ଜାତୀୟ-ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାହିତ୍ୟିକ ମନୋଜ ଦାସ ପାଇବେ ପଦ୍ମ ଭୂଷଣ

ଭୁବନେଶ୍ୱର: ଜାତୀୟ-ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଆଧ୍ୟାତ୍ମବାଦୀ ପ୍ରଫେସର ମନୋଜ ଦାସଙ୍କୁ ଭାରତ ସରକାର ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ କରିବା ଲାଗି ମନୋନୀତ କରିଛନ୍ତି । ଆଜି ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଫେସର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୦୧ ମସିହାରେ ପ୍ରଫେସର ଦାସଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କରିଥିଲେ।

ଦେଶର ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିଦ୍‌ ମନୋଜ ଦାସ ଏଥି ପୂର୍ବରୁ ନିଜର ସାଧନା ଓ ସିଦ୍ଧି ଲାଗି ବହୁ ପୁରସ୍କାର ଓ ସମ୍ମାନ ପ୍ରାପ୍ତ କରିଛନ୍ତି। ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଅକାଦମିର ଫେଲୋସିପ୍‌, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଭଳି ଭାରତୀୟ ସାହିତ୍ୟ କ୍ଷେତ୍ରର ବହୁ ଶୀର୍ଷ ସ୍ୱୀକୃତି ସେ ଗ୍ରହଣ କରିସାରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ‘ପଦ୍ମ ଭୂଷଣ’ ସମ୍ମାନ ପ୍ରଦାନ ସଂପର୍କିତ ସୂଚନା ପାଇବା ପରେ ପ୍ରଫେସର ଦାସ ଗଣମାଧ୍ୟମକୁ କହିଛନ୍ତି, ‘ଏହି ସ୍ବୀକୃତିକୁ ମୁଁ ସସମ୍ମାନେ ଗ୍ରହଣ କରୁଛି।’

୧୯୩୪ ମସିହାରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ମନୋଜ ଦାସ ଓଡ଼ିଶାର ଜନମାନସରେ କୌଣସି ପରିଚୟର ଅପେକ୍ଷା ରଖନ୍ତି ନାହିଁ। କେବଳ ତାଙ୍କର ନାମ ହିଁ ଯଥେଷ୍ଟ। ସଂପ୍ରତି ସେ ସାହିତ୍ୟ ସାଧନାରେ ବ୍ରତୀ ରହିବା ସହ ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ବରିଷ୍ଠ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଛନ୍ତି।

ସମ୍ବନ୍ଧିତ ଖବର