ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ସଫଳ ରାତ୍ରିକାଳୀନ ପରୀକ୍ଷଣ

ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ପୃଥ୍ଵୀ-୨ କ୍ଷେପଣାସ୍ତ୍ର ଏୟାରଫୋର୍ସ ଭର୍ସନର ରାତ୍ରୀକାଳୀନ ବ୍ୟବହାରିକ ପରୀକ୍ଷା କରାଯାଇଛି । ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ୫୦ ମିନିଟରେ ଏହି ପରୀକ୍ଷଣ ହୋଇଥିବା ବେଳେ ତାହା ସଫଳ ହୋଇଥିବା ବିଭାଗୀୟ ସୂତ୍ରରୁ ଜାଣିବାକୁ ମିଳିଛି । ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ଡିଆରଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ପକ୍ଷରୁ ନିୟମିତ ଭାବେ ଏହାର ବ୍ୟବହାରିକ ଦିଗକୁ ନେଇ ପରୀକ୍ଷଣ କରାଯାଇ ଆସୁଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତକ୍ଷେପଣ କରାଯାଇପାରୁଥିବା ଏହି ମିସାଇଲ ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ ସହ ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହାର ଲମ୍ବ ୯ମିଟର, ମୋଟେଇ ୧୧୦ସେମି ଏବଂ ଓଜନ ୪.୬ଟନ୍ ବୋଲି ଜଣାପଡ଼ିଛି । ଗତ ନଭେମ୍ବର ୨୦ ତାରିଖରେ ଏହି କ୍ଷେପଣାସ୍ତ୍ରର ଦୁଇଥର ରାତ୍ରୀକାଳୀନ ପରୀକ୍ଷଣ ହୋଇଥିଲା । ଗତ ଶନିବାରଦିନ ଭଦ୍ରକ ଜିଲ୍ଲା ଉପକୂଳରେ ଥିବା କାଲାମ ଦ୍ବୀପରୁ ଅଗ୍ନୀ-୩ କ୍ଷେପଣାସ୍ତ୍ରର ରାତ୍ରୀକାଳୀନ ପରୀକ୍ଷଣ ହୋଇଥିଲା ।

ସମ୍ବନ୍ଧିତ ଖବର