୧୫ ଲକ୍ଷ ଟଙ୍କା ନେଇ ହଟହଟା

ଭୁବନେଶ୍ବର/ବାରଙ୍ଗ: ସରଗରମ ଭୁବନେଶ୍ବର ରାଜନୀତି। ୬ ଦିନ ପରେ ଭୁବନେଶ୍ବର ଓ କଟକ ଲୋକସଭା କ୍ଷେତ୍ର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରାର୍ଥୀମାନେ ବିଭିନ୍ନ ପନ୍ଥା ଆପଣାଇବାରେ ଲାଗିପଡ଼ିଛନ୍ତି। ଭୋଟରମାନଙ୍କୁ କିଭଳି ନିଜ ସପକ୍ଷକୁ ଆଣିବେ ସେଥିପାଇଁ ପ୍ରାଣମୂର୍ଚ୍ଛ ଉଦ୍ୟମ କରୁଛନ୍ତି। ବିଭିନ୍ନ ପନ୍ଥା ମଧ୍ୟ ଆପଣାଉଛନ୍ତି। ଯାହା ଉପରେ କଡ଼ା ନଜର ରଖିଛି ଫ୍ଲାଇଂ ସ୍କ୍ବାଡ୍‌। ଘନ ଘନ ଚଢ଼ାଉ ଜାରି ରହିଛି। ଭୁବନେଶ୍ବରର ସମସ୍ତ ପ୍ରବେଶ ପଥରେ କାର୍‌, ବାଇକ୍‌ଗୁଡ଼ିକୁ ଯାଞ୍ଚ କରାଯାଉଛି। ଏଥିସହ ଯଦି କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପ୍ଲାଇଂ ସ୍କ୍ବାଡ୍‌ ଓ ପୁଲିସ ପକ୍ଷରୁ ଭୁବନେଶ୍ବର-କଟକ ରାସ୍ତା (ଭାୟା ନନ୍ଦନକାନନ)ରେ ଯାଞ୍ଚ ଚାଲିଥିବା ବେଳେ ଆଜି ଅପରାହ୍‌ଣରେ ୧୫ ଲକ୍ଷ ଟଙ୍କା ଧରାପଡ଼ିଥିଲା। ନନ୍ଦନକାନନ ଥାନା ଅଞ୍ଚଳରେ ଏକ ଓଲା କାର୍‌ରେ ୧୫ ଲକ୍ଷ ୨୦ ହଜାର ଟଙ୍କା ଯାଉଥିବା ବେଳେ ସ୍କ୍ବାଡ୍‌ ଗାଡ଼ିକୁ ଅଟକ ରଖିଥିଲା। ସ୍କ୍ବାଡ୍‌ର ୮ ଜଣିଆ ଦଳ ଗାଡ଼ିରେ ଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରିବାରୁ ଜାଣାପଡ଼ିଥିଲା ଯେ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଦାଢ଼ା ଶାଖାରୁ ଏହି ଟଙ୍କା ଭୁବନେଶ୍ବରସ୍ଥିତ ମୁଖ୍ୟ ବ୍ୟାଙ୍କକୁ ଜମା ପାଇଁ ଯାଉଥିଲା। ତେବେ ଯାଞ୍ଚକାରୀ ଦଳ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଏ ସମ୍ପର୍କିତ ଆବଶ୍ୟକୀୟ ପ୍ରମାଣପତ୍ର ମାଗିଥିଲେ। ହେଲେ କର୍ମଚାରୀ ଜଣକ କୌଣସି ଅନୁମତିପତ୍ର ଦେଖାଇ ନ ପାରିବାରୁ ଯା‌ଞ୍ଚକାରୀ ଦଳ ଟଙ୍କାକୁ ନନ୍ଦନକାନନ ଥାନା ପୁଲିସ ଜିମା ଦେଇ ଚାଲିଯାଇଥିଲେ। କିଛି ସମୟ ପରେ କର୍ମଚାରୀ ଜଣକ ଦାଢ଼ାସ୍ଥିତ ବ୍ୟାଙ୍କରୁ ଆବଶ୍ୟକ ପ୍ରମାଣପତ୍ର ଆଣି ଥାନାରେ ଦେଖାଇବା ପରେ ମୁକୁଳି ଥିଲେ।

ସମ୍ବନ୍ଧିତ ଖବର