ଅଧ୍ୟାପକ ଓ କର୍ମଚାରୀଙ୍କ ସମସ୍ୟା ସମାଧାନ ହେଉ

ଭୁବନେଶ୍ବର : ‘ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ’ ଓ ‘ରାଜ୍ୟ ଦରମା ପ୍ରାପ୍ତ ଅଧ୍ୟାପକ ମଞ୍ଚ’ର ସମନ୍ବୟରେ ଗଠିତ ‘ମିଳିତ ସମନ୍ବୟ ସମିତି’ ନିଜର ଦୀର୍ଘ ଦିନର ମୌଳିକ ଦାବିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କଠାରେ ଦାବି ରଖିଛି। ୧/୪/୧୯୮୯ ପରେ ମହାବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ପାଇଁ ୟୁଜିସି ଦରମା ସଂପ୍ରସାରଣ କରିବା, ଅଧ୍ୟାପକମାନଙ୍କ ପଦୋନ୍ନତି ନିୟମରେ ସଂଶୋଧନ କରି ୧୮ ବର୍ଷ ପରେ ପ୍ରାଧ୍ୟାପକ ପଦବିକୁ ପଦୋନ୍ନତି ଦେବା, ୫ମ ଓ ୭ମ ବେତନ କମିସନ ସୁପାରିସ ଭିତ୍ତିରେ ସମସ୍ତ ବକେୟା ଦେୟ ପ୍ରଦାନ, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି ପାଇଁ ସମିତି ଦାବି କରିଛି। ବାରମ୍ବାର ଦାବି ସତ୍ତ୍ବେ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ରାଜ୍ୟରେ କାର୍ଯ୍ୟରତ ୧୫ ହଜାର ରାଜ୍ୟ ଦରମାପ୍ରାପ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମାନସିକ ଯନ୍ତ୍ରଣ‌ା ଭୋଗ କରୁଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକମାନ ବଜାୟ ରଖିବା ପାଇଁ ଅଧ୍ୟାପକ ଓ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ଦିଗରେ ସରକାର ଦୃଷ୍ଟି ଦେବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ଆସନ୍ତା ବିଧା‌ନସଭା ଅଧିବେଶନ ମଧ୍ୟରେ ଏସବୁ ଦାବି ପୂରଣ ନ ହେଲେ ସମିତି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆଜି ସ୍ଥାନୀୟ ନେହେରୁ ଯୁବ ପ୍ରତିଷ୍ଠାନଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀ‌ରେ ସମିତିର ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ମହାପାତ୍ର ଚେତାବନୀ ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର ଆବାହକ କମଳ ପ୍ରସାଦ ମହାନ୍ତି ଓ ଉମାକାନ୍ତ ପାତ୍ର, ବରିଷ୍ଠ କର୍ମକର୍ତ୍ତା ବୃନ୍ଦାବନ ମହାପାତ୍ର, ସୁନୀଲ କୁମାର ରଥ, ଲକ୍ଷ୍ମୀଧର ପ୍ରଧାନ ଓ ଗୀତିରାଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର