ହଜାରେ କୋଟିର ପ୍ରକଳ୍ପ ଶିଳାନ୍ୟାସ, ଉଦ୍‌ଘାଟନ

ପୌର ନିର୍ବାଚନ ସଜବାଜ!

କଟକ : ରାଜ୍ୟର ବିଭିନ୍ନ ସହର ପାଇଁ ୧୮୨ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହିା ସହିତ ୫୫୫ଟି ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପନ୍ନ ଗୋଟିଏ ରାଜ୍ୟସ୍ତରୀୟ ଏବଂ ୫ଟି ଆଞ୍ଚଳିକ ପାନୀୟ ଜଳ ପରୀକ୍ଷାଗାରକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। କଟକର ଜବାହାରଲାଲ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଆସନ୍ତା ବର୍ଷ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କୁହାଯାଉଛି।

ରାଜ୍ୟର ୧୮୩ ଟି ପୌରାଞ୍ଚଳ ବାସିନ୍ଦାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକତା ପାଇଁ ଏହି ପ୍ରକ୍ରିୟାରେ ୧ ହଜାର କୋଟି ଟଙ୍କା ବ୍ୟୟ ହେବାକୁ ଯାଉଛି। ରାଜ୍ୟର ୭୪ଟି ପୌରାଞ୍ଚଳ ପାଇଁ ଉଦଘାଟିତ ୧୮୨ଟି ପ୍ରକଳ୍ପରେ ୧୫୬.୮୨ କୋଟି ଟଙ୍କା ବ୍ୟୟ ହୋଇଛି। ଏହି ପ୍ରକଳ୍ପ ଯୋଗେ ୬ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ତଥା ନିରାପଦ ପାନୀୟ ଜଳ ସହଜରେ ପାଇ ପାରିବେ। ସେହିପରି ୧୦୧ଟି ପୌରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୫୫୫ଟି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଏଥିପାଇଁ ୭୪୩.୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ୬୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ମୋଟ ସହରାଞ୍ଚଳ ଜନସଂଖ୍ୟାର ୬୨ ପ୍ରତିଶତ ଅର୍ଥାତ ୪୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

ଅନ୍ୟପଟେ ଜଳର ମାନ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ୯ଟି ଯୋଜନା କରିଥିବା ବେଳେ ସେଥିମଧ୍ୟରୁ ଆଜି ମୁଖ୍ୟମନ୍ତ୍ରୀ ୬ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତିି। ଭୁବନେଶ୍ୱରରେ ରାଜ୍ୟ ପାନୀୟ ଜଳ ପରୀକ୍ଷା କେନ୍ଦ୍ର ସମେତ କଟକ, ରାଉରକେଲା, ବାରିପଦା, ପୁରୀ ଏବଂ ଭୁବନେଶ୍ୱର ଆଞ୍ଚଳିକ ଜଳ ପରୀକ୍ଷାକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ବିଶେଷକରି ଏହି ପରୀକ୍ଷଣ କେନ୍ଦ୍ର ଦ୍ୱାରା ଜଣ୍ଡିସ ରୋଗର ପରୀକ୍ଷା ମାତ୍ର ତିନି ଘଣ୍ଟା ମଧ୍ୟରେ ହୋଇ ପାରିବ। ପୂର୍ବରୁ ଏଥିପାଇଁ ପୁନେ ଯିବାକୁ ପଡୁଥିବାବେଳେ ଏବେ ଏଠାରେ ସହଜରେ ଏହାର ପରୀକ୍ଷା ହୋଇପାରିବ। ପୁନେ ପରେ ଏହି ଜଳ ପରୀକ୍ଷଣ କେନ୍ଦ୍ର ଭାରତରେ ଦ୍ୱିତୀୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିପାଇଁ ୬୬ କୋଟି ଟଙ୍କା ବ୍ୟୟ ହେବ। ଘରୋଇ-ସରକାରୀ ଭାଗିଦାରୀରେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ନୂଆଦିଲ୍ଲୀର ମେସର୍ସ ସ୍ପେକ୍ଟ୍ରୋ ଆନାଲିଟିକାଲ୍‌ ଲାବ୍‌କୁ ୧୦ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ଦାୟିତ୍ୱ ଦିଆଯାଇଛି। ତେବେ ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟର ଗରିବ ଜନସାଧାରଣ, ବସ୍ତି ବାସିନ୍ଦା ତଥା ମହିଳାମାନେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି। ଏଥିସହିତ ଭୁବନେଶ୍ୱର ସମେତ ଅନ୍ୟ ପୌରାଞ୍ଚଳର ବସ୍ତିବାସିନ୍ଦାଙ୍କ ପାଇଁ ଘର ଯୋଗାଇଦେବାକୁ ସରକାର ପ୍ରତିଶୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ସୂଚନା ପ୍ରଯୁକ୍ତି ଏବଂ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଜଗତସିଂହପୁର ଲୋକସଭା ସାଂସଦ କୁଳମଣୀ ସାମଲ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ସିଏମସି ମେୟର ମିନାକ୍ଷୀ ବେହେରା, ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ନଗର ଉନ୍ନୟନ ସଚିବ ଜି.ମାଥିଭାଥଥନ ପ୍ରମୁଖ ଉପସ୍ଥିତ ଥିଲେ। ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏସ.ଲକ୍ଷ୍ମୀପତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର