ବିଜୁ ଥିଲେ ଇସ୍ପାତ ପୁରୁଷ: ରାଷ୍ଟ୍ରପତି

ଆନନ୍ଦଭବନ ସଂଗ୍ରହାଳୟ, ଜ୍ଞାନକେନ୍ଦ୍ର ଜନାର୍ପିତ

ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେଲେ
ପୁରୀରେ ରାତ୍ରିଯାପନ, ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ

ଭୁବନେଶ୍ୱର/କଟକ/ପୁରୀ : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ବିଜୁ ପଟ୍ଟନାୟକଙ୍କ ପୈତୃକ ଘର ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ରକୁ ଜନାର୍ପିତ କରିଛନ୍ତି। କେବଳ ସେତିକି ନୁହେଁ, ରାଷ୍ଟ୍ରପତି କଟକର ନରାଜ ସ୍ଥିତ ଜାତୀୟ ଆଇନ୍‌ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ରଖିଛନ୍ତି। ଅପରାହ୍ନରେ ରାଷ୍ଟ୍ରପତି ପୁରୀ ଯାଇ ସର୍କିଟ ହାଉସରେ ରାତ୍ରିଯାପନ କରୁଛନ୍ତି।

ନିର୍ଧାରିତ ସମୟର ୧୫ମିନିଟ୍‌ ପୂର୍ବରୁ ତଥା ସକାଳ ସାଢେ ଦଶଟା ସମୟରେ ରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ‘ରାଜକମଲ’ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ରାଜ୍ୟପାଳ ଏସ୍‌.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ କମିସନର ଆର.ପି. ଶର୍ମା ପ୍ରମୁଖ ସ୍ୱାଗତ କରିଥିଲେ। ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ପରେ ଏକ ବୁଲେଟ୍‌ପ୍ରୁଫ୍‌ ଗାଡିରେ ରାଷ୍ଟ୍ରପତି କଟକ ଅଭିମୁଖେ ଯାତ୍ରା କରିଥିଲେ।

ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ପ୍ରସ୍ତୁତ ଆନନ୍ଦ ଭବନ ସଂଗ୍ରହାଳୟ ଓ ପାଠାଗାରକୁ ଲୋକାର୍ପିତ କରିବା ସହିତ ରାଷ୍ଟ୍ରପତି ସେଠାରେ ୧୫ ମିନିଟ ରହିଥିଲେ। ପରେ ଇଣ୍ଡୋର ଷ୍ଟାଡିୟମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଓଡିଆରେ ‘ମୁଁ ଓଡିଶାର ପବିତ୍ର ମାଟି ଆଉ ଏହାର ଜନତାଙ୍କୁ ପ୍ରଣାମ ଜଣାଉଛି’ କହି ହିନ୍ଦୀରେ ନିଜର ଅଭିଭାଷଣ ରଖିଥିଲେ। କହିଥିଲେ, ଦେଶର ସ୍ୱାଧୀନତାରେ ଦୁଇଟି ଆନନ୍ଦ ଭବନର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଆନନ୍ଦ ଭବନ ଆହ୍ଲାବାଦରେ ରହିଛି। ଅନ୍ୟଟି କଟକରେ। କଟକସ୍ଥିତ ଐତିହାସିକ ଆନନ୍ଦ ଭବନରେ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ରଣନୀତି ପ୍ରସ୍ତୁତ ହେଉଥିଲା। ଏହାକୁ ଏକ ସାଧାରଣ ସୌଧ ଭାବେ ବିବେଚନା କରାଯାଇପାରିବ ନାହିଁ। ଏହାର ନାମକରଣର ମଧ୍ୟ ତାତ୍ପର୍ଯ୍ୟ ରହିଛି। ଦେଶର ଲୋକମାନେ ଯେପରି ସୁଖରେ ରହିବେ, ଆନନ୍ଦରେ ରହିବେ, ଏପରି ବିଚାର କରି ଆନନ୍ଦ ଭବନର ନାମକରଣ ହୋଇଛି।

ଜଣେ ଶାରୀରିକ ଭାବେ ସୁସ୍ଥ ରହିଲେ ସୁଖୀ ରହିପାରିବେ ବୋଲି ସୂଚାଇ ଶ୍ରୀ କୋବିନ୍ଦ କହିଥିଲେ ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ହେଉଛନ୍ତି ଏହାର ଏକ ଅନନ୍ୟ ଉଦାହରଣ। ସେ ସାଇକେଲ ଚଳାଇ କଟକରୁ ପେଶାଓ୍ଵର ଯାଇଥିବା ବେଳେ ମହିଳା ସଶକ୍ତୀକରଣ ପାଇଁ ମଧ୍ୟ ସ୍ୱର ଉଠାଇଥିଲେ। ବିଜୁ ବାବୁ କେବଳ ଇସ୍ପାତ ମନ୍ତ୍ରୀ ନଥିଲେ ବରଂ ସେ ଥିଲେ ଇସ୍ପାତ ପୁରୁଷ, ସାହସର ପ୍ରତୀକ। ମୋରାରଜୀ ଦେଶାଇ ସରକାରରେ ବିଜୁ ବାବୁ ଇସ୍ପାତ ମନ୍ତ୍ରୀ ଥିବାବେଳେ ସେ ତାଙ୍କୁ ଭେଟିବାର ସୁଯୋଗ ପାଇଥିବା ସଂପର୍କରେ ସ୍ମରଣ କରିଥିଲେ।

ରାଷ୍ଟ୍ରପତି କହିଥିଲେ, ଓଡିଶା ତଥା ଦେଶ ଗଠନରେ ବିଜୁ ବାବୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ଥିଲେ। ପବିତ୍ର କଟକ ମାଟିରେ ଉତ୍କଳଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବିଜୁ ପଟ୍ଟନାୟକ ଜନ୍ମ ଗ୍ରହଣ କରିଛନ୍ତି। ଏଣୁ ସେ ଏଭଳି ଏକ ପବିତ୍ର ଭୂମିକୁ ଆସି ଅତ୍ୟନ୍ତ ଗର୍ବ ଅନୁଭବ କରୁଛନ୍ତି।

ଏହି ଅବସରରେ ମରିସସରେ ଥିବା ଅନେକ ପ୍ରତିଷ୍ଠିତ ଓଡିଆ ହୀରା କାରିଗରଙ୍କ ସହ ତାଙ୍କର ପରିଚୟ ହୋଇଥିବା ସଂପର୍କରେ ରାଷ୍ଟ୍ରପତି ସୂଚାଇଥିଲେ। ସେହିଭଳି ବେଟୀ ବଚାଓ, ଉଜ୍ୱଳା ଯୋଜନା ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶ୍ରୀ କୋବିନ୍ଦ କହିଥିଲେ। ଉଜ୍ଜ୍ୱଳା ଯୋଜନାର ସଫଳତା ସଂପର୍କରେ ଭାଷଣ ରଖି ମୟୂରଭଞ୍ଜ ଏବଂ ପୁରୀର ମହିଳାମାନେ ରାଷ୍ଟ୍ରପତିଭବନ ଯାଇଥିବା ସଂପର୍କରେ ଜଣାଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏସ୍‌. ସି. ଜମିର ବିଜୁ ବାବୁଙ୍କ ସୁଖ୍ୟାତି ସଂପର୍କରେ ବର୍ଣ୍ଣନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ସ୍ୱର୍ଗତ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ଐତିହାସିକ ସୌଧରେ ଦିନେ ଓଡିଶାର ସାଂସ୍କୃତିକ, ସାମାଜିକ, ରାଜନୈତିକ ଯୋଜନା ସମ୍ପର୍କରେ ଚିନ୍ତା କରାଯାଉଥିଲା। ଆନନ୍ଦଭବନରୁ ବିଜୁବାବୁ ବିକାଶ ପାଇଁ ପ୍ରେରଣା ପାଉଥିଲେ। ତେବେ ସେ ଭଲ ପାଉଥିବା ଆନନ୍ଦ ଭବନ ଆଜି ରାଜ୍ୟବାସୀଙ୍କ ସମ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଦେଶର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ସ୍ୱାଗତ ଭାଷଣ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କଟକ ତୁଳସୀପୁର ଅଂଚଳରେ ଥିବା ଆନନ୍ଦ ଭବନକୁ ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ନିର୍ମାଣ କରିଥିଲେ। ଆନନ୍ଦ ଭବନ କୋଠାଟି ୧୯୩୧ ମସିହାରେ ନିର୍ମାଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ପ୍ରମୁଖ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଦାନ କରିବା ପରେ ଆନନ୍ଦଭବନର ୪ଟି ବଖରାକୁ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର ବା ପାଠାଗାରରେ ପରିଣତ କରାଯାଇଥିଲା। ଲୋକଙ୍କ ପରିଦର୍ଶନ ଓ ସ୍ମାରକୀ ଉଦ୍ଦେଶ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହାକୁ ଲୋକାର୍ପିତ କରିଥିବାରୁ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅପରାହ୍ନରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍‌ଟର ଯୋଗେ ପୁରୀ ଗସ୍ତ କରିଥିଲେ। ସେ ଆଜି ସର୍କିଟ ହାଉସରେ ରାତ୍ରିଯାପନ କରୁଛନ୍ତି। ଆସନ୍ତାକାଲି ସେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ମଧ୍ୟାହ୍ନରେ ପୁରୀସ୍ଥିତ ଶ୍ରୀ ସଦାଶିବ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ(ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟ)ର ଶତବାର୍ଷିକ ଉତ୍ସବରେ ଯୋଗ ଦେବେ। ଅପରାହ୍ନ ସାଢ଼େ ତିନିଟାରେ ଭୁବନେଶ୍ୱର ଆଇଆଇଟି ସମାବର୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହ ଆଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସ ଓ ଦକ୍ଷତା ବିକାଶ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅପରାହ୍ନ ୫ଟା ୩୦ରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର