ଓଡ଼ିଶାର ପରିଚୟ ହେବ ପାଇକ ସ୍ମାରକୀ, ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନବୀନ ଓ ଧର୍ମେନ୍ଦ୍ରଙ୍କ ଉଦ୍ୟମକୁ ପ୍ରଶଂସା
ବକ୍ସି ଜଗବନ୍ଧୁଙ୍କ ନାମରେ ଟ୍ରେନ୍ ଚାଲୁ: ମୁଖ୍ୟମନ୍ତ୍ରୀ
ଓଡ଼ିଆ ଜାତି ଲଢ଼େଇ କରି ସ୍ବୀକୃତି ପାଇବ: ଧର୍ମେନ୍ଦ୍ର

ଭୁବନେଶ୍ବର/ଖୋର୍ଦ୍ଧା : ଉତ୍କଳ ଏମିତି ଏକ ସ୍ଥାନ ଯେଉଁଠି ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। ଓଡ଼ିଶାର କଳା, ସଂସ୍କୃତି ସାରା ବିଶ୍ବରେ ପରିଚିତ। କୋଣାର୍କର କାରୁକାର୍ଯ୍ୟ ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ମିଳିଛି। ବରୁଣେଇରେ ନିର୍ମାଣ ହେବାକୁ ଥିବା ପାଇକ ବିଦ୍ରୋହ ସ୍ମାରକୀ ଓଡ଼ିଶା ପାଇଁ ଆଉ ଏକ ପରିଚୟ ହେବ। ସାରା ବିଶ୍ବକୁ ପାଇକ ବିଦ୍ରୋହ ସମ୍ପର୍କରେ ଏହି ସ୍ମାରକୀ ଜଣାଇବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

ପାଇକ ବିଦ୍ରୋହ‌ର ୨୦୦ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଲେ ଯେ ଏହି ପବିତ୍ର ଭୂମିରେ ପାଇକ ବିଦ୍ରୋହୀଙ୍କ ସ୍ମୃତିରେ ଭୂମି ପୂଜା ଓ ଶିଳାନ୍ୟାସ ପାଇଁ ମୋତେ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି। ଏଠାରେ ସ୍ମାରକୀ ନିର୍ମାଣ ହେଲେ ପାଇକ ବୀରଙ୍କୁ ଉଚିତ ସମ୍ମାନ ମିଳିବ। ଏହା ଭବିଷ୍ୟତ ପିଢ଼ିଙ୍କ ପାଇଁ ପ୍ରେରଣାର ସ୍ଥାନ ପାଲଟିବ। ସେମାନେ ସେମାନଙ୍କ ପୂର୍ବଜଙ୍କ ବଳିଦାନ ସମ୍ପର୍କରେ ଜାଣିପାରିବେ। ୧୦ ଏକର ଜମିରେ ଯେଉଁ ସ୍ମାରକୀ ନିର୍ମାଣ ହେବ ତାହା ଏକ ତୀର୍ଥସ୍ଥଳୀ ହେବ ବୋଲି ମୋର ବିଶ୍ବାସ।

ବରୁଣେଇରେ ଏହି ସ୍ମାରକୀ ନିର୍ମାଣ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ଓଡ଼ିଶାର ସଭ୍ୟତା ଏବଂ ସଂସ୍କୃତି ଶହ ଶହ ବର୍ଷ ତଳେ ସମୃଦ୍ଧ ଥିବାରୁ କେ‌ାଣାର୍କରେ ସୂର୍ଯ୍ୟମନ୍ଦିର ନିର୍ମାଣ ହୋଇପାରିଥିଲା। ଲୋକଙ୍କୁ ସେହି ପରମ୍ପରା ବିଷୟରେ ସଚେତନ କଲେ ସେମାନଙ୍କର ଆତ୍ମବିଶ୍ବାସ ବଢ଼ିବ ଏବଂ ଦେଶ ନିର୍ମାଣରେ ସହଭାଗୀ ହୋଇପାରିବେ। ଓଡ଼ିଶାର ସ୍ବାଭିମାନୀ ପାଇକମାନେ କୃଷକ ସହିତ ବଡ଼ ଯୋଦ୍ଧା ବି ଥିଲେ। ଇଂରେଜ ବିରୋଧରେ ସେମାନେ ଯେପରି ବୀରତ୍ବର ସହ ଲଢ଼ିଥିଲେ ଏବଂ ଜୟୀ ରାଜଗୁରୁଙ୍କ ପ୍ରାଣବଳୀ ପରେ ବକ୍ସି ଜଗବନ୍ଧୁ ଯେପରି ବିଦ୍ରୋହକୁ ଆଗେଇ ନେଇଥିଲେ ତାହା ଏକ ବୀର ଜାତିର ପ୍ରତୀକ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶାର ନିର୍ମାତା ବିଜୁବାବୁଙ୍କ ପର୍ଯ୍ୟନ୍ତ ଓଡ଼ିଶାର ଲୋକଙ୍କ ବିକାଶ ପାଇଁ ଉଦ୍ୟମ କରିଥିଲେ। ତାଙ୍କର ସ୍ବପ୍ନର ଓଡ଼ିଶାକୁ ନିର୍ମାଣ କରି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସଫଳ ଭାରତର ସ୍ବପ୍ନକୁ ଆମେ ପୂରଣ କରିପାରିବା। ଆମକୁ ସବୁବେଳେ ଧ୍ୟାନ ରଖିବା ଜରୁରୀ ଯେ ଭାରତର ଗୌରବ ଓ ସ୍ବତନ୍ତ୍ରତା ପାଇଁ ଅନେକ ବଳିଦାନ ଦେଇଛନ୍ତି। ମୋର ବିଶ୍ବାସ ରହିଛି, ଆଧୁନିକ ବିଶ୍ବ ସମୁଦାୟ ନିକଟରେ ଭାରତକୁ ଅଗ୍ରଣୀ ସ୍ଥାନରେ ରଖିବାର ପ୍ରଚେଷ୍ଟା ହିଁ ସେହି ବଳିଦାନକୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।

ରାଷ୍ଟ୍ରପତି କହିଥିଲେ ଯେ, ପ୍ରକୃତି ଓଡ଼ିଶାକୁ ଅସୀମ ବରଦାନ ଦେଇଛି। ଓଡ଼ିଶାର ବେଳାଭୂମି, ଖଣିଜ ସମ୍ପଦ, କଳା ସଂସ୍କୃତି, ଐତିହ୍ୟ ବରଦାନ ସଦୃଶ। ପରିବେଶ ସୁରକ୍ଷାକୁ ନଜରରେ ରଖି ଏହି ପ୍ରାକୃତିକ ସମ୍ପଦର ସୁବିନିଯୋଗ କରିପାରିଲେ ଓଡ଼ିଶାର ବିକାଶ ହୋଇପାରିବ।

ଏହି ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଥିଲେ ଯେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ହେଲେ ଏକ ରକ୍ତ ରଞ୍ଜିତ ଇତିହାସର ବିରାଟ ଅଧ୍ୟାୟର ଉନ୍ମୋଚନ ହେବ। ଏହା ଆମ ଦେଶର ଏକ ଗର୍ବିତ ଇତିହାସ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣରେ କହିଥିଲେ ଯେ ପାଇକ ବିଦ୍ରୋହ ଥିଲା ବ୍ରିଟିସ୍ ବିରୋଧରେ ଏକ ଗଣ ଆନ୍ଦୋଳନ। ସାରା ଓଡ଼ିଶା ଏଥିରେ ସାମିଲ୍‌ ହୋଇଥିଲା। ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଅନ୍ୟ ପାଇକ ବୀରମାନଙ୍କ ସ୍ମୃତି ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡ଼ିଆ ଜାତି ସ୍ବାଭିମାନୀ ଓ ବୀର ଜାତି। ବୀର ପାଇକମାନଙ୍କ ସାହସ ଏବଂ ଯୁଦ୍ଧ କୌଶଳ ଯୋଗୁ ଓଡ଼ିଆ ଜାତି ଦିନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲା। ସମ୍ରାଟ ଖାରବେଳ ଓ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଦିଗ୍‌ବିଜୟ ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଥିଲା। ବୀର ପାଇକମାନଙ୍କ ବୀରତ୍ବ ଯୋଗୁଁ ଓଡ଼ିଶା ୧୮୦୩ ପର୍ଯ୍ୟନ୍ତ ଅଜେୟ ରହିଥିଲା। ୧୮୧୭ରେ ଓଡ଼ିଆ ପାଇକ ହିଁ ବ୍ରିଟିସ ଶାସନ ବିରୋଧରେ ଦେଶର ପ୍ରଥମ ସଂଗ୍ରାମ ଆରମ୍ଭ କରିଥିଲେ। ପାଇକମାନଙ୍କର ଏହି ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସିଛି। ସେହିପରି ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବା ମଧ୍ୟ ଓଡ଼ିଶାର ଦାବି। ମୁଁ ଆଶା କରୁଛି ରାଷ୍ଟ୍ରପତି ଆମର ଦାବି ପ୍ରତି ସୁବିଚାର କରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ମିଳିତ ଭାବେ ପାଇକ ବିଦ୍ରୋହ ସ୍ମାରକୀର କାର୍ଯ୍ୟ ହାତକୁ ନେଇଛନ୍ତି। ସେଥିପାଇଁ ଭାରତ ସରକାରଙ୍କ ଦୁଇ ବିଭାଗର ମନ୍ତ୍ରୀଙ୍କୁ ଧନ୍ୟବାଦ। ଏହି ସ୍ମାରକୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି ଏବଂ ଅନ୍ୟ ସବୁ ଭିତ୍ତିଭୂମି ସୁବିଧା ମଧ୍ୟ ଯୋଗାଇ ଦେବେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଓଡ଼ିଆ ଜାତି କାହା ଦୟାରେ ନୁହେଁ, ଲଢେଇ କରି ସ୍ବୀକୃତି ପାଇବ। ପାଇକ ବିଦ୍ରୋହର ସ୍ମୃତିକୁ ଅମର ରଖିବା ପାଇଁ ବରୁଣେଇ ଠାରେ ଏକ ଭବ୍ୟ ସ୍ମାରକ ନିର୍ମାଣ ପାଇଁ ମୋଦି ସରକାର ୨୦୧୭ରେ ଘୋଷଣା କରିଥିଲେ। ୨୦୧୮ରେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହର ସଂଗ୍ରାମୀ ପୀଠ ବରୁଣେଇରେ ପାଇକ ବିଦ୍ରୋହର କର୍ଣ୍ଣଧାରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପାଇକ ବିଦ୍ରୋହର ଦୁଇ ଶତାବ୍ଦୀ ପାଳନ ନାଁରେ ବରେଣ୍ୟ ପାଇକ ବୀରଗଣଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କରି ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ଦେଇଛନ୍ତିି। କେବଳ ଏତିକି ନୁ‌େହଁ ପାଇକ ବିଦ୍ରୋହ ସ୍ମାରକ ମୁଦ୍ରା, ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ୫କୋଟି ଟଙ୍କା ବ୍ୟୟରେ ବକ୍ସି ଜଗବନ୍ଧୁ ଚେୟାରକୁ ଅୟମାରମ୍ଭ କରି ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ନେତୃତ୍ବରେ ଶୌର୍ଯ୍ୟ ପୂଣ୍ୟ ପାଇକ ବିଦ୍ରୋହକୁ ‘ଏନ୍‌ସିଇଆରଟି’ର ପାଠ୍ୟ ପୁସ୍ତକରେ ସମ୍ମିଳିତ କରାଯିବା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଶ୍ରୀ ପ୍ରଧାନ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବରୁଣେଇ ପାହାଡ଼ ପାଦଦେଶରେ ଏହି ସ୍ମାରକୀର ଶୁଭାରମ୍ଭ ହୋଇଯାଇଛି। ଏହି ସ୍ମାରକୀ ଆଗାମୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ଜାତିର ବିଜୟ ଗାଥାକୁ ବିଶ୍ବରେ ପ୍ରତିପାଦିତ କରିବ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍, କେନ୍ଦ୍ର ପଶୁପାଳନ ଓ ଏମ୍ଏସ୍‌ଏମ୍ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଦେବ ପ୍ରସାଦ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ସ୍ମାରକୀରେ ବୀର ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଏଠାରେ ପାଇକ ବିଦ୍ରୋହର ଲାଇଟ୍ ଆଣ୍ଡ ସାଉଣ୍ଡ୍‌ ସୋ’ ହେବ। ଏହା ସହ ଏକ ବିଶ୍ବସ୍ତରୀୟ ସଂଗ୍ରାହଳୟ ନିର୍ମାଣ କରିବାକୁ ଯୋଜନା ରହିଛି।

ସମ୍ବନ୍ଧିତ ଖବର