କଟକରେ ବିଜେପିର ଜନକଲ୍ୟାଣ ସମାବେଶ : ହିସାବ ରଖିଲେ ମୋଦି

କୁଶାସନରୁ ସୁଶାସନ, କଳାଧନ ବଦଳରେ ଜନଧନ; ଦ୍ୱନ୍ଦ୍ୱାତ୍ମକ ନୁହେଁ, ପ୍ରତିବଦ୍ଧ ସରକାର

କଟକ : ଦେଶ ସଙ୍କଟରୁ ସିଦ୍ଧି ଦିଗରେ ଗତି କରୁଛି। ପରିବାରକୁ ପ୍ରଥମରେ ରଖି ୪୮ ବର୍ଷ ଧରି ଦେଶକୁ ଶାସନ କରୁଥିବା ସରକାରର ଅନ୍ତ ଘଟିଛି। ସମସ୍ତଙ୍କ ସହଯୋଗରେ ସମସ୍ତଙ୍କ ବିକାଶର ଯାତ୍ରା ଗଲା ୪୮ ମାସ ହେଲା ଦେଶରେ ଆରମ୍ଭ ହୋଇଛି। ଅଧାଅଧୁରା ବ୍ୟବସ୍ଥାର ପରିସମାପ୍ତି ଘଟିଛି। ଦେଶର ବିକାଶର ଧାରା ଠିକ୍‌ ଦିଗରେ ତ୍ୱରାନ୍ଵିତ ବେଗରେ ଗତି କରୁଛି।

କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ଚାରି ବର୍ଷ ପୂର୍ତ୍ତି ଅବସରରେ କଟକରେ ଆୟୋଜିତ ଜନକଲ୍ୟାଣ ସମାବେଶରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସର କାର୍ଯ୍ୟକଳାପକୁ ଏଭଳି ଢଙ୍ଗରେ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଏଥିସହ ନିଜ ସରକାରର ବିଭିନ୍ନ କାର୍ଯ୍ୟକ୍ରମର ହିସାବ ଦେଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରକୁ କେବଳ ମହାନଦୀ ପ୍ରସଙ୍ଗ ଏବଂ ଜଳସେଚନ ସମସ୍ୟା ଭଳି କିିଛି କଥାରେ ଆକ୍ଷେପ କରି ପ୍ରଧାନମନ୍ତ୍ରୀ ନିଜ ସମାଲୋଚନାକୁ ସୀମିତ କରିଛନ୍ତି।

କଟକର ବାଲିଯାତ୍ରା ପଡ଼ିଆରେ ଆଜି ଅପରାହ୍ନରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ‘ଜୟ ଜଗନ୍ନାଥ’ ନାରା ଏବଂ ଓଡ଼ିଆ ଭାଷାରେ କଟକର ପବିତ୍ର ମାଟିକୁ ପ୍ରଣାମ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଶ୍ରୀ ମୋଦି ନିଜ ସରକାରର ସଫଳତା ବଖାଣିବାକୁ ଯାଇ କହିଥିଲେ ଯେ ଅବ୍ୟବସ୍ଥାରୁ ବ୍ୟବସ୍ଥା, କୁଶାସନରୁ ସୁଶାସନ ଏବଂ କଳାଧନରୁ ଜନଧନ ଦିଗରେ ଏବେ ଭାରତ ଗତି କରୁଛି। ଦେଶକୁ ଭ୍ରଷ୍ଟାଚାରରୁ ମୁକ୍ତି ମିଳିଛି। ଦ୍ୱନ୍ଦ୍ୱାତ୍ମକ ନୁହେଁ, ପ୍ରତିବଦ୍ଧ ସରକାର ଚାଲିଛି।

ପ୍ରଧାନମନ୍ତ୍ରୀ କହିଥିଲେ, ୩ ହଜାରରୁ ଅଧିକ ଦୁର୍ନୀତିଖୋର ସଂସ୍ଥା ଓ ବ୍ୟକ୍ତିଙ୍କ ଉପରେ ଚଢ଼ଉ କରାଯାଇ ସରକାର ୫୩ ହଜାର କୋଟି ଟଙ୍କାର ସଂପତ୍ତି ଜବତ କରିଛନ୍ତି। ୪୩ ହଜାର କୋଟି ଟଙ୍କାର ଆୟକର ଫାଙ୍କି ଉପରେ ଅଙ୍କୁଶ ଲାଗିଛି। ୮୫ ପ୍ରତିଶତ ଗ୍ରାମକୁ ସଡ଼କ ସଂଯୋଗ ହୋଇଛି। ଆସନ୍ତାବର୍ଷ ଏହା ଶହେ ପ୍ରତିଶତରେ ପହଞ୍ଚିବ। ପୂର୍ବରୁ ଦେଶରେ ୬ କୋଟି ଶୌଚାଳୟ ଥିବାବେଳେ ଗଲା ୪ ବର୍ଷ ଭିତରେ ସାଢ଼େ ସାତ କୋଟି ଶୌଚାଳୟ ନିର୍ମାଣ ହୋଇଛି। ପୂର୍ବରୁ ୧୩ କୋଟି ଏଲ୍‌ପିଜି ସଂଯୋଗ ଥିବାବେଳେ ମାତ୍ର ଗଲା ୪ ବର୍ଷରେ ୧୦ କୋଟି ଏଲ୍‌ପିଜି ସଂଯୋଗ ହୋଇଛି। ସେଥିରେ ଓଡ଼ିଶାର କେବଳ ୨୫ ଲକ୍ଷ ପରିବାର ଉପକୃତ ହୋଇଛନ୍ତି। ୧୮ କୋଟି ଘରକୁ ବିଜୁଳି ଏବଂ ୪ କୋଟି ଘରକୁ ମାଗଣା ବିଜୁଳି ସଂଯୋଗ ଦିଆଯାଇଛି।

ଅଟଳ ପେନସନ୍‌ ଯୋଜନା, ଫସଲ ବୀମା ଯୋଜନାରେ ଦେଶର କୃଷକ ଉପକୃତ ହୋଇଛନ୍ତି ବୋଲି ସୂଚାଇ ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବରୁ ୫୩ ପ୍ରତିଶତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଥିବାବେଳେ ଗଲା ୪ ବର୍ଷ ଭିତରେ ଏହା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି। ୧୪ ଶହ ପୁରୁଣା ଆଇନର ପରିବର୍ତ୍ତନ ହୋଇଛି। ପାସପୋର୍ଟ, ଆୟକର ଦାଖଲ, କମ୍ପାନି ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ସହଜ, ସରଳ ଓ କମ ସମୟସାପେକ୍ଷ ହୋଇଛି। ଜିଏସ୍‌ଟି ପ୍ରଚଳନ ଫଳରେ ରାଜପଥରେ ଟ୍ରାଫିକ ଜାମ୍‌ ହ୍ରାସ ପାଇଛି। ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୩୬ରୁ ୯୦କୁ ହ୍ରାସ ପାଇଛି। ସବୁ ଗରିବଙ୍କ ପାଇଁ ଘର ଦେବାକୁ ୨୦୨୨ର ଲକ୍ଷ୍ୟ ରହିଛି।

କୃଷକର ଆୟ ଦୁଇ ଗୁଣ କରିବାକୁ ଯୋଜନା କାର୍ଯ୍ୟକାରୀ ହେଉଛି। ଏଲ୍‌ଇଡି ଲାଇଟ୍‌ ଯୋଜନାରେ ୪୦ ହଜାର କୋଟିର ବିଦ୍ୟୁତ୍‌ ଦେୟ ସଂଚୟ ହୋଇପାରିଛି। ୩ ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ଖୋଲିଛି। ସଂପୂର୍ଣ୍ଣ ସ୍ୱଚ୍ଛ ଭାରତ ଦିଗରେ ଦେଶ ଅଗ୍ରସର ହେଉଛି। ଦେଶରେ ପୂର୍ବରୁ ୭୫ଟି ବିମାନ ବନ୍ଦର ଥିବାବେଳେ ୪ ବର୍ଷ ଭିତରେ ୨୫ଟି ନୂଆ ବିମାନ ବନ୍ଦର ଲୋକାର୍ପିତ ହୋଇଛି। ରେଳଠାରୁ ଅଧିକ ଲୋକ ବିମାନରେ ଯାତ୍ରା କରିବାକୁ ଆରମ୍ଭ କରିଛନ୍ତି। ଦେଶରେ ପୁଞ୍ଜି ନିବେଶ ବଢ଼ିଛି। ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସମଗ୍ର ଦେଶର ସାମଗ୍ରିକ ବିକାଶ ହୋଇଛି। ପୂର୍ବରୁ ଅବହେଳିତ ହୋଇ ଆସିଥିବା ଉତ୍ତରପୂର୍ବ ରାଜ୍ୟ ବି ଏହି ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।

ପୂର୍ବରୁ ଦେଶରେ ଚାଲିଥିବା କଂଗ୍ରେସର ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ପାରିବାରିକ ଶାସନ ବଦଳରେ ଗଲା ୪ ବର୍ଷ ଭିତରେ ଉତ୍ତମ ପ୍ରଶାସନ ଦେଇପାରିଥିବା ସରକାର ଚାଲିଛି। ଜନପଥର ସରକାର ବଦଳରେ ଜନମତର ସରକାର ଚାଲିଛି। ସେଥିପାଇଁ ଗଲା ୪ ବର୍ଷ ଭିତରେ ୪ଟି ରାଜ୍ୟରୁ ବଢ଼ି ଏବେ ଦେଶର ୨୦ଟି ରାଜ୍ୟରେ ବିଜେପି ସରକାରରେ ଅଛି। ପଞ୍ଚାୟତରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ବିଜେପି ଦେଶର ସର୍ବବୃହତ୍‌ ଦଳ ହୋଇପାରିଛି। ଦେଶର ଜନତାଙ୍କ ବିଶ୍ୱାସ ଜିତିବା ସହ ହୃଦୟରେ ସ୍ଥାନ ପାଇ ପାରିଛି। ନିଜକୁ ବଂଚାଇବା ପାଇଁ ଏବେ ବିଭିନ୍ନ ଦଳ ବିଜେପି ବିରୋଧରେ ଏକାଠି ହେଉଥିଲେ ବି ଜନତାଜନାର୍ଦ୍ଦନ ତାହାକୁ ସଫଳ ହେବାକୁ ଦେବେ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି।

ଶ୍ରୀ ମୋଦି ପାଖାପାଖି ୪୫ ମିନିଟ ବିଳମ୍ବରେ ସଭାମଞ୍ଚରେ ପହଞ୍ଚିଥିଲେ। ଅପରାହ୍ନ ୪ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଶ୍ରୀ ମୋଦି ହେଲିକପ୍ଟରରେ ଅପରାହ୍ନ ପ୍ରାୟ ୪ଟା ୪୫ରେ ଆସି ତଳ ବାଲିଯାତ୍ରା ପଡ଼ିଆରେ ଅବତରଣ କରିଥିଲେ। ଶ୍ରୀ ମୋଦି ମଞ୍ଚରେ ପହଞ୍ଚିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ସୌଦ୍ଦାନ ସିଂହ, ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ, ସୁରେଶ ପୂଜାରି, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ପ୍ରତାପ ଷଡ଼ଙ୍ଗୀ, ବିଷ୍ଣୁ ସେଠୀ, ସୁରମା ପାଢୀ, ସନ୍ଦୀପ ପାତ୍ର, ବିଧାୟକ ରାଧାରାଣୀ ପଣ୍ଡା, ପ୍ରଦୀପ କୁମାର ପୁରୋହିତ, ପୂର୍ବତନ ମନ୍ତ୍ରୀ ସମୀର ଦେ, ନୟନ ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ମିହିରି ଦାସଙ୍କ ସମେତ ବହୁ ବରିଷ୍ଠ ନେତା ଉଦବୋଧନ ଦେଇ ରାଜ୍ୟରେ ବିଜେଡି ସରକାର ଓ କଂଗ୍ରେସର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର