୭ରୁ ଆନ୍ଦୋଳନକୁ ଓହ୍ଲାଇବେ ୫୦ହଜାର ପ୍ରାଥମିକ ଶିକ୍ଷକ

ଭୁବନେଶ୍ବର : ଆସନ୍ତା ୭ତାରିଖରୁ ରାଜ୍ୟର ୫୦ରୁ ଅଧିକ ପ୍ରାଥମିକ ସ୍କୁଲର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବେ‌ାଲି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ କହିଛି। ଆଜି ଶ୍ରମିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ବ୍ରହ୍ମାନନ୍ଦ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ୬ବର୍ଷରେ ଠିକା କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରୁଥିଲେ ହେଁ ସେମାନଙ୍କୁ ସୁରକ୍ଷିତ ଚାକିରି ସର୍ତ୍ତବଳୀ ଦେଉନାହାନ୍ତି। ତେଣୁ ୯ଦଫା ଦାବି ନେଇ ୫୦ହଜାରରୁ ଅଧିକ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ଘେରାଉ କରିବେ ବୋଲି ଶ୍ରୀ ଜେନା କହିଛନ୍ତି।

ସଂଘ ପକ୍ଷରୁ କୁହାଯାଇଛି ଯେ, ଦେଶର ୨୪ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ଦରମା ୯୩୦୦ଟଙ୍କା ସହ ଗ୍ରେଡ୍ ପେ ୪୨୦୦ଟଙ୍କା ଦେଇ ସପ୍ତମ ବେତନ କମିସନକୁ ସଂ‌େଶାଧନ କରାଯାଇଛି। ହେଲେ ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ଦରମା ୫,୨୦୦ଟଙ୍କା ସହ ଗ୍ରେଡ୍ ପେ ୨୨୦୦ଟଙ୍କା ଦେଇ ସପ୍ତମ ବେତନ କମିସନ ସଂଶୋଧନ କରାଯାଇଥିବାରୁ ଅନ୍ୟ କର୍ମଚାରୀଙ୍କ ବେତନ ତୁଳନାରେ ପ୍ରାଥମିକ ଶିକ୍ଷକମାନେ କମ୍‌ ଦରମା ପାଉଛନ୍ତି। ତେଣୁ ପ୍ରାଥମିକ ଶିକ୍ଷକଙ୍କ ଦରମାକୁ ୨୮୦୦ଟଙ୍କା ଗ୍ରେଡ୍‌ ପେ ଦେଇ ୧.୧.୨୦୧୬ରୁ ଲାଗୁ କରାଯାଉ ଓ କ୍ୟାଡର ସଂଶୋଧନ କରାଯାଉ ଭଳି ଦାବି ରହିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର