ସରିଲା ‘କଥା’ର କର୍ମଶାଳା : ସୃଜନଶୀଳତାରେ ନିମଗ୍ନ ରହିବା ଏକ ଆଧ୍ୟାତ୍ମିକ ଅଭିଜ୍ଞତା

ଭୁବନେଶ୍ୱର : ସୃଜନଶୀଳତାରେ ନିମଗ୍ନ ରହିବା ଏକ ଆଧ୍ୟାତ୍ମିକ ଅଭିଜ୍ଞତା। ଲେଖକଟିଏ ଯେତେ ଉଚ୍ଚାଙ୍ଗ ସାହିତ୍ୟ ପଢ଼ିବ ତା’ର ସୃଜନଶୀଳତା ସେତେ ରୁଦ୍ଧିମନ୍ତ ହେବ। ଏହା ଜଣେ ଲେଖକର ରଚନାକୁ ସବୁ ସମୟ ପାଇଁ ପ୍ରାସଙ୍ଗିକ କରିବାରେ ସହଯୋଗ କରିବ ବୋଲି କହିଛନ୍ତି ବିଶିଷ୍ଟ ଗାଳ୍ପିକ ରାମଚନ୍ଦ୍ର ବେହେରା। ଗଳ୍ପ ପତ୍ରିକା ‘କଥା’ ପକ୍ଷରୁ ପାନ୍ଥ ନିବାସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କଥା କର୍ମଶାଳାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା କହିଲେ, ଗପ ଲେଖିବା ପାଇଁ ହେଲେ, ଗାଳ୍ପିକକୁ ପ୍ରଗଳ୍ଭ ହେବା ସହିତ ମାନସିକ ସ୍ତରରେ ବିସ୍ମିତ ହେବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଅନ୍ୟର ଦୁଃଖ ଦୁର୍ଦଶା ଦେଖି ବିଷାଦଗ୍ରସ୍ତ ହେବାକୁ ପଡ଼ିବ। ହସୁଥିବା ଲୋକମାନଙ୍କୁ ଦେଖି ହସିବାକୁ ପଡ଼ିବ। ନିଜକୁ ସମ୍ପୂର୍ଣ୍ଣ ଉନ୍ମୁକ୍ତ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

‘ସମ୍ବାଦ’ର ସମ୍ପାଦକ ତଥା ‘କଥା’ର ମୁଖ୍ୟ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ଭାଷା ବଞ୍ଚିବା ପାଇଁ ଗପ ନିତାନ୍ତ ଆବଶ୍ୟକ। ମାତ୍ର ଆଗରୁ ଯେତିକି ସଂଖ୍ୟାରେ ଗପ ଲେଖାଯାଉଥିଲା ଏବେ ଆଉ ଲେଖାଯାଉନାହିଁ। ତେଣୁ କଥାକାରଙ୍କ ଅପମୃତ୍ୟୁ ବିରୋଧରେ ଏକ ସଂଗ୍ରାମ ହେଉଛି ଏହି କର୍ମଶାଳା। ପ୍ରସଙ୍ଗର ଅଭାବ ନାହିଁ। କେବଳ ତାକୁ ସୃଜନ କାରିଗରୀରେ ଠିକ୍‌ ଢଙ୍ଗରେ ଉପସ୍ଥାପନା କରିବାର ଆବଶ୍ୟକତା ରହିଛି। ଏବେ ସମାଜକୁ ଖଣ୍ଡବିଖଣ୍ଡିତ କରିବାକୁ ଚକ୍ରାନ୍ତ ଚାଲିଛି। ଯେବେ ଏହି ବିଖଣ୍ଡିତ ସମାଜକୁ ଯୋଡ଼ିବା ପାଇଁ ଏହି ଯୁବପିଢ଼ିର ଲେଖକମାନେ ଲେଖନୀକୁ ବିନିଯୋଗ କରିପାରିବେ ସେବେ ‘କଥା’ ପତ୍ରିକାର ଉଦ୍ଦେଶ୍ୟ ସାଧିତ ହେବ ବୋଲି ସେ କହିଥିଲେ।

‘କଥା’ର ସମ୍ପାଦକ ଗୌରହରି ଦାସ କହିଥିଲେ, ସଂପ୍ରତି ଗାଳ୍ପିକଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଏହିଭଳି କର୍ମଶାଳା ତରୁଣ ଲେଖକଙ୍କୁ ଉତ୍ସାହିତ କରିବାରେ ସହଯୋଗ କରିବ। ଅନ୍ୟମାନଙ୍କ ମଧ୍ୟରେ କଥା ସାହିତ୍ୟର ଦିଗଦର୍ଶକ ତଥା ସାହିତ୍ୟିକା ଗାୟତ୍ରୀ ସରାଫ, ସାହିତ୍ୟିକ ଅଜୟ ସ୍ୱାଇଁ, ସଦାନନ୍ଦ ତ୍ରିପାଠୀ, ପରେଶ ପଟ୍ଟନାୟକ ଏବଂ ଚିରଶ୍ରୀ ଇନ୍ଦ୍ରସିଂହ ପ୍ରମୁଖ ଅଭିଭାଷଣରେ ଗଳ୍ପ ଲେଖିବାର କିଛି ସୂତ୍ର କହିବା ସହ ନିୟମିତ ଲେଖାଲେଖି ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଯୋଗ ଦେଇଥିବା ୨୦ ଜଣ ଯୁବ ଗାଳ୍ପିକଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା। ‘କଥା’ର ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର