପୁରରେ ୨ଟି ସ୍କୁଲରେ ତାଲା ପଡ଼ିବ।

ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ସ୍କୁଲ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପିଲାମାନେ ଯେପରି ନିୟମିତ ଭାବେ ସ୍କୁଲ ଆସିବେ ସେଥିପାଇଁ ସେମାନଙ୍କୁ ବାଟ ଖର୍ଚ୍ଚ ଦିଆଯିବାର ବ୍ୟବସ୍ଥା‌ ହୋଇଛି। ଗୋଟିଏ ଦୁଇଟି ସ୍ଥାନରେ ସମସ୍ୟା ରହିଛି। ସେଠାରେ ଅଭିଭାବକଙ୍କ ସହ ଆଲୋଚନା ଚାଲିଛି। ପିଲାମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଉଛି।

ସମ୍ବନ୍ଧିତ ଖବର