‘ନିର୍ଦିଷ୍ଟ ସମୟ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କର’

ଆଦିମ ଜନଜାତିଙ୍କ ପାଇଁଁ ୭୯୫ କୋଟି

ଭୁବନେଶ୍ୱର: ରାଜ୍ୟର ନିଜସ୍ୱ ସମ୍ବଳରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଆବାସିକ ଶିକ୍ଷାଦାନ କ୍ଷେତ୍ରରେ ଓଡ଼ିଶା ଆଗୁଆ। ସେହିପରି ରାଜ୍ୟର ୧୩ଟି ଆଦିମ ଜନଜାତି ଗୋଷ୍ଠୀଙ୍କର ୬୨ ହଜାର ପରିବାରଙ୍କ ସଶକ୍ତୀକରଣ ଓ ଜୀବିକା ନିର୍ବାହ ଉନ୍ନତୀକରଣ ଯୋଜନା(ଓପିଇଏଲ୍‌ଆଇପି) ଆରମ୍ଭ ହୋଇଛି। ପ୍ରାୟ ୭୯୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଯୋଜନା ୨୦୨୩-୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ତେବେ ନିର୍ଦିଷ୍ଟ ସମୟସୀମା ମଧ୍ୟରେ କଲ୍ୟାଣକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ମନ୍ତ୍ରୀ ବିଭାଗର କାର୍ଯ୍ୟକ୍ରମ ନେଇ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ। ସୂଚନାନୁସାରେ ୧୭୩୨ଟି ଆବାସିକ ବିଦ୍ୟାଳୟରେ ୬୨୦୦ରୁ ଅଧିକ ହଷ୍ଟେଲ୍‌ରେ ପ୍ରାୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ୫.୬୭ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ଗତ ୪ ବର୍ଷରେ ବିଭାଗ ପକ୍ଷରୁ ୧୮୦୦ଟି ନୂଆ ହଷ୍ଟେଲ୍‌ କାର୍ଯ୍ୟକ୍ଷମ ହୋଇଛି। ଅନେ୍ଵଷା ଯୋଜନାରେ ୧୭ଟି ଜିଲ୍ଲାର ୧୪୨ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ୧୯ ହଜାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସମସ୍ତ ଖର୍ଚ ସରକାର ବହନ କରୁଛନ୍ତି।
ଅନୁସୂଚିତ ଜାତି, ଜନଜାତି ପିଲାଙ୍କ ଶିକ୍ଷା ପାଇଁ ଅନେ୍ଵଷା, ଆକାଂକ୍ଷା

ସଂଖ୍ୟାଲଘୁଙ୍କ ପାଇଁ ୧୦୦ଟି ବହୁମୁଖୀ କେନ୍ଦ୍ର

ସେହିପରି ଆକାଂକ୍ଷା ଯୋଜନାରେ ଭୁବନେଶ୍ୱରର ୨ଟି ଛାତ୍ରାବାସରେ ଏକ ହଜାର ଛାତ୍ରଛାତ୍ରୀ ରହି ଯୁକ୍ତ ଦୁଇଠାରୁ ସ୍ନାତକ, ସ୍ନାତକୋତ୍ତର, ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ଶିକ୍ଷାଲାଭ କରୁଛନ୍ତିି। ଆଦିବାସୀ ସଂପ୍ରଦାୟର ଜୀବନ ଜୀବିକା ନିର୍ବାହର ଅଭିବୃଦ୍ଧି ପାଇଁ ଓଟିଇଏଲ୍‌ପି ପ୍ଲସ୍‌ ପରେ ଏଟିଇଏଲ୍‌ପି ପ୍ଲସ୍‌ ୧୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଥିଲେ। ରାଜ୍ୟରେ ପେସା ଆଇନର ତର୍ଜମା କରାଯାଉଛି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ୍‌କୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଦେଶରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରେ ଓଡ଼ିଶା ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ଆଇନ ଅନୁଯାୟୀ ୪.୧୫ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସତ୍ୱ ସହିତ ଜନଜାତି ହିତାଧିକାରୀଙ୍କୁ ୬.୧୫ ଲକ୍ଷ ଏକରର ଜଙ୍ଗଲ ଜମି ଦିଆଯାଇଥିବା ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ସଚିବ ଆର.ରଘୁପ୍ରସାଦ, ସୂଚନା ଓ ଲୋକସଂପର୍କ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର