ଲୁଟୁଛନ୍ତି ଘରୋଇ ଆମ୍ବୁଲାନ୍‌ସ : ଭିମ୍‌ସାରରେ ସରକାରୀ ଆମ୍ବୁଲାନ୍‌ସ ଅଭାବ, ରୋଗୀ ‌ଦେଖି ମନ ଇଚ୍ଛ‌ା କଷୁଛନ୍ତି ଦର

ସମ୍ବଲପୁର : ଆମ୍ବୁଲାନ୍ସ ହେଉଛି ଜୀବନ ରକ୍ଷକ। ରୋଗୀକୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇବା ଏହାର କାମ। କିନ୍ତୁ ବୁର୍ଲା ଓ ସମ୍ବଲପୁରରେ ଏହି ଆମ୍ବୁଲାନ୍ସ ରୋଗୀ ଶୋଷଣର ମାଧ୍ୟମ ପାଲଟିଛି। ବର୍ଷ ବର୍ଷ ଧରି ଚାଲିଛି ମନମାନି। ନିଜ ପ୍ରିୟଜନକୁ ବଞ୍ଚାଇବା ପାଇଁ ପରିବାର ଲୋକେ ବିକଳ ହେଉଥିଲାବେଳେ ସେମାନଙ୍କ ଅସହାୟତାର ସୁଯୋଗ ନେଇ ମନ ଇଚ୍ଛା ଦର ହାଙ୍କନ୍ତି ଘରୋଇ ଆମ୍ବୁଲାନ୍‌ସବାଲା। ସେତିକି ବେଳେ ରୋଗୀ ସଂପର୍କୀୟଙ୍କ ନିକଟରେ ଅନ୍ୟ କିଛି ବିକଳ୍ପ ବି ନଥାଏ। ବାଧ୍ୟ ହୋଇ ସେମାନେ ଚିକିତ୍ସା ପାଇଁ ଠୁଳ କରିଥିବା ଅର୍ଥକୁ ଟେକି ଦେଉଛନ୍ତି ଆମ୍ବୁଲାନ୍‌ସବାଲା ହାତରେ।

ବୁର୍ଲା ବଡ଼ ଡାକ୍ତରଖାନା ଘରୋଇ ଆମ୍ବୁଲାନ୍‌ସଙ୍କ ଧାର୍ଯ୍ୟ ଦର ଏବେ ଆକାଶଛୁଆଁ। ଭେଣ୍ଟିଲେଟର୍‌ ଯୁକ୍ତ ଆମ୍ବୁଲାନ୍‌ସରେ ବୁର୍ଲାରୁ ରୋଗୀ ନେଇ ୨୯୦ କିଲୋମିଟର ଦୂର ଭୁବନେଶ୍ବର କି କଟକ ଗଲେ ଦେବାକୁ ପଡ଼ୁଛି ୩୦ରୁ ୩୨ ହଜାର ଟଙ୍କା। ଅର୍ଥାତ୍ କିଲୋମିଟର୍ ପିଛା ୧୦୦ ଟଙ୍କାରୁ ଅଧିକ। ‌ଯିବା ଆସିବା ଉଭୟ ମିଶାଇଲେ ବି କିଲୋମିଟର୍ ପିଛା ୫୦ ଟଙ୍କାରୁ ଅଧିକ ଦେବାକୁ ପଡ଼ୁଛି ଯଦିଓ ଫେରିଲା ବେଳେ ବି ଅଧିକାଂଶ ସମୟରେ ସେମାନେ ରୋଗୀ ନେଇ ଫେରୁଛନ୍ତି। ସାଧାରଣ ଆମ୍ବୁଲାନ୍‌ସ ପାଇଁ ନିଆଯାଉଛି ୮୦୦୦ ଟଙ୍କା। କଟକ ଓ ରାୟପୁର ତା’ଠୁ କମ୍ ବାଟ ଥିଲେ ବି ଦର ସେହି ସମାନ। ଜରୁରୀକାଳୀନ ସ୍ଥିତିରେ ଏହାଠୁ ଆହୁରି ଅଧିକ ଟଙ୍କା ଦାବି କରାଯାଏ। ଅସମୟରେ ଅର୍ଥାତ୍ ବିଳମ୍ବିତ ରାତିରେ ବା କମ୍‌ ସଂଖ୍ୟକ ଆମ୍ବୁଲାନ୍‌ସ ଥିବା ସମୟରେ ମନଇଚ୍ଛା ଟଙ୍କା ଅସୁଲ କରାଯାଏ। ଏହି ଆମ୍ବୁଲାନ୍‌ସ କଳାବଜାରରରେ ଦଲାଲ୍‌ଙ୍କଠାରୁ ‌ନେଇ ଡାକ୍ତରଖାନା ଓ ପୁଲିସ କର୍ମଚାରୀ ବି ହିତାଧିକାରୀ ବୋଲି କୁହାଯାଏ।

କେବଳ ଯେ ଆମ୍ବୁଲାନ୍ସ କାହିଁକି ବୁର୍ଲା ଓ ସମ୍ବଲପୁରରେ ସହଜରେ ମହାପ୍ରୟାଣ ଗାଡ଼ି ମିଳୁ ନଥିବାରୁ ଘରୋଇ ଶବବାହକ ଗାଡ଼ି ଗୁଡ଼ିକ ମଧ୍ୟ ମୃତକଙ୍କ ପରିବାରଠାରୁ ବହୁ ଟଙ୍କା ନେଉଥିବା ଅଭିଯୋଗ ହୁଏ। କେବଳ ଘରୋଇ ଆମ୍ବୁଲାନ୍‌ସ ନୁହନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଗୁଡ଼ିକ ଚଳାଉଥିବା ଆମ୍ବୁଲାନ୍‌ସ ଗୁଡ଼ିକ ମଧ୍ୟ ସେହି ଚଢ଼ା ଦର ନିଅନ୍ତି। ସେଥିରେ ମଧ୍ୟ ରୋଗୀ ପାଇଁ କୌଣସି ରିହାତି ନଥାଏ। ଯଦିଓ ସେଥିରୁ ଅଧିକାଂଶ ଆମ୍ବୁଲାନ୍‌ସ ଉକ୍ତ ଅନୁଷ୍ଠାନ ଗୁଡ଼ିକୁ ଏମ୍‌ପି, ଏମ୍‌ଏଲ୍‌ଏ ପାଣ୍ଠି, ବ୍ୟବସାୟୀ ବା ଶିଳ୍ପାନୁଷ୍ଠାନରୁ ଦାନ ସୂତ୍ରରେ ମିଳିଥାଏ।

ସମ୍ବଲପୁର ଜିଲ୍ଲାରେ ୧୫ଟି ୧୦୮ ଆମ୍ବୁଲାନ୍ସ ରହିଥିବା ସମୟରେ ଏଥିମଧ୍ୟରୁ ୩ଟି ଅଚଳ ହୋଇ ପଡ଼ିଛି। ଏହି ଆମ୍ବୁଲାନ୍ସଗୁଡ଼ିକ ମଧ୍ୟରୁ ଦିନକୁ ଅତିକମ୍‌ରେ ୫ଟି ଗାଡ଼ି ବୁର୍ଲା ଡାକ୍ତରଖାନାରୁ ରୋଗୀଙ୍କୁ ନେଇ କଟକ କିମ୍ବା ଭୁବନେଶ୍ବର ଯାଉଥିବାରୁ ମାତ୍ର ୧୦ଟି ଆମ୍ବୁଲାନ୍ସ ଉପରେ ସାରା ଜିଲ୍ଲା ନିର୍ଭରଶୀଳ। ଜିଲ୍ଲାରେ ମୋଟ ୧୬ଟି ୧୦୨ ଆମ୍ବୁଲାନ୍ସ ରହିଥିବା ସମୟରେ ସମସ୍ତ ଆମ୍ବୁଲାନ୍ସ ଠିକ୍‌ରେ ଚଳାଚଳ କରୁଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାରେ କୌଣସି ଆଇସିୟୁ ଭେଣ୍ଟିଲେଟରଯୁକ୍ତ ୧୦୮ ଆମ୍ବୁଲାନ୍ସ ନାହିଁ। ସାଧାରଣ ଆମ୍ବୁଲାନ୍‌ସ ଗୁଡ଼ିକ ରୋଗୀଙ୍କ ପାଇଁ ଅଣ୍ଟୁନି। ଫଳରେ ଘରୋଇ ଆମ୍ବୁଲାନ୍‌ସ ମାଲିକଙ୍କ ମନମୁଖୀ ବଢ଼ିବାରେ ଲାଗିଛି। କେବଳ ବୁର୍ଲା ଡାକ୍ତରଖାନାରେ ୪୨ଟି ଘରୋଇ ସାଧାରଣ ଆମ୍ବୁଲାନ୍ସ ରହିଥିବା ବେଳେ ଆଇସିୟୁ, ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ୩ଟି ରହିଛି। ୨୧ଟି ଘରୋଇ ମାଲିକଙ୍କର ଏହି ୪୨ଟି ଆମ୍ବୁଲାନ୍ସ ରହିଛି। ଧାର୍ଯ୍ୟ କରା ଯାଇଥିବା ଦର ଅନୁସାରେ ସାଧାରଣ ଆମ୍ବୁଲାନ୍ସ ପ୍ରତି କିଲୋମିଟର ପିଛା ୧୦ ଟଙ୍କା ଓ ଆଇସିୟୁ ଆମ୍ବୁଲାନ୍ସ ୪୦ ଟଙ୍କା ପ୍ରତି କିମି ରହିଛି। ଏହା ଉପରେ ପୁଣି ଟେକ୍‌ନିସିଆନ୍, ଭେଣ୍ଟିଲେଟର୍‌ ଓ ଅକ୍ସିଜେନ୍ ବାବଦରେ ଅତିରିକ୍ତ ଅର୍ଥ ନିଆଯାଏ।

ବୁର୍ଲା ଡାକ୍ତରଖାନାରେ ପୂର୍ବରୁ ଆମ୍ବୁଲାନ୍‌ସ ଗୁଡ଼ିକ ପାଇଁ ଏକ ଷ୍ଟାଣ୍ଡ ରହିଥିଲା। ଯେଉଁଠି ନିର୍ଧାରିତ ଦର ଅନୁସାରେ ରୋଗୀଙ୍କୁ ଆମ୍ବୁଲାନ୍‌ସ ମିଳୁଥିଲା। ମାତ୍ର ବର୍ତ୍ତମାନ ସମୟରେ ଉକ୍ତ ଷ୍ଟାଣ୍ଡ ନଥିବାରୁ ଆମ୍ବୁଲାନ୍ସଗୁଡ଼ିକ ବାହାରେ ରହୁଛନ୍ତି। ଭିତରୁ କୌଣସି ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ହେଲେ ଆଟେଣ୍ଡାଣ୍ଟଙ୍କଠାରୁ ସୂଚନା ପାଇ ଦଲାଲ୍‌ ପହଞ୍ଚି ଦର ନିର୍ଦ୍ଧାରଣ କରିଥାନ୍ତି। ‌ରୋଗୀଙ୍କ ସ୍ଥିତି ଅନୁସାରେ ସେମାନଙ୍କଠାରୁ କିଲୋମିଟର ପିଛା ଟଙ୍କା ଅସୁଲ କରା ଯାଇଥାଏ।

ସମ୍ବନ୍ଧିତ ଖବର