ଘରୋଇ ସ୍କୁଲ୍‌ ଫି’ ପ୍ରସଙ୍ଗ : କାହା ସ୍ବାର୍ଥରେ ଗଣଶିକ୍ଷା ବିଭାଗ?

ଅଭିଭାବକଙ୍କୁ ଶୋଷି ଚାଲିଛନ୍ତି ବିଦ୍ୟାଳୟ
ମାସେ ହେଲା ରିପୋର୍ଟ ମାଡ଼ି ବସିଛନ୍ତି ସରକାର
ଲାଗୁ ନକଲେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି
ବାର୍ଷିକ ୮%ରୁ ଅଧିକ ଫି’ ବଢ଼ିବନି
ପିଛିଲା ବର୍ଷରୁ ଲାଗୁ କରିବାକୁ ସୁପାରିସ୍‌

ଭୁବନେଶ୍ବର : ରାଜ୍ୟରେ ଅଣ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲଗୁଡ଼ିକରେ ମାତ୍ରାଧିକ ଫି’ ଆଦାୟ ହେଉଥିବା ନେଇ ଅଭିଯୋଗ ହେବା ପରେ ଏବେ ରାଜ୍ୟ ସରକାର ଚେତିଛନ୍ତି। କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ଫି’ ରହିବ ସେ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହୋଇଛି। ବିଭାଗୀୟ ନିର୍ଦ୍ଦେଶକ ଏହାକୁ ତୁରନ୍ତ ଲାଗୁ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦେଇଥିଲେ ହେଁ ବିଭାଗ ଏହାକୁ ମାଡ଼ି ବସିଛି। ଗଣଶିକ୍ଷା ବିଭାଗ ନଭେମ୍ବର ୧୪ରୁ ଏହି ରିପୋର୍ଟ ପାଇଥିଲେ ବି କାହା ସ୍ବାର୍ଥରେ ପ୍ରାୟ ଏକ ମାସ ହେଲା ଏହାକୁ ଲାଗୁ କରିପାରୁନି ସେନେଇ ସନ୍ଦେହ ସୃଷ୍ଟି ହେଲାଣି। ଏହାକୁ ନେଇ ଏବେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୟୁକେଜିରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ସ୍ଲାବ୍‌ରେ ଫି’ ଧାର୍ଯ୍ୟ କରାଯାଇଛି। ଏଥିରେ ୟୁକେଜି ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବାର୍ଷିକ ଫି’ ସର୍ବାଧିକ ୧୫ହଜାର ଟଙ୍କା ରଖାଯାଇଥିବାବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଫି’ ସର୍ବାଧିକ ୧୭ହଜାର ଟଙ୍କା, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଫି’ ୨୦ହଜାର, ନବମ ଓ ଦଶମ ଶ୍ରେଣୀ ପାଇଁ ୨୨ହଜାର ଟଙ୍କା, ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପାଇଁ ୨୫ହଜାର ଟଙ୍କା ଏବଂ ଏହି ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ୨୭ହଜାର ଟଙ୍କା ଫି’ ରଖାଯାଇଛି। ବର୍ଷକୁ ସର୍ବାଧିକ ୮% ପର୍ଯ୍ୟନ୍ତ ଫି’ ବଢ଼ିପାରିବ। ଏହି ଫି’ ଷ୍ଟ୍ରକଚର୍ ୨୦୧୭-୧୮ ମସିହାରୁ ଲାଗୁ କରିବାକୁ କୁହାଯାଇଛି। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ଫି’ ଆଦାୟ କରିନେଇଛନ୍ତି ସେମାନେ ଯଦି ଅଧିକ ଫି’ ନେଇଥିବେ ତାହାକୁ ତୁରନ୍ତ ଫେରାଇବାକୁ କୁହାଯାଇଛି।

ଏଥିରେ ରେଜିଷ୍ଟ୍ରେସନ୍ ଫି’, ନାମ ଲେଖା ଫି’, ପରୀକ୍ଷା ଫି’, ସାମଗ୍ରିକ ବାର୍ଷିକ ଫି’କୁ ମିଶାଇ ଉପରୋକ୍ତ ଫି’ ଧାର୍ଯ୍ୟ ହୋଇଛି। ଏହାବାଦ୍ ସ୍କୁଲ କର୍ତ୍ତୃପକ୍ଷ ଅପ୍ସନାଲ୍‌ ଫି’ ଭାବେ ପରିବହନ, ବୋର୍ଡିଂ, ଡେ ବୋର୍ଡିଂ, ମେସ୍ କିମ୍ବା ଡାଇନିଂ, ବଣଭୋଜି ଏବଂ ଏହି ସମ୍ବନ୍ଧୀୟ ଫି’ ଆଦାୟ କରିପାରିବେ।

କିନ୍ତୁ ନିର୍ଦ୍ଦେଶାଳୟ ଏହି ରିପୋର୍ଟରେ ଗୋଟିଏ କେଁ ରଖିଦେଇଛି। ଯଦି କୌଣସି ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ୍‌ ଫି’ ଅଧିକ ଆଦାୟ କରିବାକୁ ଚାହୁଁଥିବେ ସେଥିପାଇଁ ଆବଶ୍ୟକୀୟ କାରଣ ନିର୍ଦ୍ଦେଶାଳୟ ନିକଟରେ ଦାଖଲ କରିବେ। ନିର୍ଦ୍ଦେଶାଳୟ ଏହାକୁ ମଞ୍ଜୁର କଲେ ଅଧିକ ଫି’ ଆଦାୟ କରିପାରିବେ।

ଏହାଦ୍ବାରା ରାଜ୍ୟରେ ଥିବା ବଡ଼ବଡ଼ ସ୍କୁଲ୍‌ଗୁଡ଼ିକ ଅଧିକ ଉପକୃତ ହେବେ ବେ‌ାଲି କେତେକ ଅଭିଭାବକ କହିଛନ୍ତି। ବଡ଼ ବଡ଼ ସ୍କୁଲଗୁଡ଼ିକ ଯେପରି ବିଭିନ୍ନ ଆଳ ଦେଖାଇ ଫି’ ଆଦାୟ କରିପାରି‌ବେ ସେ ନେଇ ଏହି ରିପୋର୍ଟରେ ଗଳାବାଟ ରଖାଯାଇଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗଠନ ହୋଇଥିବା ଫି’ ରେଗୁଲେସନ୍ କମିଟି ରାଜ୍ୟର ବିଭିନ୍ନ ଷ୍ଟେକ୍ ହୋଲ୍ଡର, ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ଅନଲାଇନ୍‌ରେ ମତାମତ ସଂଗ୍ରହ , ବିଭିନ୍ନ ରାଜ୍ୟର ଘରୋଇ ସ୍କୁଲ ପାଇଁ ଲାଗୁ ହୋଇଥିବା ଫି’ ଷ୍ଟ୍ରକଚର୍‌, ଅଭିଭାବକ ସଂଘ ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି।

ଫି’ ରେଗୁଲେସନ୍ କମିଟି ସେପ୍ଟେମ୍ବର ୭ରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବା ପରେ ନିର୍ଦ୍ଦେଶାଳୟ ଏହାକୁ ତର୍ଜମା କରି ନଭେମ୍ବର ୧୪‌େର ଗଣଶିକ୍ଷା ବିଭାଗକୁ ଦେଇଛି। କିନ୍ତୁ ବିଭାଗ ଏହାକୁ ଚାପି ରଖିଛି।

ଫି’ ରେଗୁଲେସନ କମିଟି ସୁପାରିସ୍ କରିଛି ଯେ, ଯଦି କୌଣସି ସ୍କୁଲ ଅଧିକ ଫି’ ଆଦାୟ କରୁଥିବ ତେବେ ଛାତ୍ରଛାତ୍ରୀ ବା ଅଭିଭାବକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ‌ ନିକଟରେ ଅଭିଯୋଗ କରିପାରିବେ। ଏନେଇ ଆବଶ୍ୟକୀୟ ତଦନ୍ତ କରି ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ନେବ। ସ୍କୁଲ ବିରୋଧରେ ପ୍ରଥମ ଅଭିଯୋଗ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ସହ ଅଭିଯୋଗକାରୀଙ୍କୁ ବର୍ଦ୍ଧିତ ଫି’ ଫେରାଯିବ। ଦ୍ବିତୀୟ ଅଭିଯୋଗ ଆସିଲେ ୫ଲକ୍ଷ ଟଙ୍କା ଜରିମାନା ସହ ବର୍ଦ୍ଧିତ ଫି’ ଫେରାଯିବ। ତୃତୀୟ ଥର ଅଭିଯୋଗ ଆସିଲେ ସ୍କୁଲର ସ୍ବୀକୃତି ପ୍ରତ୍ୟାହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ପ୍ରତ୍ୟେକ ସ୍କୁଲରେ ଏକ ଅଭିଯୋଗ ପ୍ରକୋଷ୍ଠ ରହିବ। ଏହା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଅଭିଯୋଗର ସମାଧାନ କରିବ। ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସିସିଟିଭି ଲଗାଯିବ। ଏହାସହ ଛାତ୍ରଛାତ୍ରୀ ସ୍କୁଲକୁ ଆସୁଥିବା ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର