ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ପ୍ରଶାସନର ପ୍ରସ୍ତୁତି : ରାଜନୈତିକ ଦଳ ପ୍ରତିନିଧିଙ୍କ ଉପସ୍ଥିତିରେ ଇଭିଏମ ଯାଞ୍ଚ

ଫୁଲବାଣୀ : ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ତତ୍ପରତା ଦେଖା ଦେଇଛି। ଏ ନେଇ ଓଡିଶାରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟର ସବୁ ଜିଲ୍ଲାକୁ ବାହାର ରାଜ୍ୟରୁ ଇଭିଏମ୍‌ ପହଞ୍ଚି ସାରିଥିବା ବେଳେ ଗତ ୧ ତାରିଖଠାରୁ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଜିଲ୍ଲା ସଂସ୍କୃତି ପାଠାଗାରରେ ଥିବା ଇଭିଏମ ପ୍ରଥମ ପର୍ଯ୍ୟାୟରେ ଯାଞ୍ଚ ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲା ସଂସ୍କୃତ ପାଠାଗାରର ଜଉମୁଦ ଲଗା ତାଲା ଖୋଲା ଯାଇଥିଲା। ବିଜେଡିର ପ୍ରତାପ କୁମାର ପାତ୍ର, କଂଗ୍ରେସର ବିଜୟ କୁମାର ମହାନ୍ତି ଓ ବିଜେପିର ଭଗବନା ମହାନ୍ତିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଡ.ବୃନ୍ଦା ଡି, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଓ ଉପଜିଲ୍ଲାପାଳ ସୂତାର ପ୍ରମୁଖ ଇଭିଏମ ଯାଞ୍ଚ କରିଥିଲେ।

ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା, ନିର୍ବାଚନ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଅର୍ଜୁନ ପ୍ରଧାନ, ଅପାତ୍ତକାଳୀନ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ପ୍ରଦ୍ୟୁମ୍ନ କୁମାର ମଣ୍ଡଳଙ୍କ ସମେତ ବହୁ ସରକାରୀ ଅଧିକାରୀ, କର୍ମଚାରୀ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଗତ ଅଗଷ୍ଟ ୧୬ ତାରିଖରେ ଉତ୍ତରପ୍ରଦେଶ ରାମପୁର ଜିଲ୍ଲାରୁ କନ୍ଧମାଳକୁ ୩ହଜାର ୨୬୦ଟି ଏଭିଏମ ଆସି ପହଞ୍ଚିଥିଲା। ଜିଲ୍ଲା ସଂସ୍କୃତ ପାଠାଗାରରେ ସେସବୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ପ୍ରଶାସନିକ ନିର୍ବାଚନ ପ୍ରସ୍ତୁତି ଦେଖି ବିଜେଡି, କଂଗ୍ରେସ ଓ ବିଜେପିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ସାଂସଦ ଓ ବିଧାୟକ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଇ ମୁଣ୍ଡବିନ୍ଧାର କାରଣ ହୋଇଛି।

ସମ୍ବନ୍ଧିତ ଖବର