ବେସରକାରୀ ମେଡିକାଲ ଅନୁଷ୍ଠାନ ଫୋରମ୍‌ର ଚେତାବନୀ : ମାସେ ଭିତରେ ଦାବି ପୂରଣ ନ ହେଲେ ମେ’୨୫ରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର : ବେସରକାରୀ ମେଡିକାଲ ଅନୁଷ୍ଠାନ ଫୋରମ୍‌ର ରହିଥିବା ଦାବିକୁ ଯଦି ରାଜ୍ୟ ଆସନ୍ତା ୧ମାସ ମଧ୍ୟରେ ପୂରଣ ନ କରନ୍ତି ତେବେ ମେ’୨୫ତାରିଖରେ ରାଜ୍ୟର ସମସ୍ତ ବେସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନ ଗୋଟିଏ ଦିନ ପାଇଁ ବନ୍ଦ ରହିବ।

ଆଜି ଆଇଏମ୍‌ଏ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଫୋରମ୍‌ ଏଭଳି ଚେତାବନୀ ଦେଇଛି। ଫୋରମ୍‌ର ସଭାପତି ଡା.ଅଜୟ କୁମାର ମିଶ୍ର କହିଲେ, ରାଜ୍ୟରେ ଏବେ ୧୭ଶହ ପଞ୍ଜୀକୃତ ସ୍ୱାସ୍ଥ୍ୟାନୁଷ୍ଠାନ ରହିଛନ୍ତି। ସେଥିରୁ ୧ହଜାର ହେଉଛନ୍ତି ଡାଏଗ୍ନୋଷ୍ଟିକ୍‌ ସେଣ୍ଟର ଓ ପରୀକ୍ଷାଗାର। ମାତ୍ର ୭୦୦ ସ୍ୱାସ୍ଥ୍ୟାନୁଷ୍ଠାନରେ ଶଯ୍ୟା ଥିବା ବେଳେ ତହିଁରୁ ୯୦ପ୍ରତିଶତ ହେଉଛନ୍ତି ୩୦ଶଯ୍ୟାରୁ କମ୍‌। ମାତ୍ର ରାଜ୍ୟ ସରକାର ବେସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହନ ଦେଉ ନାହାନ୍ତି। ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକର ପଞ୍ଜୀକରଣ ଓ ନବୀକରଣ ହୋଇପାରୁ ନାହିଁ। ଅନେକ ନୂତନ ସ୍ୱାସ୍ଥ୍ୟାନୁଷ୍ଠାନ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ ହେଁ ସେମାନଙ୍କ ଆବେଦନ ପଡ଼ି ରହିଛି। ୨୦୧୪ ମସିହାରୁ ଅଗ୍ନିଶମ ଅନୁମୋଦନ ବିନା ବେସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନ ଗୁଡ଼ିକର ପଞ୍ଜୀକରଣ ଓ ନବୀକରଣ ହୋଇପାରିବ ନାହିଁ ବୋଲି ଅଗ୍ନିଶମ ନିର୍ଦେଶକ ନିର୍ଦେଶ ଦେଇଥିଲେ। ଏଭଳି ନିର୍ଦେଶନାମା ଯୋଗୁଁ ବେସରକାରୀ ସ୍ୱାସ୍ଥ୍ୟନୁଷ୍ଠାନଗୁଡ଼ିକର ଅଗ୍ନିଶମ ଅନୁମୋଦନ ପାଇପାରୁ ନାହାନ୍ତି।

ସେହିପରି ୨୦୧୬ ମସିହାରେ ଡିଏମ୍‌ଇଟି ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକର ପଞ୍ଜୀକରଣ ଓ ନବୀକରଣ କ୍ଷମତା ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍‌ଙ୍କୁ ହସ୍ତାନ୍ତର କରିବା ପରେ ନାଲିଫିତା ତଳେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟାନୁଷ୍ଠାନ ଗୁଡ଼ିକୁ ସିଲ୍‌ କରିଦେବା ପାଇଁ ଧମକ ଦିଆଯାଉଛି। ଏହାସହ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଉପରେ ଆକ୍ରମଣ ହେଲେ ଯେଉଁ ଦଣ୍ଡବିଧାନ ହୋଇଛି ବେସରକାରୀ ଡାକ୍ତରଖାନାରେ ଏହାକୁ ଲାଗୁ କରାଯାଇ ନାହିଁ। ତେଣୁ ଏହି ନିୟମ ମଧ୍ୟ ବେସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନରେ ଲାଗୁ କରାଯାଉ ବୋଲି ଡା.ମିଶ୍ର କହିଥିଲେ।

ସଂପାଦକ ଡା.ଇନ୍ଦ୍ରମଣି ଜେନା କହିଲେ, ଏସବୁ ପ୍ରସଙ୍ଗ ନେଇ ୨୦୧୬ ନଭେମ୍ବର ୧ତାରିଖରେ ଫୋରମ୍‌ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା। ଏହି ସମୟରେ ସ୍ୱାସ୍ଥ୍ୟ ସଚିବ ସୀମିତ ସମୟ ମଧ୍ୟରେ ବେସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନ ଗୁଡ଼ିକର ପଞ୍ଜୀକରଣ ଓ ନବୀକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ତେଣୁ ଆସନ୍ତା ମାସକ ଭିତରେ ଏସବୁ ଦାବି ପୂରଣ ନ ହେଲେ ମେ’୨୫ତାରିଖରେ ସମସ୍ତ ବେସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନ ଗୋଟିଏ ଦିନ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଯଦି ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯିବ ବୋଲି ଡା.ଜେନା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଡା.ଜଗନ୍ନାଥ ମହାପାତ୍ର, ଡା.କୃପାସିନ୍ଧୁ ପଣ୍ଡା, ଡା.ସୁବ୍ରତ ଜେନା ଓ ଡା.ଦେବଦତ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର