ଘରୋଇ ବୀମା କଂପାନି ଠକେଇ ଘଟଣାର ତଦନ୍ତ: ବ୍ୟାଙ୍କ କର୍ମଚାରୀ ବିକୁଛନ୍ତି ତଥ୍ୟ

କଟକ: ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟାଙ୍କରେ ବି ସୁରକ୍ଷିତ ନୁହେଁ। ବିଭିନ୍ନ ବ୍ୟାଙ୍କର ନିର୍ଦ୍ଦିଷ୍ଟ କିଛି କର୍ମଚାରୀମାନେ ସାଇବର‌୍‌ ଅପରାଧୀଙ୍କୁ ତଥ୍ୟ ବିକି ଦେଉଛନ୍ତି। ଏଭଳି ବେଆଇନ ଭାବେ ତଥ୍ୟ ବିକ୍ରି ଭଳି ଚାଞ୍ଚଲ୍ୟକର ଘଟଣା ଏବେ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି। ବ୍ୟାଙ୍କ ସମେତ କଲ୍‌ ସେଣ୍ଟର‌୍‌ରୁ ମଧ୍ୟ ତଥ୍ୟ ବିକ୍ରି କରାଯାଉଛି। ଦିଲ୍ଲୀ ଏବ˚ ମୁମ୍ବାଇର ନିର୍ଦ୍ଦିଷ୍ଟ ଅପରାଧୀ ଗ୍ୟାଙ୍ଗ ତଥ୍ୟ କିଣାବିକା କାରବାରର ମୁଖ୍ୟ କାର୍ପଟଦାର ଥିବା କୁହାଯାଉଛି। ଏସବୁ ତଥ୍ୟ କିଣି ସାଇବର‌୍‌ ଅପରାଧୀମାନେ ଏହାକୁ ଅର୍ଥ ଠକେଇ କାରବାରରେ ବ୍ୟବହାର କରୁଛନ୍ତି। ଏଭଳି ନୂଆ ପ୍ରକାର ସାଇବର ଅପରାଧ ରାଜ୍ୟ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଅନ୍ତର୍ଜାତୀୟ ହ୍ୟାକର‌୍‌ ଗୋଷ୍ଠୀ ଡାଟା ବା ତଥ୍ୟ କିଣିବା ପରେ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ସ˚ଯୋଗ କିମ୍ବା ଲଟେରୀ ଉଠାଣ ସ˚କ୍ରାନ୍ତରେ ଗ୍ରାହକଙ୍କୁ ଫୋନ୍‌ କରିଥାନ୍ତି। ନିଜକୁ ବ୍ୟାଙ୍କର କର୍ମଚାରୀ ପରିଚୟ ଦେଇ ସେହି ଆଳରେ ଟଙ୍କା ଠକେଇ କରାଯାଉଥିବା ତଥ୍ୟ ଏବେ ସାମ୍‌ନାକୁ ଆସିଛି। ଦୁଇଟି ଉପାୟରେ ସାଇବର‌୍‌ ଅପରାଧୀ ଗ୍ରାହକଙ୍କ ତଥ୍ୟ କିଣୁଛନ୍ତି। ପ୍ରଥମତଃ ବ୍ୟାଙ୍କ୍‌ର କର୍ମଚାରୀଙ୍କ ମାଧ୍ୟମରେ ଅଧିକ ଅର୍ଥ କାରବାର କରୁଥିବା ଗ୍ରାହକଙ୍କୁ ଟାର୍ଗେଟ କରାଯାଉଛି। ସେଭଳି ଗ୍ରାହକଙ୍କ ନାମ, ଠିକଣା, ଫୋନ୍‌ ନମ୍ବର, କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡର ୧୬ ସ˚ଖ୍ୟା ବିଶିଷ୍ଟ ନମ୍ବର, ଇ-ମେଲ୍‌ ଆଇଡି ଏବ˚ ଜନ୍ମ ତାରିଖ କିଣାଯାଉଛି। ସେହିପରି କଲ୍‌ ସେଣ୍ଟରରୁ ମଧ୍ୟ ଗ୍ରାହକଙ୍କ ଫଟୋ ଏବ˚ ଘରର ଠିକଣା କିଣାଯାଉଛି। ନାମ, ମୋବାଇଲ୍ ନମ୍ବର, ଏଟିଏମ୍‌ କାର୍ଡ ନମ୍ବର ଇତ୍ୟାଦି ଭଳି ଯେତେ ତଥ୍ୟ ରହିବ, ପ୍ରତି ତଥ୍ୟ ପିଛା ୪୦ ପଇସା ହିସାବରେ ସାଇବର ଅପରାଧୀ ସଂପୃକ୍ତ କର୍ମଚାରୀଙ୍କୁ ଦେଉଛନ୍ତି। ଏହାକୁ ଅପରାଧୀମାନେ ଅନ୍‌ଲାଇନ୍‌ରେ କିଣିବା ପରେ ଟଙ୍କା ଠକେଇ କରୁଥିବା ଭଳି ସ˚ଘାତିକ ତଥ୍ୟ ଏବେ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତି ମୋଟ ୧୪ ଲକ୍ଷ ୬୮ ହଜାର ୨୩୮ ଟଙ୍କା ଠକେଇର ଶିକାର ହୋଇଥିଲେ। ରିଲାଏନ୍ସ ଜୀବନ ବୀମା ସ˚ସ୍ଥାରେ ସେ ଦୁଇଟି ବୀମା କରିଥିଲେ। ତାଙ୍କ ମୋବାଇଲ୍‌ ଫୋନ୍‌କୁ ୨୦୧୬ ଜୁନ୍‌ରେ ଏକ ଅଜଣା ନମ୍ବରରୁ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ୟୁନିୟନ୍‌ ସଲ୍ୟୁସନ୍‌ର ମାଲିକ ଭାବେ ପରିଚୟ ଦେଇଥିଲେ। ତାଙ୍କ ସ˚ସ୍ଥା ରିଲାଏନ୍ସର ଏକ ସହଯୋଗୀ ସ˚ସ୍ଥା ହୋଇଥିବା ବେଳେ ୟୁନିୟନ୍‌ ସଲ୍ୟୁସନ୍‌ ମାଧ୍ୟମରେ କୌଣସି ବୀମା ରିଲାଏନ୍ସ ଜୀବନ ବୀମା ସ˚ସ୍ଥାରେ ରଖିଲେ ବର୍ଷକ ମଧ୍ୟରେ ବୀମା ଟଙ୍କା ଦୁଇ ଗୁଣ ହୋଇଯିବ ବୋଲି କହିଥିଲେ। ବଲାଙ୍ଗୀରର ସମ୍ପୃକ୍ତ ବ୍ୟକ୍ତି ଜଣକ ୨୦୧୬ ଜୁଲାଇରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ମୋଟ ୧୪ ଲକ୍ଷ ୬୮ ହଜାର ୨୩୮ ଟଙ୍କା ୟୁନିଅନ୍‌ ସଲ୍ୟୁସନ୍‌ ନାଁରେ ଦିଲ୍ଲୀ ବସନ୍ତ ବିହାର ଆଇସିଆସିଆଇ ବ୍ୟାଙ୍କ ଶାଖାରେ ଫୋନ୍‌ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ। ପରେ ସେ ଠକେଇର ଶିକାର ହୋଇଥିବା ଜଣା ପଡିଥିଲା। ବଲାଙ୍ଗୀରର ଉକ୍ତ ବ୍ୟକ୍ତି ଜଣକ କ୍ରାଇମ୍‌ବ୍ରାଞ୍ଚରେ ଏତଲା ଦେବା ପରେ ବୀମାଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ପଛରେ ଏଭଳି କାରନାମାର ପର୍ଦ୍ଦାଫାସ ହୋଇଛି। ବୀମା ସ˚ସ୍ଥା, ବ୍ୟାଙ୍କ ଏବ˚ କଲ୍‌ ସେଣ୍ଟରର କର୍ମଚାରୀ ହିଁ ଏଭଳି ଟଙ୍କା ଲୋଭରେ ତଥ୍ୟ ବିକ୍ରି କାରବାର କରୁଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର