ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୭ଟା ୩୦ ମିନିଟ୍ରେ ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜଦୂତ୍’ରେ ଭୁବନେଶ୍ବର ବିମାନ ବନ୍ଦରରେ ରାଷ୍ଟ୍ରପତି କୋବିନ୍ଦ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ଜୁଏଲ୍ ଓରାମ୍, ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ, ପୁଲିସ ଡିଜି (ଅନ୍ତରୀଣ) ଡ. ସତ୍ୟଜିତ ମହାନ୍ତି, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ସ୍ବାଗତ କରିଥିଲେ।
ସେଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ସେ ରାଜଭବନ ଆସିଥିଲେ।
ଆସନ୍ତାକାଲି ପୂର୍ବାହ୍ନ ୧୦ଟା ବେଳେ ସେ ଖୋର୍ଧାର ବରୁଣେଇ ପୀଠ ଯିବେ। ସେଠାରେ ହେବାକୁ ଥିବା ପାଇକ ମେମୋରିଆଲ ଫାଉଣ୍ଡେସନର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ସିଧା ବାଣୀବିହାର ଆସି ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ ଜୁବୁଲିର ଉଦ୍ଯାପନୀ ଉତ୍ସବରେ ଯୋଗ ଦେବେ। ରାଜଭବନ ଫେରି କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ପ୍ରାୟ ୫ଟା ୨୦ରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ଏଥିପାଇଁ ବ୍ଲୁ-ବୁକ୍ ନିୟମ ଅନୁଯାୟୀ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ସୁରକ୍ଷା ଦାୟିତ୍ବ ଏସ୍ପିଜି ହାତରେ ରହିଛି। ରାଜ୍ୟ ପୁଲିସ କେବଳ ବାହ୍ୟ ସୁରକ୍ଷା ଯୋଗାଇ ଦେଉଛି। ଭୁବନେଶ୍ବରରୁ ବରୁଣେଇପୀଠ ପର୍ଯ୍ୟନ୍ତ ବ୍ୟାପକ ପୁଲିସ ମୁତୟନ ହେବା ସହ ରାସ୍ତା ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ଯିବା ସମୟରେ ଏହି ରାଜପଥକୁ ସଂଯୋଗ କରୁଥିବା କେତେକ ରାସ୍ତାର ଟ୍ରାଫିକ୍ କିଛି ସମୟ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/president-in-bhubaneswar.jpg)