ରଘୁଙ୍କୁ ଟି‌କେଟ୍ ପ୍ରଦାନ ନେଇ ଅସନ୍ତୋଷ : ଇସ୍ତଫା ଦେଲେ ବି‌ଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ଶ୍ୟାମାପ୍ରସାଦ

ଜିଲ୍ଲା ସାଧାରଣ ସଂପାଦକ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି ଦଳ ଛାଡ଼ିଲେ

ବାଲେଶ୍ବର: ଟି‌େକଟ ବଣ୍ଟାକୁ ବିରୋଧ କରି ଆଜି ବସ୍ତା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ପରିଷଦ ସଭ୍ୟ ଶ୍ୟାମାପ୍ରସାଦ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ବେହେରାଙ୍କ ସମେତ ଦଳର ଜିଲ୍ଲା ସାଧାରଣ ସଂପାଦକ ଅଜୟ କୁମାର ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ତୁଷାରକାନ୍ତ ବେହେରାଙ୍କ ସମେତ ବିଭିନ୍ନ ମଣ୍ଡଳର ସଭାପତି, ନେତା ଓ ବହୁ କର୍ମୀ ସମୂହ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଆଜି ବାଲେଶ୍ବର ସହରସ୍ଥିତ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏହି ସମ୍ମିଳନୀରେ ଇସ୍ତଫା ଦେଇଥିବା ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ରହି ବିଜେପି ବାଲେଶ୍ବର ଜିଲ୍ଲାର ନେତୃମଣ୍ଡଳୀ ଓ ରାଜ୍ୟ ନେତୃମଣ୍ଡଳୀଙ୍କ ଉପରେ ବର୍ଷିଥିଲେ। ଶ୍ରୀ ବେହେରା ଦଳର ତୃଣମୂଳସ୍ତରରୁ କାମ କରିଆସିଥିବା ବେଳେ ଦୀର୍ଘବର୍ଷ ଧରି ଆରଏସ୍‌ଏସ୍‌ ବିଜେପି ସଂଗଠନରେ ବିଭିନ୍ନ ଦାୟିତ୍ବ ନିର୍ବାହ କରିଥିବା କହିଛନ୍ତି। ସେ ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେପିରୁ ୧୯୯୫ ମସିହା ଓ ୨୦୧୪ ମସିହାରେ ପ୍ରାର୍ଥୀ ହୋଇଥିବା ବେଳେ ଏଥର ନିର୍ବାଚନ ପାଇଁ ଆଶାୟୀ ରହି ଆଗୁଆ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ମଙ୍ଗଳବାର ଦଳ ରଘୁନାଥ ମହାନ୍ତିଙ୍କୁ ଟି‌କଟ ପ୍ରଦାନ କରି ତାଙ୍କୁ ଏବଂ ବସ୍ତା ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ଅନ୍ୟାୟ କରିଥିବା ସେ ଅଭିଯୋଗ କରିଛନ୍ତି। ଯେଉଁ ବ୍ୟକ୍ତି ବିଜେପିକୁ ସାମ୍ପ୍ରଦାୟିକ ବୋଲି ଆଖ୍ୟା ଦେବା ସହ ବିଭିନ୍ନ ସମୟରେ ଦଳୀୟ କର୍ମୀଙ୍କୁ ମିଥ୍ୟା ମାମଲାରେ ଫସାଇଛନ୍ତି। ବିଜେପି ସେଭଳି ଏକ ବ୍ୟକ୍ତିଙ୍କୁ ଟିକଟ ଦେଇ ଭୂଲ କରିଥିବା ଶ୍ରୀ ବେହେରା କହିଥିଲେ। ଏଥିପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ମଦନମୋହନ ଦତ୍ତଙ୍କୁ ତୀବ୍ର ଭତ୍ସନା କରିଛନ୍ତି।

ଆଗାମୀ ନିର୍ବାଚନରେ ଏହାର ଜବାବ ନିଶ୍ଚିତ ଜନତା ଦେବେ ବୋଲି ଶ୍ୟାମାପ୍ରସାଦ କହିଛନ୍ତି। ତେବେ ସେ ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିସାରିଥିବା ବେଳେ ଏବେ ସେଥିରୁ ଓହରିବେ କି ଲଢ଼ିବେ ଓ ଅନ୍ୟ କେଉଁ ଦଳକୁ ଯିବେ କି ଚୁପ୍‌ ବସିବେ ସେନେଇ ନିଷ୍ପତ୍ତି ନେଇନଥିବା କହିଛନ୍ତି।

ସମ୍ବନ୍ଧିତ ଖବର