ବାଲେଶ୍ବର ଜେଲ୍‌ରେ ଅଭାବନୀୟ ଘଟଣା : କଏଦୀଙ୍କୁ ପଥରରେ ଛେଚି ମାରିଦେଲା କଏଦୀ

ଜେଲ୍ ସମ୍ମୁଖରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ୱର : ବାଲେଶ୍ୱର ଜେଲ୍‌ରେ ରବିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆଜୀବନ କଏଦୀର ପ୍ରାଣାନ୍ତକ ଆକ୍ରମଣରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିବାରୁ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ମୃତ ବିଚାରାଧୀନ କଏଦୀଜଣକ ହେଲେ ବାଲେଶ୍ବର ସଦର ଥାନା ଅନ୍ତର୍ଗତ ଘୋଡ଼ାପଦା ଅଞ୍ଚଳର ରାମଚନ୍ଦ୍ର ସେନାପତି ଓରଫ୍‌ ଦାସ(୬୦)। ଜେଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା ଅଭିଯୋଗ କରି ସନ୍ଧ୍ୟାରେ ମୃତ କଏଦୀଙ୍କ ପରିବାର, ଗ୍ରାମବାସୀ ଓ ବିଜେପି ନେତୃବୃନ୍ଦ ଜେଲ୍ ସମ୍ମୁଖରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ମୃତ ରାମଚନ୍ଦ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଏବଂ ଜେଲ୍ ସୁପରିନଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ମୃତ ବନ୍ଦୀ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଓ ଜେଲ୍‌ ପକ୍ଷରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏଥିସହିତ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସୂଚନାଯୋଗ୍ୟ, ରାମଚନ୍ଦ୍ର ୪ ଦିନ ପୂର୍ବରୁ ଅର୍ଥାତ୍‌ ଗତ ୯ ତାରିଖରେ ଟାଉନ୍‌ ଥାନା ପୁଲିସ ଦ୍ବାରା ଏକ ମଦ ମାମଲାରେ ଗିରଫ ହୋଇଥିଲେ। ଏ ସଂପର୍କରେ ପରିବାର ଲୋକଙ୍କୁ କିଛି ନ ଜଣାଇ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରି ଦେଇଥିଲା। ତେଣୁ ସେ ସେବେଠାରୁ ବିଚାରାଧୀନ କଏଦୀ ଭାବେ ଜେଲରେ ରହିଥିଲେ। ତେବେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଏହି ଜେଲରେ ଆଜୀବନ କଏଦୀ ଭାବେ ରହିଥିବା ଖଇରା ଥାନା ଝିଙ୍କିରିଆ ଗ୍ରାମର ଶରତ ଚନ୍ଦ୍ର କର ହଠାତ୍‌ ଗୋଟାଏ ପଥର ଆଣି ରାମଚନ୍ଦ୍ରଙ୍କ ମୁଣ୍ଡରେ ଛେଚି ଦେଇଥିଲା। ଫଳରେ ତାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଜେଲ୍‌ କର୍ମଚାରୀମାନେ ତୁରନ୍ତ ସେଠାକୁ ଯାଇ ଶରତଙ୍କୁ କାବୁ କରିବା ସହିତ ରାମଚନ୍ଦ୍ରଙ୍କୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ରାମଚନ୍ଦ୍ରଙ୍କ ପୁଅ ସନ୍ତୋଷ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ବାପାଙ୍କୁ ମୃତ ଅବସ୍ଥାରେ ପାଇ ସହଦେବଖୁଣ୍ଟା ଥାନାରେ ଏକ ଏତଲା ଦେଇଥିଲେ। ଜେଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ସେ ଏତଲାରେ ଦର୍ଶାଇଥିବାବେଳେ ପୁଲିସ ୩୦୬/୧୮(ଦଫା-୩୦୩ ଆଇପିସି)ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା। ହତ୍ୟାକାଣ୍ଡ ପଛ‌େର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନଥିବା ବେଳେ ଏନେଇ ତଦନ୍ତ ଚାଲିଥିବା ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି।

ଅନ୍ୟପକ୍ଷରେ ଆଜୀବନ କଏଦୀ ଶରତ ଚନ୍ଦ୍ର କରଙ୍କ ମାନସିକ ବିକୃତି ଥିବା କୁହାଯାଉଛି। ୨୦୦୯ ମସିହାରୁ ଏକ ହତ୍ୟା ମାମଲାରେ ସେ ଜେଲ୍‌ଦଣ୍ଡ ଭୋଗୁଛି। ଅନ୍ୟାନ୍ୟ ସାଧାରଣ କଏଦୀଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଥିବା ଶରତ ଆଜି ହଠାତ୍‌ କାହିଁକି ରକ୍ତମୁଖା ହୋଇ ପଡ଼ିଲା ସେନେଇ ତଦନ୍ତ ହେବା ପରେ ଜଣାପଡ଼ିବ ବୋଲି ଜେଲ ଅଧୀକ୍ଷକ ଶୁଭକାନ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର