ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଅର୍ଥନୀତିଜ୍ଞ, ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ତଥା ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ବୈଦ୍ୟନାଥ ମିଶ୍ରଙ୍କ ମଙ୍ଗଳବାର ରାତିରେ ସହିଦନଗରସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୯୯ବର୍ଷ ହୋଇଥିଲା। ଆଉ ୬ମାସ ପରେ ସେ ୧୦୦ବର୍ଷରେ ପାଦ ଥାପିଥାନ୍ତେ। ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ। ଆଜି ଅପରାହ୍‌ଣରେ ସତ୍ୟନଗରସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

ଖୋର୍ଧା ବୋଲଗଡ଼ସ୍ଥିତ ଦିବ୍ୟସିଂହପୁର ଶାସନରେ ୧୯୨୦ ମସିହା ନଭେମ୍ବର ୨୨ ତାରିଖରେ (ମାଟ୍ରିକ୍‌ ପ୍ରମାଣପତ୍ର ଅନୁସାରେ) ମହାଦେବ ମିଶ୍ର ଓ ମାଣିକ ଦେବୀଙ୍କଠାରୁ ଜନ୍ମିତ ବୈଦ୍ୟନାଥ ପିଲାବେଳୁ ବହୁ ପ୍ରତିବନ୍ଧକକୁ ସାମ୍ନା କରିଥିଲେ। ପୂଜାରୀ ପରିବାରରେ ଜନ୍ମିତ ‌ବୈଦ୍ୟନାଥ ନିଜ ଘରର ‌ରୋଷେଇ ପାଇଁ ଗୋବର ସଂଗ୍ରହ କରୁଥିଲେ। ନିଜ ଟ୍ୟୁସନ୍‌ ଫି ଦେବାକୁ ସ୍କୁଲ୍‌ର ବଗିଚା ଓଳାଉଥିଲେ। ପାଠ ପଢ଼ିବାରେ ଆଗ୍ରହ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥି‌ଲା। ଖୋର୍ଧା ଓ ଅଗରପଡ଼ା ହାଇସ୍କୁଲରୁ ମାଟ୍ରିକ୍ ପାସ କରିବା ପରେ ରେଭେନ୍‌ସା କଲେଜରେ ଅର୍ଥନୀତି ବିଭାଗରେ ଶିକ୍ଷାଲାଭ କରିଥିଲେ। ରେଭେନ୍‌ସା କଲେଜରେ ଅଧ୍ୟାପକଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ଆହ୍ଲାବାଦରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଅଧ୍ୟାପକ ଥିବା ସମୟରେ ୧୯୫୨ ମସିହାରେ ଆମେରିକାର ଫିଲାଡେଲ୍‌ଫିଆରୁ ଅର୍ଥନୀତିରେ ଏ.ଏମ୍ ଡିଗ୍ରି ଓ ପରବର୍ତୀ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବା ଓୟୁଏଟିର କୁଳପତି ଭାବେ କାର୍ଯ୍ୟ କରିଥିଲେ। ୧୯୮୪ ମସିହାରେ କୁଳପତି ପଦରୁ ଇସ୍ତଫା ଦେବା ସହିତ ଖୋର୍ଧାରୁ କଂଗ୍ରେସ ଟିକେ୍‌ଟରେ ଉପ-ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୧୯୮୪-୮୯ ପର୍ଯ୍ୟନ୍ତ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଗୁରୁତ୍ବପୂର୍ଣ୍ଣ ପଦବିରେ ‌ସେ କାର୍ଯ୍ୟ କରିଥିଲେ।

ସୂଚନାଯୋଗ୍ୟ, ୧୯୮୫ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଦୁଇଟି ଆସନ ଆଠଗଡ଼ ଓ ଖୋର୍ଦ୍ଧାରୁ ନିର୍ବାଚିତ ହେବା ପରେ ଖୋର୍ଦ୍ଧା ଆସନ ଛାଡ଼ିଦେବା ଯୋଗୁଁ ସେଠାରେ ଉପନିର୍ବାଚନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ସ୍ବର୍ଗତ ମିଶ୍ର କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ତେବେ ମିଳିତ ବିରୋଧୀଦଳ ପ୍ରାର୍ଥୀ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କଠାରୁ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ପ୍ରତ୍ୟକ୍ଷ ରାଜନୀତିରେ ଏହା ତାଙ୍କର ଏକମାତ୍ର ସମ୍ପୃକ୍ତି ଥିଲା।

ସ୍ବର୍ଗତଃ ମିଶ୍ର ବହୁ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲେପମେଣ୍ଟାଲ ଷ୍ଟଡିଜ୍ ବା ଏନ୍‌ସିଡିଏସ୍‌ର ‌ସେ ପ୍ରତିଷ୍ଠାତା ନିର୍ଦେଶକ ତଥା ଅଧ୍ୟକ୍ଷ ଥିଲେ। ସେହିପରି ଦୁଇ ଦଶନ୍ଧି ଧରି ଓଡ଼ିଶା ଇକୋନୋମିକ୍ ଆସୋସିଏସନ୍‌ର ସଭାପତି ରହିଥିଲେ। ‘ନନ୍ଦିଘୋଷ’ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗଠନ କରିବା ସହିତ ନିଜ ଗାଁରେ ପରମାନନ୍ଦ କଲେଜ ଅଫ ଏ‌ଜୁକେସନ୍‌ର ପ୍ରତିଷ୍ଠାତା ସଭାପତି ରହିଥିଲେ। ସେହିପରି ପ୍ରଜାତନ୍ତ୍ର’ରେ ସମ୍ପାଦକୀୟ ଦାୟିତ୍ବ ସହ ‘ଦି ଇଷ୍ଟର୍ଣ୍ଣ ଟାଇମ୍‌ସ’ରେ ସ‌ହଯୋଗୀ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ନିଜ ଜୀବନକାଳ ଭିତରେ ଅର୍ଥନୀତି ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କର ଇଂରାଜୀରେ ୧୬ଟି, ଓଡ଼ିଆରେ ୨୦ଟି, ୬୦ଟି ଗବେଷଣାଧର୍ମୀ, ୧୦ଟି ସନ୍ଦର୍ଭ ଓ ୨୫ଜଣ ଗବେଷକ ତାଙ୍କ ଅଧୀନରେ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି। ସେ ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ପର୍ସୁଇଟ୍‌ ଅଫ୍‌ ଡେଷ୍ଟିନି’ରେ ସଂଘର୍ଷମୟ ଜୀବନ ଓ ସଫଳତାର ଶୀର୍ଷରେ ପହଞ୍ଚିବାର କଥାବସ୍ତୁକୁ ସ୍ଥାନିତ କରିଛନ୍ତି। ନିକଟରେ ‘ଷ୍ଟ୍ରକଚରାଲ ଚେଞ୍ଜ, ଗ୍ରୋଥ ଏଣ୍ଡ ଗଭର୍ନାନ୍ସ’ ନାମକ ପୁସ୍ତକ ପ୍ରକାଶିତ ହୋଇଥିଲା। ୨୦୧୨ ମସିହାରେ ଅର୍ଥନୀତି ପାଇଁ ଓୟୁଏଟି ପକ୍ଷରୁ ତାଙ୍କୁ ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଥିଲା।

ସ୍ବର୍ଗତଃ ମିଶ୍ରଙ୍କ ପରିବାରବର୍ଗ ମଧ୍ୟରେ ପତ୍ନୀ ବାସନ୍ତୀ ମିଶ୍ର, ଝିଅ ବିଜୟଲକ୍ଷ୍ମୀ ତ୍ରିପାଠୀ ଓ ୩ପୁଅ ଅଛନ୍ତି। ବଡ଼ ପୁଅ ଡା.ବସନ୍ତ ମିଶ୍ର ହିନ୍ଦୁଜା ହସ୍ପିଟାଲରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିବା ବେଳେ ମଝିଆ ପୁଅ ଜୟନ୍ତ ମିଶ୍ର ଇମ୍ଫାର ନିର୍ଦେଶକ ଓ ସାନପୁଅ ସୁକାନ୍ତ ମିଶ୍ର ଆମେରିକାର ଟେକ୍ସାସ୍ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ଭାବ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦ୍ୟନାଥ ମିଶ୍ରଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ବିଶିଷ୍ଟ କବୟିତ୍ରୀ ମନୋରମା ମହାପାତ୍ର, ‘ସମ୍ବାଦ’ ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗୋଳ କିଶୋର ମହାପାତ୍ର, ଡା.ଜଗନ୍ନାଥ ମହାପାତ୍ର, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତି, ପ୍ରଫେସର ସୁଧାକର ପଣ୍ଡା, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଅବସରପ୍ରାପ୍ତ ପ୍ରଶାସକ ରମେଶ ଚନ୍ଦ୍ର ମିଶ୍ର, ନରେନ୍ଦ୍ର କୁମାର ମିଶ୍ର, ଅରବିନ୍ଦ୍ର ବେହେରା ଓ ପୂର୍ବତନ ପୁଲିସ ପ୍ରଶାସକ ବଟକୃଷ୍ଣ ତ୍ରିପାଠୀଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର