ଭୁବନେଶ୍ୱର : ଏକାଧିକ ନଦୀ ବନ୍ଧରେ କାମ ଚାଲିଛି, କେନାଲ ମାନଙ୍କରେ ବି। ଏବେ ବି ମୁକୁଳା ପଡ଼ିଛି ଅନେକ ପ୍ରକଳ୍ପ। ରାଜଧାନୀ ସମେତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଅଧା ପନ୍ତରିଆ ଅବସ୍ଥାରେ ପ଼ଡିଛିି ଡ୍ରେନ୍ ଓ ରାସ୍ତା ନିର୍ମାଣ କାର୍ଯ୍ୟ। ଉପକୂଳ ଜିଲ୍ଲାମାନଙ୍କରେ ଥିବା ବାତ୍ୟା ଆଶ୍ରୟସ୍ଥଳୀର କଥା ନ କହିବା ଭଲ। ମେ’ ମାସ ଶେଷ ସପ୍ତାହର ସ୍ଥିତି ଏମିତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଣେ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି ଯେ ମୌସୁମୀ ସଅଳ ଆସିବ। ଆଉ ସପ୍ତାହେ ଭିତରେ ଓଡ଼ିଶାକୁ ସ୍ପର୍ଶ କରିପାରେ। ଆଉ ଦିନେ ଦୁଇଦିନ ପରେ ବର୍ଷା ଆରମ୍ଭ ହୋଇଯାଇପାରେ। ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଧିକ।
ଏଭଳି ରିପୋର୍ଟ ରାଜ୍ୟବାସୀଙ୍କ ଚିନ୍ତା ବଢାଇ ଦେଇଛି। କାରଣ, ମୌସୁମୀ ମୁଣ୍ଡ ଛୁଇଁବାକୁ ବସିଲାଣି, ରାଜ୍ୟସ୍ତରୀୟ ବିପର୍ଯ୍ୟୟ କମିଟି ବୈଠକ କେବେ ଡକାଯିବ, ତାହା ସ୍ଥିର ହୋଇନାହିଁ। ଆଜି ସ୍ୱତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ ତାଙ୍କ ସ୍ତରରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ସଂକ୍ରାନ୍ତ ଏକ ବୈଠକ ଡାକି ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଜରୁରିକାଳୀନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କଣ କରାଯିବ, କେବେ କରାଯିବ, ସେ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି।
ନିୟମ ଅନୁସାରେ, ଜିଲ୍ଲାପାଳମାନେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ମେ’ ମାସ ଶେଷ ସୁଦ୍ଧା ସାରିବାକୁ ବାଧ୍ୟ। କିନ୍ତୁ ସରକାରୀ ତଥ୍ୟ ଅନୁସାରେ, ଆହୁରି ଚାରିଟି ଜିଲ୍ଲା ଏହି ବୈଠକ କରିନାହାନ୍ତି। ଖୁବ୍ଶୀଘ୍ର ଏହି ବୈଠକ ସାରିବା ଲାଗି କୁହାଯାଇଛି। ସ୍ଥିର ହୋଇଛି, ଜୁନ୍ ୧୯ ତାରିଖରେ ସାରା ରାଜ୍ୟରେ ମକ୍ ଡ୍ରିଲ୍ ଆୟୋଜନ କରାଯିବ।
କିନ୍ତୁ ଜଣେ ସରକାରୀ ଅଧିକାରୀଙ୍କ କହିବା କଥା ହେଉଛି, ଚଳିତ ବର୍ଷ ବୃଷ୍ଟିପାତ ଯଦିଓ ସ୍ୱାଭାବିକ ହେବ ବୋଲି କୁହାଯାଉଛି, କିନ୍ତୁ ଜୁନ ମାସରେ ପାଖାପାଖି ୧୫ରୁ ୨୦% ଅଧିକ ବର୍ଷା ହୋଇଥାଏ। ଲଗାତାର ଭାବେ ଯଦି ବର୍ଷା ହୁଏ, ତେବେ ବର୍ଷ ଆରମ୍ଭରୁ ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଅନୁଧ୍ୟାନ କରି ଦେଖାଯାଇଛି ଯେ ରାଜ୍ୟର ବିଭିନ୍ନ ନଦୀରେ ୧୦୮ଟି ସ୍ଥାନ ଏଭଳି ଚିହ୍ନଟ କରାଯାଇଛି, ଯାହା ଅତ୍ୟନ୍ତ ସମ୍ବେଦନଶୀଳ। ୩ଟି ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଭୟାନକ ସ୍ଥିତିରେ ରହିଛି। ଦେବୀ ନଦୀର ଡ଼ାହାଣ ପାର୍ଶ୍ୱର କଣ୍ଟିମାଳ, ଭାର୍ଗବୀ ନଦୀର ଡାହାଣ ପାର୍ଶ୍ୱରେ ଥିବା ପିପିଲି ନିକଟସ୍ଥ ରଥ ପୁରୁଷୋତ୍ତମ ପୁର ଓ ହଂସୁଆ ନଦୀର ଡାହାଣ ପାର୍ଶ୍ୱସ୍ଥ ଦିଆପରି (ରାଜନଗର) ଉପରେ ତୀକ୍ଷ୍ମ ନଜର ରଖାଯିବା ଆବଶ୍ୟକ ରହିଛି। ଗତବର୍ଷ ଯାଜପୁରରେ ଏକ ଘାଇ ହୋଇଥିଲା ଓ ତାହାର ମରାମତି ସରିଛି।
ଅନ୍ୟପକ୍ଷରେ ଗତବର୍ଷ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ୬ଟି ଜିଲ୍ଲାର ୨୨ଟି ବ୍ଲକରେ ୧୨୨ଟି ଟାଓ୍ଵାର ସ୍ଥାପନ ହେବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳରେ ଆଗୁଆ ସତର୍କ ସୂଚନା ଦିଆଯାଇପାରିବ। ବିପର୍ଯ୍ୟୟ ସମୟରେ ରାଜ୍ୟ ନିୟନ୍ତ୍ରଣ କେନ୍ଦ୍ରରୁ ଏହି ଟାଓ୍ଵାର ମାଧ୍ୟମରେ ତୁରନ୍ତ ସତର୍କ ସାଇରନ୍ ଦିଆଯାଇପାରିବ। ୯ମାସ ମଧ୍ୟରେ ଏହି କାମ ସରିବା କଥା। ମାତ୍ର ଆଜି ଯାଏ ଏ ପ୍ରକଳ୍ପ କାର୍ଯ୍ୟ ସରିପାରିଲା ନାହିଁ। ଅଧିକାରୀମାନେ କହିଛନ୍ତି, ବର୍ଷା ଆସିବା ପୂର୍ବରୁ ଶେଷ ହୋଇଯିବ।
ସରକାରୀ ଅଧିକାରୀ ଦାବି କରୁଛନ୍ତି, ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇ ରହିଛି। ମାତ୍ର କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ଆଶ୍ରୟସ୍ଥଳର ଚିତ୍ର ସରକାରୀ ପ୍ରସ୍ତୁତି ପଛର ବାସ୍ତବତା ପ୍ରମାଣ କରୁଛି। ସବୁଠାରୁ ବଡ଼ କଥା ହେଲା, ୧୯୯୯ ମହାବାତ୍ୟା ପରେ ଏତେ ସବୁ ଆଶ୍ରୟସ୍ଥଳ ନିର୍ମାଣ ହୋଇଥିଲେ, ବନ୍ୟା, ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀ ସରକାର ଏଯାଏ ଯୋଗାଇ ଦେଇପାରିନାହାନ୍ତି। ଟାଓ୍ଵାର ଲାଇଟ୍, ମେକାନାଇଜ୍ଡ କଟର, ଜ୍ୟାକେଟ୍, ଷ୍ଟ୍ରେଚର ଏଭଳି ୨୨ଟି ସାମଗ୍ରୀ ଯୋଗାଇ ଦିଆଯିବା କଥା। ମାତ୍ର ୧୩୫ଟି ଆଶ୍ରୟସ୍ଥଳୀକୁ ସରକାର ଏସବୁ ଦେଇଛନ୍ତି।
କେବଳ ସେତିିକି ନୁହେଁ, ଗତବର୍ଷ ନୂତନ ୧୦ଟି ଓଡ୍ରାଫ୍ ୟୁନିଟ୍ ଗଠନ ଲାଗି ୫୦୦ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା। ଏହିସବୁ ଟିମ୍କୁ ଆବଶ୍ୟକ ସରଞ୍ଜାମ ଯୋଗାଣ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ଖୋଦ୍ ମୁଖ୍ୟଶାସନ ସଚିବ ବର୍ଷେ ତଳେ ନିର୍ଦେଶ ଦେଇଥିଲେ। ହେଲେ ଆଜି ଦିନରେ ବି ଏସବୁ ଓଡ୍ରାଫ୍ ୟୁନିଟ୍କୁ ସରକାର ସରଞ୍ଜାମ ଯୋଗାଇ ପାରିନାହାନ୍ତି।
ଆଜି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିସନର ଶ୍ରୀ ସେଠୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ ଆସନ୍ତା ୧୦ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ସେମାନଙ୍କର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରି ନିଜ ନିଜ େଓ୍ଵବ୍ସାଇଟ୍ରେ ସ୍ଥାନୀତ କରିବେ। ଯେଉଁ ସବୁ ଅଞ୍ଚଳ ବିଚ୍ଛିନ୍ନ ହେବାର ସମ୍ଭାବନା ଅଧିକ, ସେଠାରେ ଦୁଇ ତିନି ମାସ ପାଇଁ ବଣ୍ଟନ ସାମଗ୍ରୀ ଆଗତୁରା ରଖିବା ଲାଗି ନିର୍ଦେଶ ଦିଆଯାଇଛି।
ସୂଚନା ମିଳିଛି, ୩୦୧ ପାଓ୍ଵାର ବୋଟ୍ ବି ଶତପ୍ରତିଶତ କାର୍ଯ୍ୟକ୍ଷମ ନାହିଁ। ପାଖାପାଖି ୩୨ଟି ମରାମତି ଆହୁରି ବାକି ଅଛି। ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏସବୁ ଏସବୁକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରାଯିବା ଦରକାର ବୋଲି ଏସ୍ଆର୍ସି ତାଗିଦ୍ କରିଛନ୍ତି। ସେହିଭଳି କେତେ ଘରୋଇ ବୋଟ୍ ରହିଛି, ସେମାନଙ୍କର ଯୋଗାଯୋଗ ନମ୍ବର ସଂଗ୍ରହ କରିବା ଲାଗି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆକଳନ କରାଯାଇଛି ଯେ ବର୍ଷା ଋତୁ ପାଇଁ ୩୩ଲକ୍ଷ ୩୫ ହଜାର ଅଖା ବସ୍ତା, ୬୭ହଜାର ୬୨୭ କ୍ୟୁବିକ୍ ମିଟର ବାଲି, ୧୯ହଜାର ୪୩୦ ବହ୍ଲା, ୧୦ ୩୨୦ ବାଉଁଶ ମହଜୁଦ ଆବଶ୍ୟକ।
ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଏପ୍ରିଲ ୭ରୁ ୧୫ ଯାଏ ବିଭିନ୍ନ ନଦୀବନ୍ଧ ସର୍ବେକ୍ଷଣ କରାଯାଇ ଯେଉଁଠାରେ କିଛି ସମସ୍ୟା ଥିଲା, ତାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଖୁବ୍ ଶୀଘ୍ର ମୁଖ୍ୟଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ୍ ଅତି ଖରାପ ଚିହ୍ନଟ ସ୍ଥିତି ଯାଞ୍ଚ କରିବେ। ଆସନ୍ତା ୫ ତାରିଖ ସୁଦ୍ଧା ବାଲିବସ୍ତା, ବହ୍ଲା ଆଦି କେଉଁଠି କେତେ ରଖାଯାଇଛି, ସେ ସଂପର୍କରେ ଗଣମାଧ୍ୟମ ଓ େଓ୍ଵବ୍ସାଇଟ୍ ଜରିଆରେ ଜଣାଇ ଦିଆଯିବ।