ଫେରାର କଏଦୀ ଖୋଲିଦେଲା ଜେଲ୍‌ ଗୁମର, ୱାର୍ଡରଙ୍କ ଆତ୍ମହତ୍ୟା ପଛରେ ଜେଲରଙ୍କ କଙ୍ଗାରୁ କୋର୍ଟ!

କାଳିଆପାଣି : ଫେରାର କଏଦୀ ଖୋଲିଦେଲେ ଜେଲ୍‌ ଗୁମର। ଜେଲରଙ୍କ କଙ୍କାରୁକୋର୍ଟ ‌ଏବଂ ଅସହ୍ୟ ନିର୍ଯାତନା କାରଣରୁ ୱାର୍ଡର ଆତ୍ମହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ‌ଜେଲରେ ଆଜୀବନ ଜେଲ ଭୋଗୁଥିବା କଏଦୀ ଭଗବାନ ଟୁଡ଼ୁ(୪୯)ଙ୍କ ଏଭଳି ବୟାନ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଫେରାର୍ କଏଦୀ ଭଗବାନ ଟୁଡ଼ୁ ଗତକାଲି ଯାଜପୁର ଜିଲ୍ଲା ଅନ୍ତର୍ଗତ କାଳିଆପାଣିରୁ ଧରା ପଡ଼ିଥିଲେ। ଗତ ୧୬ ତାରିଖ ଶେଷ ରଜ ଦିନ ଜେଲ୍‌ ପରିସରରୁ ଚମ୍ପଟ୍‌ ମାରିଥିଲେ। ଧରାପଡ଼ିବା ପରେ ସେ ପୁଲିସ୍‌କୁ ଜେଲ୍‌ ଭିତରର କ‌ାର୍ଯ୍ୟକଳାପ ସମ୍ପର୍କରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତିନିଦିନ ପରେ କରଞ୍ଜିଆ ଜେଲ୍ ଅଧୀକ୍ଷକ ଲକ୍ଷ୍ମୀଧର ମୁର୍ମୁ ଏକ ବିବାଦୀୟ ପରିସ୍ଥିତିରେ ଗତ ୧୯ ତାରିଖ ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିଲେ। ସେଦିନ ନିଖୋଜ ଥିବା ବରିଷ୍ଠ ଜେଲ୍‌ ୱାର୍ଡର ସୁକାନ୍ତ ବେହେରା(୫୮)ଙ୍କ ହାଣ୍ଡନୋଟ୍‌ ‘ମୋ ମୃତ୍ୟୁ ପାଇଁ ଜେଲର ଦ‌ାୟୀ’ ହସ୍ତଗତ ହେବା ପରେ ତାଙ୍କ ପତ୍ନୀ ଓ ଝିଅ ଘଟଣା ସଂପର୍କରେ ଜେଲର ଲକ୍ଷ୍ମୀଧର ମୁର୍ମୁଙ୍କୁ ଦ‌ାୟୀକରି ପ୍ରଥମେ ଥାନାରେ ଅଭିଯୋଗ କରିଥିଲେ। ଏଥିପାଇଁ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା। ପରେ ପରେ ଜେଲର ଶ୍ରୀ ମୁର୍ମୁ ଭଗବାନ ଟୁଡ଼ୁ ଫେରାର୍ ସଂପର୍କରେ ଥାନାରେ ଏତଲା ଦେଇଥିଲେ। ଗତ ୨୪ ତାରିଖ କରଞ୍ଜିଆ ଉପକଣ୍ଠ ବାଙ୍ଗିରିପୋଷି ମୁଣ୍ଡାକଟା ଶାଳ ଜଙ୍ଗଲରୁ ୱାର୍ଡର ସୁକାନ୍ତଙ୍କ ଗଳିତ ମୃତଦେହ ଓ ତାଙ୍କ ସ‌ାଇକଲ ଠାବ କରାଯାଇଥିଲା।

ଠିକ୍‌ ପରଦିନ ଫେରାର୍ କଏଦୀ ଭଗବାନ ଟୁଡ଼ୁ କାଳିଆପାଣିରୁ ଧରାପଡ଼ିଥିଲା। ଜେଲର ଶ୍ରୀ ମୁର୍ମୁଙ୍କର ସେ ସଂପର୍କୀୟ, ଏବଂ ଫେରାର୍ ପୂର୍ବରୁ ସେ ତାଙ୍କ ଘରେ ବିଶ୍ବସ୍ତ ଭୃତ୍ୟ ଭଳି କାମ କରୁଥିଲା ବୋଲି ବୟାନ ଦେଇଛି।

‘ସମ୍ବାଦ’ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କଏଦୀ ଭଗବାନ ଟୁଡ଼ୁ ଜେଲର ଶ୍ରୀ ମୁର୍ମୁଙ୍କ ଜାତିଭାଇ ଓ ସଂପର୍କୀୟ ବନ୍ଧୁ। ଜେଲର ପୂର୍ବରୁ କରଞ୍ଜିଆରେ ପାଠ ପଢ଼ୁଥିବା କାରଣରୁ ଏଠାରେ ତାଙ୍କର ଦବ୍‌ଦବା ରହିଆସିଛି। ଏହି କାରଣରୁ ସେ କଏଦୀ ଭଗବାନକୁ ରଗଡ଼ି ଜେଲରୁ କରଞ୍ଜିଆ ଜେଲକୁ ସ୍ଥାନାନ୍ତର କରାଇ ନେଇଥିଲେ। ଉକ୍ତ ଜେଲ୍‌ ପରିସରରେ ରହୁଥିବା ଜେଲରଙ୍କ ସରକାରୀ କ୍ବାର୍ଟର୍ସରେ ଭଗବାନ କାମ କରୁଥିଲା। ଏଥିସହ ଜେଲର ଉକ୍ତ ଜେଲ୍‌ରେ ଥିବା କଏଦୀମାନଙ୍କ ସହ ବିଭିନ୍ନ ସମୟରେ ଭୋଜିଭାତ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଜେଲରଙ୍କ ଏଭଳି ଅନୈତିକ କାର୍ଯ୍ୟକୁ ବରିଷ୍ଠ ୱାର୍ଡର ସ୍ବର୍ଗତ ବେହେରା ବିରୋଧ କରି ଆସୁଥିଲେ। ଏଥିପାଇଁ ତାଙ୍କର ଭଦ୍ରକକୁ ବଦଳି ହୋଇଥିଲା। ନିକଟ ଅତୀତରେ ସେ ପେଟରେ ଅସ୍ତ୍ରୋପଚାର କରାଇଥିବା ଏବଂ ଅସୁସ୍ଥ ଥିବା ଦର୍ଶାଇ ପୁଣି କରଞ୍ଜିଆରେ ରହିଥିଲେ। ଅନ୍ୟପକ୍ଷରେ ଗତ ୧୬ ତାରିଖ ଭଗବାନ ଜେଲରଙ୍କ କ୍ବାର୍ଟର୍ସରୁ ଚମ୍ପଟ୍‌ ମାରିଥିଲା। ଚାଲି ଚାଲି ବସଷ୍ଟାଣ୍ଡ ଆଡ଼କୁ ଯାଉଥିବା ବେଳେ ଅଧାବାଟରୁ ବସ୍‌ରେ ଉଠି ପ୍ରଥମେ କେନ୍ଦୁଝର ଓ ପରେ କାଳିଆପାଣି ପଳାଇ ଆସିଥିଲା। କଏଦୀ ଭଗବାନ ତାଙ୍କର ଅତ୍ୟନ୍ତ ବିଶ୍ବସ୍ତ ଥିବାରୁ ସେ ପୁନର୍ବାର ଜେଲ୍‌ ଫେରି ଆସିବ ବୋଲି ଜେଲର ଶ୍ରୀ ମୁର୍ମୁ ଭାବି ନେଇଥିଲେ।

୧୭ ତାରିଖ ‌ଜେଲ୍‌ ପରିସରରେ ‌ଅଧୀକ୍ଷକ ଶ୍ରୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏକ କଙ୍ଗାରୁ କୋର୍ଟ ବସିଥିଲା। ଭଗବାନ ଫେରାର୍ ପାଇଁ ୱାର୍ଡର ଶ୍ରୀ ବେହେରାଙ୍କୁ ଦାୟୀ କରି ସର୍ବସାଧାରଣରେ ତାଙ୍କୁ ଗାଳିଗୁଲଜ ଓ ଭର୍ତ୍ସନା ସହ କ‌ାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଥିଲା। ଯାହାକୁ ସ୍ବର୍ଗତ ବେହେରା ହଜମ କରିପାରି ନଥିଲେ। ସେଦିନ ଘରକୁ ଫେରି ଗୁମ୍‌ସୁମ୍‌ ରହିଥିଲେ। ୧୮ ତାରିଖରେ ଘରୁ ଏକ ସାଇକଲ ଧରି ବାହାରିବା ପରେ ନିଖୋଜ ହୋଇଯାଇଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ପରଦିନ ସକାଳ ତାଙ୍କ ପୋଷାକରୁ ଉକ୍ତ ହାଣ୍ଡ୍‌ ନୋଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର