ପୁରସ୍କାର ପ୍ରୋତ୍ସାହନ ଯୋଗାଇବ: ଶରତ କୁମାର ସାହୁ

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

0

ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା କମ୍ପାନି/ବ୍ରାଣ୍ଡ୍‌ସ ଗୁଡ଼ିକୁ ସ୍ୱୀକୃତି ପ୍ରଦାନ ଲାଗି ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ୍ରଆରମ୍ଭ ହୋଇଛି ଅଭିନବ ଅଭିଯାନ। ଆସନ୍ତା ଜାନୁଆରି ୧୯ ତାରିଖରେ ସରକାରୀ ଉଦ୍ୟୋଗଠାରୁ ଆରମ୍ଭ କରି କ୍ଷୁଦ୍ର ଉଦ୍ୟୋଗ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ-ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସମ୍ବାଦର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଏ ସମ୍ପର୍କରେ ରୁଚି ଉଦ୍ୟୋଗର ପରିଚାଳନା ନିର୍ଦେଶକ ଶରତ କୁମାର ସାହୁଙ୍କ ମତାମତକୁ ନେଇ ‘ସମ୍ବାଦ’ର ସ୍ୱତନ୍ତ୍ର ଉପସ୍ଥାପନା।

ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮ ସମ୍ପର୍କରେ ଆପଣ କ’ଣ କହିବେ?
‘ସମ୍ବାଦ’ର ଏହି ପ୍ରୟାସ ଅତ୍ୟନ୍ତ ଉଲ୍ଲେଖନୀୟ। ଶିଳ୍ପ ସଂସ୍ଥାଗୁଡ଼ିକ ନିକଟରେ ଏହା ମହତ୍ତ୍ୱ ରଖେ। ଏହି ପ୍ରଚେଷ୍ଟା ଦ୍ୱାରା ଯେଉଁ ଶିଳ୍ପସଂସ୍ଥାଗୁଡ଼ିକ ରାଜ୍ୟ ତଥା ଦେଶର ଅର୍ଥନୀତି ପାଇଁ ଅବଦାନ ରଖୁଛନ୍ତି, ସେମାନଙ୍କ ମଧ୍ୟରୁ ଯୋଗ୍ୟ ସଂସ୍ଥାଗୁଡ଼ିକୁ ଚୟନ କରାଯାଇପାରିବ। କାରଣ, ଉଦ୍ୟୋଗୀ ହେବା ଆଦୌ ସହଜ ନୁହେଁ। ଏହି ପୁରସ୍କାର ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇପାରିବ।

ଶିଳ୍ପସଂସ୍ଥାଗୁଡ଼ିକ ଏହି ଚୟନ ପ୍ରକ୍ରିୟାରେ ସାମିଲ୍‌ ହେବା କେତେଦୂର ଜରୁରୀ ବୋଲି ଭାବୁଛନ୍ତି?
ଯେ କୌଣସି କ୍ଷେତ୍ରରେ ପ୍ରତିଯୋଗିତା ସ୍ୱାଗତଯୋଗ୍ୟ। କିନ୍ତୁ ଏହା ସବୁବେଳେ ଉତ୍କର୍ଷ ଖୋଜି ପାଇବା ପାଇଁ କାର୍ଯ୍ୟ କରିବା ଉଚିତ। ମୁଁ ଭାବୁଛି ‘ସମ୍ବାଦ’ର ଏହି ଉଦ୍ୟମ ନିଶ୍ଚିତ ଭାବେ ଶିଳ୍ପ ସଂସ୍ଥାକୁ ଅଧିକ ଉତ୍ସାହିତ କରିବ ଏବଂ ବହୁ ସଂଖ୍ୟାରେ ଶିଳ୍ପସଂସ୍ଥା ଗୁଡ଼ିକ ଏଥିରେ ସାମିଲ୍‌ ହେବେ ବୋଲି ମୁଁ ଆଶା ରଖୁଛି। ଏଥିପାଇଁ ରହିଥିବା ବିଚାରକମଣ୍ଡଳୀ ସଠିକ୍‌ ଭାବେ ନିର୍ଣ୍ଣୟ କରିବେ।

ଆପଣ ଭାବୁଛନ୍ତି କି ଏହା ନୂଆ ପିଢ଼ିଙ୍କୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉତ୍ସାହିତ କରିବ?
ନିଶ୍ଚିତ। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବବର୍ଗ ଆଗେଇ ଆସିବା ଉଚିତ। ସେମାନଙ୍କୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୋତ୍ସାହନ ଯୋଗାଇବାର ଆବଶ୍ୟକତା ରହିଛି।

ବର୍ତ୍ତମାନ ରାଜ୍ୟରେ ଶିଳ୍ପସଂସ୍ଥାଗୁଡ଼ିକ ସ୍ଥିତି କିଭଳି?
ଜିଏସ୍‌ଟି ଶିଳ୍ପସଂସ୍ଥାଗୁଡ଼ିକ ଉପରେ ପ୍ରଭାବ ପକାଇଥିଲା। ଏବେ କିଛି କିଛି ପରିସ୍ଥିତିରେ ସୁଧାର ଆସୁଛି। ମୁଁ ଭାବୁଛି ରାଜ୍ୟରେ ଶିଳ୍ପସଂସ୍ଥା ପାଇଁ ଏକ ଅନୁକୂଳ ପରିବେଶ ଅଛି। ଏ କ୍ଷେତ୍ରରେ ଉଦ୍ୟୋଗପତିମାନେ ପାଦ ଥାପିବା ସହିତ ରାଜ୍ୟ ଅର୍ଥନୈତିକ ବିକାଶରେ ନିଜକୁ ସାମିଲ୍‌ କରିବା ଉଚିତ। କାରଣ, ଶିଳ୍ପ ପ୍ରତିଷ୍ଠା ଦ୍ୱାରା ବ୍ୟାପକ ନିଯୁକ୍ତି ସୃଷ୍ଟି ହେବା ସହିତ ସାମାଜିକ ତଥା ଅନ୍ୟାନ୍ୟ ଅର୍ଥନେତିକ କ୍ଷେତ୍ରଗୁଡ଼ିକ ବିକଶିତ ହୋଇପାରିବ।

ଏହି କିଛି ବର୍ଷ ମଧ୍ୟରେ ରାଜ୍ୟର ଶିଳ୍ପ ମାନଚିତ୍ରରେ କିଭଳି ପରିବର୍ତ୍ତନ ହୋଇଛି ବୋଲି ଆପଣ ମନେ କରୁଛନ୍ତି? ରାଜ୍ୟ ଅର୍ଥନୀତି ସହିତ ଏହା କିଭଳି ଯୋଡ଼ିହୋଇଛି?
୩୦ ବର୍ଷ ତଳେ ମୁଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପାଦ ଥାପିଥିଲି। ଇଟାଲୀ, ଜର୍ମାନୀ, ଦକ୍ଷିଣଆଫ୍ରିକା ଭଳି ଦେଶରୁ ଯେଉଁ ଜ୍ଞାନକୌଶଳ ହାସଲ କରିଥିଲି, ତାହାକୁ ଏଠାରେ ଉପଯୋଗ କରିଥିଲି। ସେତେବେଳେ ଏହିଭଳି ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଆଦୌ ଚିନ୍ତା କରିନଥିଲେ। ଏବେ ବହୁ ଶିଳ୍ପ ପ୍ରତିଷ୍ଠା ହୋଇଛି। ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇଛି। ମାତ୍ର, ଶିଳ୍ପ ସଂସ୍ଥାଗୁଡ଼ିକ ନିଜେ ରୁଗ୍‌ଣ ହୋଇ ଅନ୍ୟକୁ ରୁଗ୍‌ଣ କରିବା ମାନସିକତାରୁ ନିବୃତ ହେବା ଉଚିତ। ଉଦ୍ୟୋଗ ଗୁଡ଼ିକ ପାରସ୍ପାରିକ ସହଯୋଗ ସହିତ ସକାରାତ୍ମକ ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ଉଚିତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.