୨୦୧୬ କଣ୍ଟ୍ରୋଲ ଅର୍ଡର ସଂଶୋଧନ ପ୍ରସ୍ତାବକୁ ମୋହର : ବର୍ଷେ ବଢ଼ିଲା ବେସରକାରୀ ଡିଲରଙ୍କ ଲାଇସେନ୍‌ସ

ଭୁବନେଶ୍ବର : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନିୟୋଜିତ ବେସରକାରୀ ଡିଲରମାନଙ୍କ ଲାଇସେନ୍‌ସ୍‌ ଅବଧିକୁ ପୁଣି ବର୍ଷକ ପାଇଁ ସରକାର ବୃଦ୍ଧି କରିଛନ୍ତି। ଆଜି ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଓଡ଼ିଶା କଣ୍ଟ୍ରୋଲ୍‌ ଅର୍ଡ଼ର ୨୦୧୬ରେ ଯୋଗାଣ ବିଭାଗ ଆଣିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜଷ୍ଟିସ୍‌ ୱାଧା କମିସନଙ୍କ ସୁପାରିସ୍‌ ଅନୁଯାୟୀ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବେସରକାରୀ ଡିଲରମାନଙ୍କ ବଦଳରେ ଆନୁଷ୍ଠାନିକ ଡିଲର ନିଯୁକ୍ତ କରିବା ପାଇଁ ୪ ବର୍ଷ ସମୟ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟରେ ଥିବା ସୁଲଭ ମୂଲ୍ୟ ଦୋକାନରେ ପଡ଼ିକାର୍ଡଧାରୀମାନଙ୍କ ଚିହ୍ନଟ ପାଇଁ ଇ-ପୋସ୍‌ ମେସିନ ପ୍ରଚଳନ କରାଯାଇଛି। ଏହି ମେସିନର ବ୍ୟବହାର ନେଇ ଆନୁଷ୍ଠାନିକ ଓ ବେସରକାରୀ ଡିଲରମାନଙ୍କ ତାଲିମ ପ୍ରଦାନରେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହୋଇଛି। ବର୍ତ୍ତମାନ୍‌ କୋଭିଡ୍‌ ସମୟରେ ସୁରୁଖୁରୁରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଚାଲୁ ରଖିବା ପାଇଁ କଣ୍ଟ୍ରୋଲ ଅର୍ଡର୍‌ର ସମୟ ସୀମାକୁ ୫ବର୍ଷକୁ ବୃଦ୍ଧି କରାଯାଇଛି।

www.livemint.com

ରାଜ୍ୟରେ ୨୦୧୫ ମସିହା ନଭେମ୍ବରରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌,୨୦୧୩ କାର୍ଯ୍ୟକାରୀ ହେଉଛି। ଏହାର ସୁପରିଚାଳନା ପାଇଁ ୨୦୧୬ ମାର୍ଚ୍ଚ ମାସରେ ଓଡ଼ିଶା କଣ୍ଟ୍ରୋଲ ଅର୍ଡ଼ର୍‌ ଅଧିସୂଚନା ଜାରି କରାଯାଇଥିଲା। ଏହି ବ୍ୟବସ୍ଥାରେ ୧୪ ହଜାର ୪୦୨ ସଂଖ୍ୟକ ସୁଲଭ ମୂଲ୍ୟ ଦୋକାନୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୬ ହଜାର ୪୯୨ ଜଣ ଆନୁଷ୍ଠାନିକ ଡିଲର ଥିବାବେଳେ ୭ ହଜାର ୯୧୦ ଜଣ ବେସରକାରୀ ଡିଲର୍‌ ସାମିଲ ଅଛନ୍ତି। ଡିଲରମାନଙ୍କୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ଗୋଟିଏ ବର୍ଷ ପାଇଁ ଲାଇସେନ୍‌ସ୍‌ ପ୍ରଦାନ କରାଯାଇଥାଏ। ଆପତ୍ତି ବିହୀନ ଡିଲରର ଲାଇସେନ୍‌ସ୍‌କୁ ପ୍ରତିବର୍ଷ ନବୀକରଣ କରାଯିବା ସହ ଆନୁଷ୍ଠାନିକ ଡିଲରମାନଙ୍କର ନବୀକରଣ ହୋଇଥାଏ। ଲାଇସେନ୍‌ସ୍‌ର ଅବଧି ସରିବାର ୪୫ ଦିନ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରୀ ନିୟମ ରହିଛି। ବେସରକାରୀ ଡିଲରମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ଚଳିତବର୍ଷ ଫେବ୍ରୁଆରିରେ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା। ନିଷ୍ପତ୍ତି ମୁତାବକ ରାଜ୍ୟର ପ୍ରାୟ ଅଢ଼େଇ ହଜାର ବେସରକାରୀ ଡିଲରଙ୍କୁ ହଟାଇବା ପାଇଁ ଯୋଗାଣ ବିଭାଗ ଚିହ୍ନଟ କରିଥିଲା। କିନ୍ତୁ ଏହାଭିତରେ କରୋନା ମହାମାରୀ ଯୋଗୁଁ ଗରିବଙ୍କୁ ଚାଉଳ ଓ ରାସନ ସାମଗ୍ରୀ ଯୋଗାଣରେ ଅସୁବିଧା ହେବ ବୋଲି ବିଚାର କରି ସମସ୍ତ ଡିଲରମାନଙ୍କ ଲାଇସେନ୍‌ସ୍‌ ଅବଧିକୁ ୨୦୨୦ ମାର୍ଚ୍ଚ ମାସ ୩୧ ତାରିଖରୁ ୪ ମାସ ଅର୍ଥାତ୍‌ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହାସହିତ ସରକାର ନିଷ୍ପତ୍ତି ନେଇଥିଲେ ଏହି ସମୟ ଭିତରେ ଯେଉଁ ସ୍ଥାନରେ ବିକଳ୍ପ ଆନୁଷ୍ଠାନିକ ଡିଲର ମିଳିବେ ସେଠାରେ ଥିବା ବେସରକାରୀ ଡିଲରଙ୍କୁ ହଟାଯିବ। ଏହା ବିରୁଦ୍ଧରେ ବେସରକାରୀ ଡିଲର ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଦୁଇ ସପ୍ତାହ ତଳେ ହାଇକୋର୍ଟ ପିଟିସନ୍‌ର ଶୁଣାଣି କରି ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର