ସୂର୍ଯ୍ୟନଗରୀ ପ୍ରକଳ୍ପ ପାଇଁ ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଓରେଡାର ବରିଷ୍ଠ ଅଧିକାରୀ

କୋଣାର୍କ: ସଞ୍ଜ ନଇଁଲେ ସୂର୍ଯ୍ୟ ଉପାସନାର ପବିତ୍ର ଭୂମି ଅର୍କକ୍ଷେତ୍ର କୋଣାର୍କ ସୌରଶକ୍ତିର ବିନିଯୋଗରେ ଉତ୍ପାଦିତ ବିଦ୍ୟୁତ୍‌ ଉପଯୋଗରେ ଆଲୋକମାଳାରେ ଝଲସିବ। ଅର୍କକ୍ଷେତ୍ରର ନୂଆ ନାମ ହେବ ସୂର୍ଯ୍ୟନଗରୀ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ନୂତନ ଓ ଅକ୍ଷୟଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୨୫ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ। ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ଏ ନେଇ ଆଜି ପୂର୍ବାହ୍ନରେ ଓରେଡାର ଏକ ବରିଷ୍ଠ ଅଧିକାରୀମଣ୍ଡଳୀ କୋଣାର୍କରେ ପହଞ୍ଚି ପ୍ରକଳ୍ପ ପାଇଁ ଆବଶ୍ୟକ ସ୍ଥାନ ନିରୂପଣ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନେ କୋଣାର୍କର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଏହି ପ୍ରକଳ୍ପଟିର କାର୍ଯ୍ୟ କିଭଳି ଶୀଘ୍ର ଆରମ୍ଭ କରାଯିବ, ସେ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ଓରେଡାର ଯୁଗ୍ମ ନିର୍ଦ୍ଦେଶକ ଅଶୋକ ଚୌଧୁରୀଙ୍କ ସମେତ ଏକ ଦଶଜଣିଆ ଅଧିକାରୀମଣ୍ଡଳୀ କୋଣାର୍କ ଗସ୍ତରେ ଆସିଥିଲେ। ସେମାନେ କୋଣାର୍କରେ ପହଞ୍ଚି ସୂର୍ଯ୍ୟମନ୍ଦିର, ହେଲିପ୍ୟାଡ୍‌, କୋଣାର୍କ ବିଦ୍ୟୁତ୍‌ ଗ୍ରିଡ୍‌, ସବ୍ ଷ୍ଟେସନ୍‌ ଭଳି ଏକାଧିକ ସ୍ଥାନ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ସିଧାସଳଖ ଭାବେ ସୂର୍ଯ୍ୟକିରଣ ଉପଲବ୍ଧ ହୋଇପାରୁଥିବା ଓ ଲୁଣି ହାୱାରୁ ସୁରକ୍ଷିତ ରହିପାରୁଥିବା ଭଳି ସ୍ଥାନରେ ଏହି ୧୦ ମେଗାୱାଟ୍‌ର ସୌର ଗ୍ରିଡ୍‌ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ଏଥିପାଇଁ ଆନୁମାନିକ ୧୦ ଏକରରୁ ଅଧିକ ଜମି ଆବଶ୍ୟକ। ଏହି ପ୍ରକଳ୍ପ ଦ୍ବାରା ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସହିତ ସମଗ୍ର କୋଣାର୍କ ସହରକୁ ସୌର ଚାଳିତ କରାଯିବ। ଏହି ପ୍ରକଳ୍ପ ଅଧୀନରେ ସୌର ବୃକ୍ଷ, ସୌର ପାନୀୟଜଳ ପ୍ରକଳ୍ପ ଭଳି ଏକାଧିକ ଯୋଜନା ରଖାଯିବା ପାଇଁ ଚିନ୍ତା କରାଯାଇଛି। ଏହି ଯୋଜନା ହେବା ଦ୍ବାରା କୋଣାର୍କରେ ସୌରଶକ୍ତିର ସୁବିନିଯୋଗ ହେବା ସହିତ ବିଦ୍ୟୁତ୍‌ ବ୍ୟବହାରକୁ ସୀମିତ କରାଯାଇପାରିବ ବୋଲି ଜଣାପଡ଼ିଛି। ଓରେଡା ଟିମ୍‌ର ଗସ୍ତ ସମୟରେ କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ଏମ୍‌ ଶ୍ରୀନିବାସ, ପ୍ରଶାନ୍ତ କୁମାର ବଡ଼ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର