ତ୍ରୁଟିପୂର୍ଣ୍ଣ ଆଡମିଟ୍‌ କାର୍ଡ: ପିଲାଙ୍କ ଭବିଷ୍ୟତ ସହ ଖେଳ

ରାଉରକେଲା : ତ୍ରୁଟିପୂର୍ଣ୍ଣ ଆଡମିଟ୍ କାର୍ଡ ପାଇଁ ରାଉରକେଲାର ଅନେକ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଶେଷ ହୋଇଯିବା ଜାଣି ବହୁ ପରୀକ୍ଷାର୍ଥୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାର ପରିଚାଳନାରେ ଏନ୍‌ଟିଏ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାର୍ଯ୍ୟକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀମାନେ ତୀବ୍ର ସମାଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଉ ଥରେ ପରୀକ୍ଷା କରିବାକୁ ଦାବି ହୋଇଛି।

ରାଉରକେଲା ସହରର ସେକ୍ଟର-୫ ଦୀପିକା ଇଂଲିଶ ମିଡିୟମ ସ୍କୁଲ୍‌ ଓ ସେକ୍ଟର ୨୧ ନୟାବଜାର ଗୁରୁ ନାନକ ପବ୍ଲିକ ସ୍କୁଲ୍‌ରେ ଆଜି ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍‌ଣ ୧ଟାରେ ଶେଷ ହୋଇଥିଲା। କିନ୍ତୁ ପରୀକ୍ଷା ଶେଷ ହେବା ପୂର୍ବରୁ ଏହି ଦୁଇ କେନ୍ଦ୍ର ଆଗରେ ଆହୁରି ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଅପେକ୍ଷା କରିଥିଲେ। ସେମାନଙ୍କ ଆଡମିଟ୍‌ କାର୍ଡରେ ପରୀକ୍ଷା ପାଇଁ ରିପୋର୍ଟିଂ ସମୟ ମଧ୍ୟାହ୍ନ ୧୨ଟା ରହିଥିଲା। ପରୀକ୍ଷା କେନ୍ଦ୍ର ଗେଟ୍‌ ଅପରାହ୍‌ଣ ସାଢେ ୧ଟାରେ ବନ୍ଦ ହେବ ବୋଲି ମଧ୍ୟରେ ଏଥିରେ ଉଲ୍ଲେଖ ରହିଥିଲା। ତ୍ରୁଟିପୂର୍ଣ୍ଣ ଆଡ୍‌ମିଟ୍‌ କାର୍ଡ ପାଇଥିବା ଛାତ୍ରଛାତ୍ରୀ ପ୍ରଥମେ ଭାବି ନେଇଥିଲେ ଯେ ବର୍ତ୍ତମାନ ପ୍ରଥମ ସିଟିଂ ପରୀକ୍ଷା ହେଉଛି, ସେମାନଙ୍କର ପରୀକ୍ଷା ଦ୍ବିତୀୟ ସିଟିଂରେ ହେବ। କିନ୍ତୁ ରିପୋର୍ଟିଂ ସମୟ ଆସିବାରୁ ପରୀକ୍ଷା କେନ୍ଦ୍ର ନିରୀକ୍ଷକ ସେମାନଙ୍କୁ ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦେଇ ନଥିଲେ। ଏହି ସମୟରେ କୌଣସି ପରୀକ୍ଷା ନାହିଁ, ନିଟ୍‌ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଥିବା କୁହାଯାଇଥିଲା। ଆଡମିଟ୍‌ କାର୍ଡରେ ଏଭଳି ତ୍ରୁଟି ଯୋଗୁଁ ବହୁ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟ‌କୁ ଠେଲି ଦେଇଥିବା ଜଣାପଡ଼ିବା ପରେ ପରୀକ୍ଷା କେନ୍ଦ୍ର ଆଗରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅନେକ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ନିରାଶ ହୋଇ ଘରକୁ ‌ଫେରିଥିଲେ।

ସମ୍ବନ୍ଧିତ ଖବର