ପେସା ଶିକ୍ଷକତା ଓ ନିଶା ଲୋକଙ୍କ ସେବା: କନ୍ଧମାଳରେ କରୋନା ଯୋଦ୍ଧା ସାଜିଛନ୍ତି ସୁକାନ୍ତ ସାର୍ 

ଫୁଲବାଣୀ: ପେଷା ଶିକ୍ଷକତା। ହେଲେ ଲୋକଙ୍କ ସେବା କରିବା ହେଉଛି ନିଶା। କେହି ବିପଦରେ ପଡୁ କି କିଏ ଦୁର୍ଘଟଣାର ଶିକାର ହେଉ। ଆଉ ରକ୍ତର ଆବଶ୍ୟକତା ଥାଉ। ଏଭଳି ଖବର ପାଇଲେ ସବୁ କଥା ଭୁଲି ସେଠାରେ ସେ ପହଞ୍ଚି ଯାଆନ୍ତି। କହିବାକୁ ଗଲେ ସ୍କୁଲରେ ପାଠ ପଢା ସମୟ ପରେ ବାକିତକ ସମୟ ସେ ଲୋକଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥାନ୍ତି। ଏମିତି ଜଣେ ଶିକ୍ଷକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ମାର୍ଦେଜୁ ପ୍ରାଥମିକ ସ୍କୁଲର ଶିକ୍ଷକ ସୁକାନ୍ତ କୁମାର ବେହେରା।

ଶିକ୍ଷକତା ସହ ଲୋକଙ୍କ ସେବାରେ ସମର୍ପିତ ସୁକାନ୍ତ କରୋନା ମହାମାରୀ ସମୟରେ କିଭଳି ଘରେ ଲକ୍ ଡାଉନରେ ରହି ପାରିବେ। ସକାଳ ହେଲେ ବାଇକ ଧରି ବାହାରି ପଡୁଛନ୍ତି। ଗାଁକୁ ଯାଇ ଘରୁ ଲୋକଙ୍କୁ ଡାକି ନିଜର ପରିଚୟ ଦେବା ସହ କରୋନାକୁ ହରାଇବା ନେଇ ଶପଥ କରାଉଛନ୍ତି।  ତେଣୁ ଏହି ସମୟରେ ଲୋକଙ୍କ ସେବା କରିବାକୁ ସେ ଲାଗି ପଡିଛନ୍ତି। ଆଜି ସୁଦ୍ଧା ସେ ଫୁଲବାଣୀ, ରାଇକିଆ, ଫିରିଙ୍ଗିଆ, ଖଜୁରୀପଡା, ଜି.ଉଦୟଗିରି ଆଦି ବ୍ଳକର ୧୦୦ରୁ ଉର୍ଦ୍ଧ୍ବ ଗାଁକୁ ଯାଇ ଲୋକଙ୍କୁ କରୋନା ସଚେତନ କ‌ଲେଣି।

କରୋନା ମହାମାରୀରୁ ମୁକ୍ତି ପାଇଁ ମୁହଁରେ ମାସ୍କ ପିନ୍ଧିବା,ସମାଜିକ ଦୂରତା ରକ୍ଷା କରିବା, ବାହାରକୁ ନ ବାହାରିବା। ଏମିତି ଲୋକଙ୍କୁ ସଚେତନ କରିବା ସହ ନିଜ ଖର୍ଚ୍ଚରେ ବଜାରରୁ ମାସ୍କ କିଣି ଲୋକଙ୍କୁ ସୁକାନ୍ତ ପ୍ରଦାନ କରୁଛନ୍ତି। ଏଥି ସହ ଯଦି କାହାର ରକ୍ତର ଆବଶ୍ୟକତା ପଡୁଛି ତାହା ହେଲେ ସେ ନିଜେ ରକ୍ତ ଦେବା ସହ ଅନ୍ୟମାନଙ୍କ ସହ ଯୋଗାଯୋଗ କରି ଅଭାବ ପୂରଣ କରିବାରେ ସକ୍ଷମ ହେଉଛନ୍ତି। କରୋନା ମୁକ୍ତ କନ୍ଧମାଳ। ଏଭଳି ଲକ୍ଷ୍ୟରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛି ବୋଲି ପ୍ରତିକ୍ରିୟାରେ ସୁକାନ୍ତ କହିଛନ୍ତି। ଶିକ୍ଷକଙ୍କ ସୁକାନ୍ତଙ୍କ  ଉତ୍ସର୍ଗୀକୃତ ଲୋକ ସେବା ପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର