ଅବ୍ୟବସ୍ଥା ଘେରରେ କଂଟାବାଞ୍ଜି ଡାକ୍ତରଖାନା : ଆବଶ୍ୟକ ଡାକ୍ତର ନଥିବା ଯୋଗୁ ଗୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଡାକ୍ତରଖାନା କୌଣସି ନା କୋଣସି ସମସ୍ୟାକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ। ବର୍ତମାନ ମଧ୍ୟ ଏହି ଡାକ୍ତରଖାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଅନେକ ସମୟରେ ଡାକ୍ତରଖାନା ସମସ୍ୟାକୁ ଦେଖି ଲୋକେ କହିଥାନ୍ତି ଭଗବାନ ଭରସାରେ ଚାଲିଛି କଂଟାବାଞ୍ଜି ଡାକ୍ତରଖାନା। ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ସହ ପଡ଼ୋଶୀ ବ୍ଲକର ହଜାର ହଜାର ଲୋକ ଏହା ଉପରେ ନିର୍ଭର କରିଥାନ୍ତି। ଅନେକ ସମୟରେ କଂଟାବାଞ୍ଜି ଡାକ୍ତଖାନାକୁ କୌଣସି ରୋଗୀ ଆସିଲେ ଡାକ୍ତର ଅଭାବ ଥିବା ଯୋଗୁ ଦାୟିତ୍ବରେ ଥିବା ଡାକ୍ତର ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିଥାନ୍ତି। ଏହି ସମସ୍ୟା ଯୋଗୁ ରୋଗୀ ଅନେକ ସମୟରେ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ।

କଂଟାବାଞ୍ଜି ଡାକ୍ତରଖାନାରେ ପ୍ରତ୍ୟେକ ଦିନ ୨୦୦ରୁ ୩୦୦ ରୋଗୀ ଆସୁଥିବା ବେଳେ ମାସକୁ ୯ ହଜାର ଉପରେ ଚିକିତ୍ସା ପାଇଁ ଆସିଥାନ୍ତି। ଆବଶ୍ୟକ ଡାକ୍ତର ନଥିବା ଯୋଗୁ ଗୋଗୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କଂଟାବାଞ୍ଜି ଡାକ୍ତରଖାନାରେ ୯ ଜଣ ଡାକ୍ତର ଦରକାର ଥିବା ବେଳେ ବର୍ତମାନ ୬ ଜଣ ଡାକ୍ତର ଅଛନ୍ତି। ୬ ଡାକ୍ତରଙ୍କ ମଧ୍ୟରୁ ଜଣେ ମେଡିକାଲ ଇନଚାର୍ଜ ପ୍ରଦ୍ୟୁମ୍ନ ପାତ୍ର, ସ୍ତ୍ରୀ ରୋଗ ବିଶେଷଜ୍ଞ ଦିଲୀପ ସାହୁ ସହ ଅନ୍ୟମାନେ ଥିବା ବେଳେ ଏଠାରେ ମେଡିସିନ ବିଶେଷଜ୍ଞ, ଅସ୍ଥିଶୈଲ୍ୟ ବିଶେଷଜ୍ଞ ଭଳି ଅନେକ ଗୁରତୁତ୍ୱପୂର୍ଣ୍ଣ ବିଶେଷଜ୍ଞ ଡାକ୍ତର ଏଠାରେ ନାହାନ୍ତି। ଅନେକ ସମୟରେ କଂଟାବାଞ୍ଜି ଡାକ୍ତରଖାନା ପରିମଳ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥାଏ। ଅନେକ ସ୍ଥାନରେ କୁଢ଼ କୁଢ଼ ମଇଳା। ଡାକ୍ତରଖାନା ପରିସରରେ ଏକ ଶୌଚାଲୟ ଥିଲେ ମଧ୍ୟ ଅନେକ ସମୟରେ ବନ୍ଦ ରହୁଥିବା ଯୋଗୁ ଏଠାକୁ ଆସୁଥିବା ରୋଗୀ ତଥା ତାଙ୍କ ପରିଜନ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଶୌଚ ଏବଂ ପରିସ୍ରା ପାଇଁ ବିଶେଷ କରି ମହିଳାମାନଙ୍କୁ ହଟହଟା ହେବାକୁ ପଡ଼ିଥାଏ। ଡାକ୍ତରଖାନା ପରିସରରେ ପିଇବା ପାଣି ସମସ୍ୟା ଲାଗି ରହିଛି। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଋତୁରେ ଏନଏସି ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଅନ୍ୟ ଦିନଗୁଡ଼ିକରେ ଡାକ୍ତରଖାନା ପରିସରରେ ଥିବା ଅମୃତ ଧାରା ଏବଂ ଡାକ୍ତରଖାନା ଭିତରେ ଲାଗିଥିବା ପାନୀୟ ଜଳର ଫ୍ରିଜ କାମ କରୁ ନାହିଁ। ଫଳରେ ପାଣି ଟୋପାଏ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବକୁ ପଡ଼େ।

ଏ ସବୁ ସମସ୍ୟା ଉପରେ ଅନେକ ଥର ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ ଆନ୍ଦୋଳନ କରି ସମସ୍ୟା ସମାଧାନ ପାଇଁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ଦିନ ପାଇଁ ସବୁ ଠିକ ଠାକ ହୋଇଯାଏ। ପରେ ପୂର୍ବ ଭଳି ସମସ୍ୟା ଲାଗି ରହେ। ଆଗକୁ ଏହି ସବୁ ସମସ୍ୟାର ସାମାଧାନ କରାନଗଲେ ଏକ ବଡ଼ ଧରଣର ଆନ୍ଦୋଳନ ହୋଇପାରେ ବୋଲି କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଜବାଜ ହେଉଛନ୍ତି। ତୁରନ୍ତ ଏଥିପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର