କେନ୍ଦ୍ର ସରକାରଙ୍କ ସୂଚନା ଅଧିକାର ଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ : ୩୦ରୁ ସୂଚନା ଅଧିକାର ଅଭିଯାନର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୂଚନା ଅଧିକାର ସଂଶୋଧନ ବିଲ୍‌କୁ ବିରୋଧ କରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ଓଡ଼ିଶା ସୂଚନା ଅଧିକାର ଅଭିଯାନ। ଆଜି ଅଭିଯାନ ପକ୍ଷରୁ ଏକ ବୈଠକ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଶୋଧନ ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି ହୋଇଥିଲା।

ଅଭିଯାନର ସଭାପତି ପ୍ରଦୀପ ପ୍ରଧାନ କହିଲେ, ୨୦୧୪ ମସିହାରୁ ଲୋକପାଳ ଓ ଲୋକାୟୁକ୍ତ ଆଇନ ହୋଇଥିଲେ ହେଁ କେନ୍ଦ୍ର ସରକାର ଲୋକପାଳ ଗଠନ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ରାଜ୍ୟରେ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ ମସିହାରେ ପ୍ରଣୀତ ହୋଇଥିଲେ ହେଁ ରାଜ୍ୟ ସରକାର ଲୋକାୟୁକ୍ତ ଗଠନ କରୁ ନାହାନ୍ତି। ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଣୀତ ହ୍ଵିସିଲ ବ୍ଲୋୟର ପ୍ରୋଟେକ୍ସନ୍‌ ଆଇନକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରାଇ ଦେଉ ନାହାନ୍ତି। ସୂଚନା ଆଇନକୁ ବ୍ୟବହାର କରି ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିବା ୭୧ଜଣ ସୂଚନା ଅଧିକାରୀ କର୍ମୀଙ୍କୁ ହତ୍ୟା କରାଯାଇଛି। ୩ଶହରୁ ଅଧିକ କର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି।

ତେଣୁ ପ୍ରସ୍ତାବିତ ସୂଚନା ଅଧିକାର ସଂଶୋଧନ ଆଇନର ପ୍ରତ୍ୟାହାର, ଲୋକପାଳ ଓ ଲୋକାୟୁକ୍ତ ଗଠନ, ହ୍ଵିସିଲ ବ୍ଲୋୟର ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ବୈଠକରେ ସଚ୍ଚିକାନ୍ତ ପ୍ରଧାନ, ସୁଧୀର ମହାନ୍ତି, ବିଜୟ ମହାନ୍ତି, ଭକ୍ତିଚରଣ ପଲେଇ, ବିଶ୍ୱକେଶରୀ ମହାନ୍ତି, ଦିବାକର ନାୟକ, ଚିନ୍ମୟ ଦାସ, ଶ୍ରୀକାନ୍ତ ପାକଳ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର