ପାଟକୁରାର ୪ଟି ବୁଥରେ ଇଭିଏମ ଅଚଳ, ଗଣ୍ଡଗୋଳ ଯୋଗୁଁ ଗୋଟିଏ ବୁଥରେ ମତଦାନ ବାଧାପ୍ରାପ୍ତ

କେନ୍ଦ୍ରାପଡା/ପାଟକୁରା: କେନ୍ଦ୍ରାପଡା ଜିଲ୍ଲା ପାଟକୁରାରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି | କିନ୍ତୁ ଏଯାବତ ମିଳିଥିବା ସୂଚନା ମୁତାବକ ୪ଟି ବୁଥରେ ଇଭିଏମ ଅଚଳ ହୋଇଥିବା ବେଳେ ଗୋଟିଏ ବୁଥରେ ଗଣ୍ଡଗୋଳ ଯୋଗୁଁ ମତଦାନ ବନ୍ଦ ରହିଛି | ଅନ୍ୟପଟେ ବର୍ଷା ହେଉଥିଲେ ବି ମତଦାତାଙ୍କ ଉତ୍ସାହ କମିନାହିଁ | ତେବେ ପଦ୍ମପୁର ୩୦୭ ବୁଥରେ ଗଣ୍ଡଗୋଳ ହୋଇଥିବାବେଳେ ମତଦାନ ବନ୍ଦ ରହିଛି | ବଳରାମପୁରର ବୁଥ ନମ୍ବର ୨୦୧ ଓ ୨୦୨ ରେ ଇଭିଏମ ଅଚଳ ହୋଇଯାଇଛି, ଯାହାଫଳରେ ସେଠାରେ ମତଦାନ ବିଳମ୍ବିତ ହୋଇଛି |

ସେହିପରି ମରିଲୋରେ ମଧ୍ୟ ଇଭିଏମ ଅଚଳ ହୋଇଥିବା ଯୋଗୁଁ ୧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା | ପାଟକୁରାର ଚଉରା ବାରିମୂଳ ପଞ୍ଚାୟତର ତେହେଡା ବୁଥ ୧୨୮ରେ ଇଭିଏମ ଅଚଳ ହୋଇଯାଇଛି । ନଡ଼ିଆବୋରେଇର ବୀରବଳରାମପୁରରେ ସୌର ଲଣ୍ଠନ ଜଳୁନଥିବାବେଳେ ଟର୍ଚ୍ଚ ଆଲୁଅରେ ମତଦାନ କରାଯାଉଛି |

କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ମାର୍ଶାଘାଇ ଓ ଗରଦପୁର ବ୍ଲକର ୫୧ଟି ପଂଚାୟତକୁ ନେଇ ଗଠିତ ପାଟକୁରା ଆସନରେ ୧୦ ଜଣ ବିଧାୟକ ପ୍ରାର୍ଥୀଙ୍କୁ ୨ ଲକ୍ଷ ୪୪ ହଜାର ୭୪୭ ଜଣ ମତଦାତା ଭୋଟ୍ ଦେଉଛନ୍ତି । ୩୦୯ଟି ବୁଥରେ ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏହି ନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨ଲକ୍ଷ ୪୪ହଜାର ୭୪୭ ମତଦାତା । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ୪ କମ୍ପାନୀ ସିଆରପିଏଫ୍ ଯବାନ ମୁତୟନ କରାଯିବା ସହ ୩୧ଟି ବୁଥରେ ୱେବ୍ କାଷ୍ଟିଂ , ୪୦ଟି ସ୍ଥାନରେ ସିସିଟିଭି, ୫୨ଜଣ ମାଇକ୍ରୋ ଅବଜରଭର, ୧୫ଟି ବୁଥରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି ।

ସମ୍ବନ୍ଧିତ ଖବର