୨୩ରୁ ପୁଲିଂ ଓ ପ୍ରିଜାଇଡିଂ ଅଫିସରଙ୍କୁ ଟ୍ରେନିଂ

ଭୁବନେଶ୍ବର : ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଦ୍ବିତୀୟ ଓ ଶେଷ ପର୍ଯ୍ୟାୟରେ ପୁଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସମସ୍ତ ଜିଲ୍ଲାରେ ୨୩ ତାରିଖରେ ପ୍ରଶିକ୍ଷଣ ଆରମ୍ଭ ହୋଇ ୨୭ ତାରିଖରେ ‌ଶେଷ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ସେହିଭଳି ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଏପ୍ରିଲ ୧ରୁ ଆରମ୍ଭ ହୋଇ ଏପ୍ରିଲ ୨୦ ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି।୧୧ ତାରିଖରେ ମତଦାନ ହେବାକୁ ଥିବା ଜିଲ୍ଲା କଳାହାଣ୍ଡି, ନବରଙ୍ଗପୁର ବ୍ରହ୍ମପୁର ଓ କୋରାପୁଟରେ ଶେଷ ପର୍ଯ୍ୟାୟ ପ୍ରଶିକ୍ଷଣ ଏପ୍ରିଲ ୧ ତାରିଖରୁ ୫ ତାରିଖ ଭିତ‌ରେ କରିବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ୧୮ ତାରିଖରେ ମତଦାନ ହେବାକୁ ଥିବା ଜିଲ୍ଲା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କାରେ ୨ ତାରିଖରୁ ୬ ମଧ୍ୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ରହିଛି। ୨୩ ତାରିଖରେ ମତଦାନ ହେବାକୁ ଥିବା ଜିଲ୍ଲା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବରରେ ୧୧ରୁ ୧୫ ଭିତରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ୨୯ ତାରିଖରେ ମତଦାନ ହେବାକୁ ଥିବା ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୧୬ରୁ ୨୦ ତାରିଖ ମଧ୍ୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର