କନ୍ଧମାଳରେ ମାଓ ହମ୍‌ଲା ଯୋଜନା : ବାଲିଗୁଡ଼ାରେ ପ୍ରେସର ବୋମା ବିସ୍ଫୋରଣ

ଫୁଲବାଣୀ : ଏପଟେ କନ୍ଧମାଳ ପୁଲିସ ନିକଟରେ ଆଜି ମହିଳା ମାଓବାଦୀ ପିଙ୍କି ଆତ୍ମସମର୍ପଣ କରିଥିବା ବେଳେ ସେପଟେ ମାଓବାଦୀଙ୍କ ବଡ଼ ଧରଣର ହମ୍‌ଲା ଯୋଜନା ପଣ୍ଡ ହୋଇଯାଇଛି। ବାଲିଗୁଡା ଥାନା ଅଧୀନ ଖମଣଖୋଲ ପଞ୍ଚାୟତ ନିକଟ ସିଆର୍‌ପିଏଫ୍‌ କ୍ୟାମ୍ପ ନିକଟରେ ମାଓବାଦୀ ଖଂଜିଥିବା ପ୍ରେସର ବୋମା ଫୁଟିଛି। ଏଥିରେ ପାଖ ଗ୍ରାମବାସୀ ଓ ଚରୁଥିବା ଗୋରୁଗାଈ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଆଜି ସକାଳେ ସେହି ବାଟ ଦେଇ ଗାଈ ଗୋରୁ ପଲ ଚରିବାକୁ ଜଙ୍ଗଲକୁ ଯାଉଥିଲେ। ସାଙ୍ଗରେ ଗାଈ ଚରାଳି ଥିବାବେଳେ ବହୁ ଗ୍ରାମବାସୀ ବି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ଥିଲେ। ଏ ସମୟରେ ପ୍ରେସର ବୋମାଟି ଫୁଟିଥିଲା। ସମସ୍ତେ ଆତଙ୍କିତ ଅବସ୍ଥାରେ ଛତ୍ରଭଙ୍ଗ ଦେଇ ସେଠାରୁ ଦୌଡିଥିଲେ। କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳି ଯାଇଥିଲା। ସେଠାରେ ମାଓ ବ୍ୟାନର ଓ ପୋଷ୍ଟର ମଧ୍ୟ ଲାଗିଥିବା ଦେଖିବାକୁ ମିଳିଥିଲା। ମାଓବାଦୀ ପ୍ରେସର ବୋମା ଖଂଜିଥିବା କଥାକୁ ଏସପି ପ୍ରତୀକ ଗୀତା ସିଂ ସ୍ବୀକାର କରିଛନ୍ତି। ଘଟଣା ପରେ ପୁଲିସ ସେଠାକୁ ଯାଇଛି। ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ବୋଲି ସେ କହିଛନ୍ତି। ନିର୍ବାଚନ ଭଣ୍ଡୁର କରିବା ନିମନ୍ତେ ମାଓବାଦୀ ବିଭିନ୍ନ ଯୋଜନା ଚଳାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର