ପାଚେରି ଡେଇଁ କଏଦୀ ଚମ୍ପଟ, ୨ ୱାର୍ଡରଙ୍କୁ କାରଣଦର୍ଶାଅ ନୋଟିସ୍‌

ବଡ଼ବିଲ : ଢିଲା ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇଛି ଜଣେ ବିଚାରାଧୀନ କଏଦୀ। ପାଚେରି ଡେଇଁ ଚମ୍ପଟ ମାରିଛି। ରାତିରେ ସେଲ୍‌ରେ ଜଣେ କଏଦୀ କମ୍‌ ଥିବା ଜଣାପଡ଼ିବ‌ା ପରେ ଜେଲ୍ କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରିଛନ୍ତି। ଅନ୍ୟପଟେ ଏହି ସମୟରେ ଡ୍ୟୁଟିରେ ଥିବା ୱାର୍ଡର ସଂଜିତ କୁମାର ନାୟକ ଓ ବିଜୟ କୁମାର ନାୟକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ବାରମ୍ବାର ଏହି ଜେଲ୍‌ରେ ଏଭଳି ଘଟଣା ଘଟୁଥିବାରୁ ଜେଲ୍‌ର ସୁରକ୍ଷା‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଉପକାରାଗାରରେ। ଫେରାର କଏଦୀ ଜଣଙ୍କ ହେଲେ ଗାଢ଼ାହଟିଂର ସାୱନ ପାତ୍ର। ଗତ ଜୁଲାଇ ୨୮ ତାରିଖରେ ବଡ଼ବିଲ ଥାନା ମ୍ରିନାଲ କଲୋନିରୁ ରବି କୁମାରଙ୍କ (ଜେଏଚ-୦୫ବିବି-୬୩୧୦) ନମ୍ବର ବିଶିଷ୍ଟ ଏକ ମଟର ସାଇକଲ ଚୋରି ହୋଇଥିଲା। ଏହି ଘଟଣାରେ ଗତ ୧ ତାରିଖରେ ଗାଢ଼ାହଟିଂର ସାୱନ ପାତ୍ର ଓରଫ କୁନା ଓ ଝୁପୁଡ଼ିବସ୍ତିର ମିଥୁନ ଲୋହାରକୁ ପୁଲିସ ଗିରଫ କରିବା ସହ ଚୋରି ବାଇକ ଉଦ୍ଧାର କରିଥିଲା। ଗିରଫ ଅଭିଯୁକ୍ତମାନେ ବଡ଼ବିଲ ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ସ‌ାୱନଙ୍କୁ ରୋଷେଇ କାମରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ସୁଯୋଗ ନେଇ ସାୱନ ପ୍ରଶାସନିକ କୋଠାର ଛାତ ଉପରେ ଚଢ଼ି ପାଚେରି ଡେଇଁ ଫେରାର୍‌ ହୋଇଯାଇଥିଲେ।

ଏ ସମ୍ପର୍କରେ ଜେଲର୍‌ ସୁଧାଂଶୁ ଶେଖର ବେହେରାଙ୍କୁ ପଚାରିବାରୁ, ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ସାୱନ ପାତ୍ର ନାମକ ଜଣେ କଏଦୀ ପାଚେରି ଡେଇଁ ପଳାଇଥିବା ସ୍ପଷ୍ଟ ହୋଇଥିଲା। ଜେଏମ୍‌ଏଫ୍‌ସି ଓ ସ୍ଥାନୀୟ ଥାନାକୁ କଏଦୀ ଚମ୍ପଟ ନେଇ ସୂଚନା ଦିଆଯାଇଥିଲା। ଆସନ୍ତାକାଲି ବିଭାଗୀୟ ଉଚ୍ଚ ପଦାଧିକାରୀ ଏହି ଘଟଣାର ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର