ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ବସ୍ : ବସ୍ ମାଲିକ ସଂଘ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ବସ। ଆଜି ଚଣ୍ଡିଖୋଲଠାରେ ଅନୁଷ୍ଠିତ ଘରୋଇ ବସ ମାଲିକ ସଂଘ ବୈଠକରେ  ନିଷ୍ପତ୍ତି ନିଆଯାଇଛି।  ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ଭଡା ନିଆଯିବ ଏବଂ ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ଗୁରୁବାରଠାରୁ ରାଜ୍ୟରେ ବସ ଚଳାଚଳ ହେବ।  ରାଜ୍ୟ ସରକାରଙ୍କ କୋଭିଡ୍୧୯ ଗାଇଡଲାଇନକୁ ଅନୁସରଣ କରାଯାଇ ବସ ଚାଲିବ। ଚଳାଚଳ ପୂର୍ବରୁ ସମସ୍ତ ବସ ସାନିଟାଇଜ୍ କରାଯିବ ଏବଂ ସବୁ ଯାତ୍ରୀ ମାସ୍କ ପିନ୍ଧି ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି। ଯଥାସମ୍ଭବ ସାମାଜିକ ଦୂରତ୍ବ ଅବଲମ୍ବନ କରାଯାଇ ବସ ଚଳାଚଳ କରାଯିବ ବୋଲି କହିଛନ୍ତି ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ।

ଏଥିପୂର୍ବରୁ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ବସ୍ ଚଳାଚଳ ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଅନ୍ୟପକ୍ଷରେ ଗତକାଲି ଘରୋଇ ବସ ମାଲିକ ସଂଘ ସହ ପରିବହନ ମନ୍ତ୍ରୀଙ୍କ ବୈଠକ ପରେ ଘରୋଇ ବସ୍ ସଂଘର ସାଧାରଣ ସଂପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଆସନ୍ତାକାଲି ସାଧାରଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଭବିଷ୍ୟତ ପାଇଁ ନିଷ୍ପତ୍ତି ହେବ । ବୈଠକରେ ପ୍ରଥମେ ଡ୍ରାଇଭର ଓ ଯାତ୍ରୀମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ସରକାରଙ୍କ ଟ୍ୟାକ୍ସ ଛାଡ଼ ନେଇ ଆଲୋଚନା ହେବ । ଓଡ଼ିଶାରେ ୧୪ ହଜାର ବସ୍ ରହିଛି । ସେହିପରି ୮ ହଜାର ମାଲିକ ଅଛନ୍ତି । ୬୦ ହଜାର ବସ କର୍ମଚାରୀଙ୍କ ପାଇଁ ବୀମା କରାଯାଉ । ସେହିଭଳି ବ୍ୟାଙ୍କ ଋଣ ୬ ମାସ ପାଇଁ ଛାଡ଼ କରାଯାଉ । ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର