ସରକାରଙ୍କ ସହ ଆଲୋଚନା ବିଫଳ : ୨୫ରେ ବନ୍ଦ ରହିବ ଘରୋଇ ମେଡିକାଲ୍‌

ଭୁବନେଶ୍ୱର : ଓଡ଼ିଶାର ଘରୋଇ ଡାକ୍ତରଖାନା ଓ ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ର ପ୍ରତି ଓଡ଼ିଶା ସରକାରଙ୍କ କଠୋର ଓ ବୈମାତୃକ ମନୋଭାବ ବିରୋଧରେ ଦୀର୍ଘଦିନ ଧରି ସ୍ୱର ଉଠାଇବା ପରେ ଘରୋଇ ମେଡିକାଲ୍‌ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯାଇଛି। ‘ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଫୋରମ୍‌’ ପକ୍ଷରୁ ଆଏମ୍‌ଏ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଓଡ଼ିଶାରେ ସମସ୍ତ ଘରୋଇ ମେଡିକାଲ୍‌ ଓ ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ରଗୁଡ଼ିକ ଆସନ୍ତା ୨୫ ତାରିଖରେ ବନ୍ଦ ହେବା ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି।

ଫୋରମ୍‌ର ସଭାପତି ଡା. ଅଜୟ ମିଶ୍ର କହିଛନ୍ତି ଯେ, ରାଜ୍ୟର ସମଗ୍ର ସ୍ୱାସ୍ଥ୍ୟ ସେବାର ୮୦ ଭାଗ ଘରୋଇ ଚିକିତ୍ସାନୁଷ୍ଠାନ ବହନ କରିଛନ୍ତି। କିନ୍ତୁ ଏବେ ପଞ୍ଜୀକରଣଠୁ ନେଇ ନବୀକରଣ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ। ସରକାର ୨୦୧୬ରୁ ପରିବର୍ତିତ କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ରୁଲ୍‌ ଆଣିଥିଲେ ହେଁ ଏଯାଏଁ ତାହା ତ କାର୍ଯ୍ୟକାରୀ ହେଲା ନାହିଁ, ପୁଣି ଏହି ଆଇନ୍‌ରେ ଥିବା କଠୋର ନିୟମ ସମସ୍ତ ଘରୋଇ ମେଡିକାଲ୍‌ ଓ ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ର ପାଇଁ ଦୁରୁହ ବ୍ୟାପାର ହୋଇଛି। ଦେଶରେ ସବୁ ରାଜ୍ୟରେ ଚିକିତ୍ସାରତ ଡାକ୍ତରଖାନାଗୁଡ଼ିକରେ ସୁରକ୍ଷା ପାଇଁ ଆଇନ୍‌ ଥିଲେ ହେଁ ଓଡ଼ିଶାରେ ଏହା କେବଳ ସରକାରୀ ଡାକ୍ତରଖାନା ମଧ୍ୟରେ ସୀମିତ ରହିଛି। ତେଣୁ ସରକାରଙ୍କ ଏ ପ୍ରକାର ନିୟମକୁ ଫୋରମ୍‌ ପକ୍ଷରୁ ଘୋର ବିରୋଧ କରାଯାଇଛି। ଏନେଇ ଫୋରମ୍‌ର ସମ୍ପାଦକ ଡା. ଇନ୍ଦ୍ରମଣି ଜେନା କହିଛନ୍ତି, ହରିୟାଣାରେ ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ମଧ୍ୟ ପଞ୍ଜୀକରଣ କରିବାକୁ ପଡ଼ୁ ନଥିବା ବେଳେ ଓଡ଼ିଶାରେ ବେଡ୍‌ ନଥିବା ମେଡିକାଲ୍‌ଗୁଡ଼ିକୁ ମଧ୍ୟ ପଞ୍ଜୀକରଣ କରିବାକୁ ନିୟମ କରାଯାଇଛି। ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ୍‌ ପାଇଁ ଅଗ୍ନିଶମ, ବର୍ଜ୍ୟବସ୍ତୁ ନିଷ୍କାସନ, ବହୁବିଧ ଟିକସ ବ୍ୟବସ୍ଥା ରହିଥିବା ବେଳେ ଗୋଟିଏ ବେଡ୍‌ ଥିବା ମେଡିକାଲ୍‌ ପାଇଁ ମଧ୍ୟ ଏହି ନିୟମ ରହିଛି। ଏନେଇ ସରକାରଙ୍କୁ ଦାବିପତ୍ର ଦିଆଯିବା ସହ ବାରମ୍ବାର ଆଲୋଚନା ହୋଇଥିଲେ ହେଁ ସୁଫଳ ମିଳିପାରିନାହିଁ। ତେଣୁ ସରକାରଙ୍କ ଏହି କଠୋର ନିୟମକୁ ବିରୋଧ କରି ସମସ୍ତ ଘରୋଇ ହସ୍ପିଟାଲ୍‌, ନର୍ସିଂହୋମ୍‌ ଓ ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ରଗୁଡ଼ିକ ଆସନ୍ତା ୨୫ ତାରିଖରେ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ତେଣୁ ସଂପୃକ୍ତ ଦିନଟି ସ୍ୱାସ୍ଥ୍ୟସେବା ବ୍ୟାହତ ହେବାକୁ ଥିବାରୁ ଜନସାଧାରଣଙ୍କ ନିକଟରେ ଫୋରମ୍‌ ପକ୍ଷରୁ ଆଗୁଆ ଦୁଃଖ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର