ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସରକାର

ଭୁବନେଶ୍ବର : ସମବାୟ ନିର୍ବାଚନ ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୨୦୨୦ ଜାନୁଆରି ସୁଦ୍ଧା ସମବାୟ ନିର୍ବାଚନ ସମ୍ପୂର୍ଣ୍ଣ କରାଯିବ। ଏଥିପାଇଁ ରାଜ୍ୟ ସମବାୟ ନିବନ୍ଧକ ସବୁ ଡିଭିଜନର ଉପନିବନ୍ଧକ ଓ ସମବାୟ ସମିତିଗୁଡ଼ିକୁ ପ୍ରସ୍ତୁତି ଆରମ୍ଭ କରିବାକୁ ଚିଠି ଲେଖିଛନ୍ତି।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସମବାୟ ନିର୍ବାଚନ କମିସନ ଗତ ୫ ତାରିଖରେ ରାଜ୍ୟ ସମବାୟ ନିବନ୍ଧକଙ୍କୁ ଚିଠି ଲେଖିଥିଲେ। ଚଳିତ ବର୍ଷ ସମସ୍ତ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେଉଥିବାରୁ ଆସ୍ତନ୍ତା ଜାନୁଆରି ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ସଂଚାଳନ ପାଇଁ ଆବଶ୍ୟକ ସଂଖ୍ୟକ ନିର୍ବାଚନ ଅଧିକାରୀ, ଭୋଟ କେନ୍ଦ୍ର, ବାଲଟ୍ ବାକ୍ସ ଓ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ୨୦ ତାରିଖ ସୁଦ୍ଧା ଜଣାଇବାକୁ କମିସନ ଚିଠିରେ ଲେଖିଛନ୍ତି। କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୧୬ ତାରିଖ ସୁଦ୍ଧା ଜିଲ୍ଲା ସ୍ତରରେ ସମବାୟ ସମିତିଗୁଡ଼ିକର ପ୍ରସ୍ତୁତି ଉପରେ ରିପୋର୍ଟ ଦେବାକୁ ସମବାୟ ନିବନ୍ଧକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସମବାୟ ନିର୍ବାଚନରେ ଶାସକ ବିଜେଡି ପକ୍ଷରୁ ସମସ୍ତ ଜିଲ୍ଲାର ବିଧାୟକ ଓ ଦଳୀୟ ନେତାମାନଙ୍କୁ ଋଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିପାଇଁ ନିଜେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନେତା ଓ ବିଧାୟକଙ୍କୁ ଡାକି ବୈଠକ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର