ଠକେଇର ଶିକାର ମହିଳା ଗ୍ୟାସ୍‌ ପାଇବେ କେବେ?

ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ମହାଦୁର୍ନୀତି

ରାଜନଗର: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିବା ଦର୍ଶାଇ ସେମାନଙ୍କ ଗ୍ୟାସ ଓ ଚୁଲା ଲୁଟି ନିଆଯାଇଛି। ରାଜନଗର ବ୍ଲକ୍‌ର ପ୍ରାୟ ସବୁ ଗାଁରେ ଠକେଇର ଶିକାର ହୋଇଥିବା ମହିଳା ରହିଛନ୍ତି। ଇଣ୍ଡିଆନ ଅଏଲ ସଂପୃକ୍ତ ବିତରକଙ୍କୁ ନିଲମ୍ବିତ କରି ଚୁପ୍‌ ବସିଥିବାବେଳେ ଏପଟେ ଠକେଇର ଶିକାର ହୋଇଥିବା ମହିଳାଙ୍କ ତାଲିକା ଲମ୍ବିବାରେ ଲାଗିଛି। ଠକେଇର ଶିକାର ହୋଇଥିବା ମହିଳା ସେମାନଙ୍କ ଗ୍ୟାସ ସଂଯୋଗ କେବେ ପାଇବେ, ସେମାନଙ୍କୁ କେଉଁ ବିତରକ ଗ୍ୟାସ ସଂଯୋଗ ଦେବେ, ସେ ନେଇ ଅନ୍ଧାରରେ ରହିଛନ୍ତି।

ଏହି ମହିଳାଙ୍କ ମଧ୍ୟରୁ ଜଣେ ହେଲେ, ରାଜନଗର ବ୍ଲକ ଜୁନୁସନଗର ଗାଁର ନିଶାକର ମାଇତିଙ୍କ ସ୍ତ୍ରୀ କଳ୍ପନା ମାଇତି। କଳ୍ପନାଙ୍କ ନାଁରେ ୨୦୧୭ ଜୁନ୍‌ରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ଉଠିସାରିଛି। ସେ ଗ୍ୟାସ ପାଇ ନଥିବା ବେଳେ ତାଙ୍କ ନାଁରେ କିପରି ଉଠିଲା ଓ କିଏ ଲୁଟିନେଲା, ସେ ନେଇ ସନ୍ଦିହାନରେ ଅଛିନ୍ତ। ଚୁଲି ପାଖରେ ବସି ଏବେ ବି ସେ ନିଆଁ, ଧୂଆଁରେ ରୋଷେଇ କରୁଥିବାବେଳେ ତାଙ୍କ ନାଁରେ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ ଦର୍ଶାଇ ଗ୍ୟାସ ଭର୍ତି ଟାଙ୍କି, ଚୁଲା, ରେଗୁଲେଟର୍‌ ଓ ପାଇପ୍‌ ଲୁଟି ନିଆଯାଇଥିବା ନେଇ କଳ୍ପନା ଅଭିଯୋଗ କରିଛନ୍ତି। ଏଣ୍ଡୁଳାପୁର ଗାଁର ଚନ୍ଦ୍ରମା ଦାସଙ୍କ ନାଁରେ ବର୍ଷକ ତଳୁ ଉଜ୍ଜଳା ଗ୍ୟାସ ସଂଯୋଗ ଉଠିସାରିଛି। ମାତ୍ର ଆଜିଯାଏଁ ଚନ୍ଦ୍ରମା ଗ୍ୟାସ ସଂଯୋଗ ପାଇ ନଥିବା ବେଳେ ଚୁଲି ଧୂଆଁରେ ରୋଷେଇ କରୁଛନ୍ତି। ଗୋବର୍ଦ୍ଧନପୁର ଗାଁର ପ୍ରେମଲତା ବିଶ୍ୱାଳଙ୍କ ଠାରୁ ୯ମାସ ତଳୁ ଜୁଣପାଙ୍ଗରା ଉପକେନ୍ଦ୍ରର ଜଣେ ଯୁବକ ଗ୍ୟାସ ସଂଯୋଗ ଦେବାପାଇଁ କାଗଜପତ୍ର ଆଣିଥିଲେ। କାଗଜପତ୍ର ସହିତ ୫ଶହ ଟଙ୍କା ଦେଇଥିଲେ। ମାତ୍ର ଆଜିଯାଏଁ ପ୍ରେମଲତା ଗ୍ୟାସ ସଂଯୋଗ ପାଇନାହାନ୍ତି। କିନ୍ତୁ ୯ମାସ ତଳୁ ଉଜ୍ଜଳା ଯୋଜନାରେ ତାଙ୍କ ନାଁରେ ଗ୍ୟାସ ଓ ଚୁଲା ଉଠାଇ ନିଆଯାଇଛି। କେବଳ କଳ୍ପନା, ଚନ୍ଦ୍ରମା ଓ ପ୍ରେମଲତା ନୁହନ୍ତି, ଗୋବର୍ଦ୍ଧନପୁର ଗାଁର ଅଳି ରାଉତ, ସଜନୀ ରାଉତ, ହାତିନା ଗାଁର ମମତା ସାହୁ, କମଳା ରାଉତ, ମୌନାବତୀ ରାଉତ, ଚାରୁଲତା ରାଉତ, ହୀରା ସାହୁ ପ୍ରମୁଖ ଶହ ଶହ ମହିଳାଙ୍କ ନାଁରେ ଉଜ୍ଜଳା ଗ୍ୟାସ ସଂଯୋଗ ଦର୍ଶାଯାଇ ସେମାନଙ୍କ ଗ୍ୟାସ ଓ ଚୁଲା ଲୁଟି ନିଆଯାଇଛି। ଠକେଇର ଶିକାର ହୋଇଥିବା ମହିଳାଙ୍କ ନାଁ ତୈଳକମ୍ପାନି ପକ୍ଷରୁ ଜାରି ହୋଇଥିବା ଏଏଚଏଲଟିନ୍ ନଂ ତାଲିକାରେ ଥିଲା। ସେମାନଙ୍କ ନାଁରେ ଉଜ୍ଜଳା ଗ୍ୟାସ ସଂଯୋଗ ଲୁଟିଥିବା ବିତରକ ନିଲମ୍ବିତ ହୋଇଥିବାରୁ ସେମାନେ କିପରି ଗ୍ୟାସ ସଂଯୋଗ ପାଇବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର