‘ପୁରୀ ବିଦ୍ୟାନଗରୀ, ପୂର୍ବ ଭାରତର କାଶୀ’

ଫେରିଲେ ରାଷ୍ଟ୍ରପତି

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ, ଦେଶବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା
ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ
ଦକ୍ଷତା ବିକାଶ ପ୍ରତିଷ୍ଠାନର ଶିଳାନ୍ୟାସ
ଆଇସିଟି-ଇଣ୍ଡିଆନ୍‌ ଅଏଲ୍‌ କ୍ୟାମ୍ପସ୍‌ ଉଦ୍‌ଘାଟନ
ନବକଳେବର ସ୍ମାରକୀ ମୁଦ୍ରା ଉନ୍ମୋଚନ

ଭୁବନେଶ୍ୱର/ପୁରୀ : ଦୁଇଦିନିଆ ଗସ୍ତ ସାରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅପରାହ୍ନ ସାଢେ ପାଞ୍ଚଟା ସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓଡ଼ିଶାରେ ୩୧ ଘଣ୍ଟା ରହଣି ଭିତରେ ଗତକାଲି କଟକ ଆନନ୍ଦ ଭବନ ସଂଗ୍ରହାଳୟ, ଜ୍ଞାନ କେନ୍ଦ୍ର ଜନାର୍ପିତ କରିବା ଠାରୁ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, ପୁରୀରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକ ସମାରୋହରେ ଯୋଗଦାନ, ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ, ଦକ୍ଷତା ବିକାଶ ପ୍ରତିଷ୍ଠାନର ଶିଳାନ୍ୟାସ ଯାଏଁ ସାତଟି ବ଼ଡ଼ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପୁରୀକୁ ବିଦ୍ୟା ନଗରୀ ବୋଲି ଅଭିହିତ କରିଥିଲେ ଓ ନିଜର ବକ୍ତବ୍ୟରେ ଏହାକୁ ପୂର୍ବ କ୍ଷେତ୍ରର କାଶୀ ବୋଲି ଚିତ୍ରଣ କରିଥିଲେ। କେବଳ ସେତିକି ନୁହେଁ, ରାଷ୍ଟ୍ରପତି ଏକଥା ବି କହିଥିଲେ, ଭେଦଭାବକୁ ଭୁଲି ପ୍ରଭୁ ଶ୍ରୀଜଗନ୍ନାଥ ସ୍ୱୟଂ ଶ୍ରୀମନ୍ଦିର ବାହାରକୁ ଆସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାର ପର୍ବ ଅର୍ଥାତ୍‌ ରଥଯାତ୍ରା ଶାନ୍ତି, ପ୍ରଗତି, ସଦ୍‌ଭାବନା, ବିଶ୍ୱବନ୍ଧୁତାର ମୂଲ୍ୟବୋଧକୁ ବୁଝାଉଛି। ସେହିଭଳି ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ନୀଳକଣ୍ଠ ଦାସଙ୍କ ଭଳି ମହାପୁରୁଷଙ୍କ ସ୍ମରଣ କରିଥିଲେ। ୨୦୦ ବର୍ଷ ତଳେ ଇଂରେଜଙ୍କ ବିରୋଧରେ ଲଢ଼ି ଜୟୀ ରାଜଗୁରୁ ଯେଉଁ ବଳିଦାନ ଦେଇଥିଲେ, ତାହା ଚିରନମସ୍ୟ ବୋଲି କହିଥିଲେ।

ଅରଗୁଳରେ ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରବର୍ତାଇଥିଲେ। ଛାତ୍ରଛାତ୍ରୀମାନେ ଗବେଷଣା ଉପରେ ଧ୍ୟାନ ଦେବା ଲାଗି ପରାମର୍ଶ ଦେଇଥିଲେ। ଦକ୍ଷତା ବିକାଶ ପ୍ରତିଷ୍ଠାନର ଶିଳାନ୍ୟାସ ଓ ଆଇସିଟି-ଇଣ୍ଡିଆନ୍‌ ଅଏଲ୍‌ କ୍ୟାମ୍ପସ୍‌ ଉଦ୍‌ଘାଟନ ଅବସରରେ ସେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଶଂସା ମଧ୍ୟ କରିବାକୁ ଭୁଲିନଥିଲେ।

ରାଜଭବନରେ ବିଜେପି, ସମାଜବାଦୀ ପାର୍ଟି ସମେତ ୭ଟି ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଭେଟିବା, ହାଇକୋର୍ଟ ବିଚାରପତିଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ଘଟଣା ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଚର୍ଚ୍ଚାରେ ରଖିଥିଲା।

ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ଭୁବନେଶ୍ୱର ବିମାନ ବନ୍ଦର ଛାଡ଼ିବା ପୂର୍ବରୁ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ବିଦାୟ ମାଗିଥିଲେ।

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଅବସରରେ ପୁରୀରେ ନବକଳେବର ସ୍ମାରକୀ ମୁଦ୍ରା ଉନ୍ମୋଚିତ ହୋଇଥିଲା। ହଜାରେ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରାରେ ଶ୍ରୀଜିଉଙ୍କ ନବକଳେବର ଚିତ୍ର ଥାଇ ଏହି ମୁଦ୍ରା ପ୍ରସ୍ତୁତ ହୋଇଛି। ଏଥିରେ ଥିବା ୧୦ ଟଙ୍କିଆ ମୁଦ୍ରା ସାଧାରଣ ବ୍ୟବହାର ପାଇଁ ମଧ୍ୟ ପ୍ରଚଳନ ହେବ ବୋଲି ସୂଚନା ମିଳିଛି। ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ଅବସରରେ ଏହି ସ୍ମାରକୀ ମୁଦ୍ରା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏନେଇ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରି ମୁଦ୍ରାର ରୂପରେଖ ପ୍ରସ୍ତୁତ କରିଥିଲେ।

ପରେ ପୁରୀ ପେଣ୍ଠକଟାଠାରେ ରାଷ୍ଟ୍ରୀୟ ସଂସ୍କୃତି ସଂସ୍ଥାର ଶତବାର୍ଷିକ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଥିଲେ, ସଂସ୍କୃତ ଉପରେ ଜ୍ଞାନ ଆହରଣ କରୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଇଂରାଜୀ, ସଂସ୍କୃତ ଓ ହିନ୍ଦୀ ଭଳି ତିନୋଟି ଭାଷାରେ ପ୍ରବୀଣ। ଅଧିକରୁ ଅଧିକ ଭାଷା ବୁଝିବା, ଜାଣିବା ଓ କହିବା ଗୁଣ ଆମ ଭିତରେ ବୃଦ୍ଧି ପାଇବା ଉଚିତ। ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ୧୯୧୮ ମସିହାରେ ମହାବିଦ୍ୟାଳୟର ମାନ୍ୟତା ପାଇଥିଲା ଓ ୧୯୭୧ ମସିହାରେ ଏହା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ସହ ଯୋଡ଼ି ହୋଇଥିଲା। କିନ୍ତୁ ଜଣାଯାଏ, ମହାବିଦ୍ୟାଳୟ ମାନ୍ୟତା ପାଇବା ପୂର୍ବରୁ ଅର୍ଥାତ୍‌ ୧୮୬୫ ମସିହାରୁ ଏଠାରେ ସଂସ୍କୃତ ଭାଷା ଉପରେ ଶିକ୍ଷା ଦିଆଯାଇଆସୁଛି। ସଂସ୍କୃତ ଭଳି ଭାଷାର ପ୍ରଚାର ପ୍ରସାର ଭଳି ମହତ ଦିଗରେ ଚେଷ୍ଟିତ ଥିବାରୁ ପୁରୀ ମହାରାଜା ଓ ସଂସ୍ଥାନର କର୍ମକର୍ତାଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଥିଲେ।

ରାଷ୍ଟ୍ରପତି କହିଥିଲେ, ଦେଶର ୪ ଧାମ ମଧ୍ୟରୁ ପୁରୀ ଅନ୍ୟତମ। ଆଦି ଶଙ୍କରାଚାର୍ଯ୍ୟ ଏଠାକାର ପୀଠାଧୀଶ। ପୁରୀ ଜ୍ଞାନବିଜ୍ଞାନ ଭଳି ପରମ୍ପରା ସହ ଯୋଡ଼ି ହୋଇଥିବାରୁ ଏହାକୁ ବିଦ୍ୟାନଗରୀ ବୋଲି କୁହାଯାଏ। ଭାରତବାସୀଙ୍କ ମନରେ ଏଠାର ରଥଯାତ୍ରା ପ୍ରତି ବିଶେଷ ଆକର୍ଷଣ ରହିଛି।

ରାଷ୍ଟ୍ରପତି ଏକଥା ବି କହିଥିଲେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ଦେଶବାସୀଙ୍କ ପାଇଁ ମଙ୍ଗଳ କାମନା କରିଥିଲେ। ଦର୍ଶନ ସମୟରେ ପିଲାବେଳର କିଛି ତଥ୍ୟ ଜାଣିବାକୁ ପାଇଥିଲେ। ୧୯୪୭ ଅକ୍ଟୋବର ୯ରେ ମୋର ବାପା ଶ୍ରୀମନ୍ଦିରକୁ ଆସିଥିଲେ। ସେତେବେଳେ ବାପା କରିଯାଇଥିବା ଦସ୍ତଖତକୁ ଦେଖି ମୋତେ ଆଶ୍ଚର୍ଯ୍ୟ ବି ଲାଗିଥିଲା। ଏହାକୁ ମୁଁ ମୋର ସୌଭାଗ୍ୟ ମନେ କରୁଛି କି ଯେଉଁ ସମୟରେ ମୋତେ ପ୍ରାୟ ଦେଢ଼ ବର୍ଷ ହୋଇଥିଲା, ସେ ସମୟରେ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନକୁ ମୁଁ ଆସିଥିଲି। ଆଉ ଓଡ଼ିଶାକୁ ଆସିବା ପରେ ପ୍ରଥମେ ମୁଁ ଯେଉଁ ମନ୍ଦିରକୁ ଯାଇଛି, ତାହା ହେଉଛି ଶ୍ରୀମନ୍ଦିର। ଏହାକୁ ବି ମୁଁ ମୋର ସୌଭାଗ୍ୟ ମନେ କରୁଛି।

ସଂସ୍କୃତ ଭାଷା ଉପରେ ରାଷ୍ଟ୍ରପତି କହିଥିଲେ, ଗବେଷକମାନେ ସଂସ୍କୃତ ଭାଷାକୁ ଆଦିଭାଷା ଭାବେ ମାନୁଛନ୍ତି। ବେଦ, ଉପନିଷଦ, ପୁରାଣ ଆଦି ସଂସ୍କୃତ ଭାଷାକୁ ସମୃଦ୍ଧ କରିଛି। ପ୍ରାଚୀନ କାଳରେ କଥୋପକଥନର ମାଧ୍ୟମ ସଂସ୍କୃତ ଭାଷା ଥିଲା ବୋଲି ଏହା ପ୍ରତିପାଦିତ କରୁଛି। ସାରା ବିଜ୍ଞାନ ସଂସ୍କୃତ ଭାଷା ଆଧାରିତ। ଏହା କେବଳ ସାହିତ୍ୟ ନୁହେଁ, କଳା, ବିଜ୍ଞାନର ଭାଷା। ମାନବିକତା ବଞ୍ଚାଇ ରଖିବାର ମୂଲ୍ୟବୋଧକୁ ସଂସ୍କୃତ ଭାଷା ଆଗକୁ ବଢ଼ାଇଛି। ଏସିଆ, ୟୁରୋପ, ଆମେରିକା ଭଳି ଦେଶରେ ବି ସଂସ୍କୃତ ଭାଷା ଉପରେ ଗବେଷଣା କରାଯାଉଛି। ଏଣୁ ସଂସ୍କୃତ ଭାଷା ଉପରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନିଜକୁ ଗୌରବାନ୍ଵିତ ମନେ କରିବା କଥା।

ମୁଖ୍ୟବକ୍ତା ଗଜପତି ମହାରାଜ ଦିବ୍ୟସିଂହ ଦେବ ବେଦ ବିଜ୍ଞାନ ଦ୍ଵାରା ଜଣେ ପ୍ରଭାବଶାଳୀ ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ସେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନକୁ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଦାବି ରଖିଥିଲେ। ସଂସ୍ଥାନର କୁଳପତି ପ୍ରଫେସର ରାମେଶ୍ୱର ନାରାୟଣ ଶାସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶତବାର୍ଷିକ ଉତ୍ସବ ଜାତୀୟ ସଂଗୀତରୁ ଆରମ୍ଭ ହୋଇଥିଲା। ସଂସ୍ଥାନର ଅଧ୍ୟକ୍ଷ ପ୍ରଫେସର ଅତୁଲ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ମଞ୍ଚରେ ଉପସ୍ଥିତ ରାଜ୍ୟପାଳ ଏସ୍‌ ସି ଜମିର୍‌, ଗଜପତି ମହାରାଜ ଦିବ୍ୟସିଂହ ଦେବ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୀତଗୋବିନ୍ଦ ଖଣ୍ଡୁଆ ଓ ସ୍ମୃତିଫଳକ ଦେଇ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର