ବିକ୍ଷୋଭକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ଆନ୍ଦୋଳନ ବେଳେ ସରକାରୀ ସମ୍ପତ୍ତି ନଷ୍ଟ କଲେ

ଭୁବନେଶ୍ୱର : ପ୍ରତ୍ୟେକ ଦିନ ଏବେ ରାଜଧାନୀରେ ର‍୍ୟାଲି, ଧାରଣା, ବିକ୍ଷୋଭ ଅନୁଷ୍ଠିତ ହେଉଛି। ସାରା ରାଜ୍ୟରୁ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ପ୍ରମୁଖ ବିଭିନ୍ନ ଦାବି ନେଇ ଲୋୟର ପିଏମ୍‌ଜି, ବିଧାନସଭା ଓ ରାଜଭବନ ଛକରେ ବିକ୍ଷୋଭ କରୁଛନ୍ତି। ଏପରିକି ଦାବି ପୂରଣ ପାଇଁ ବିଭିନ୍ନ ସମୟରେ ରାସ୍ତାରୋକ, ପୋଡ଼ାଜଳା, ଭଙ୍ଗାରୁଜା ମଧ୍ୟ ହେଉଛି। ଏହା ଦ୍ୱାରା ଅନେକ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ ହେଉଛି। କିନ୍ତୁ ପୁଲିସ କେବଳ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ କରୁଛୁ। ଏଣିକି ମାମଲା ରୁଜୁ ସହିତ ବିକ୍ଷୋଭକାରୀଙ୍କଠାରୁ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ ଆଦାୟ କରାଯିବ। ଏଥିପାଇଁ ବିକ୍ଷୋଭକାରୀଙ୍କ ସମ୍ପତ୍ତି ବି ବାଜ୍ୟାପ୍ତ କରାଯିବ। ଏନେଇ ଖୁବ୍‌ ଶୀଘ୍ର ଏକ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।

ପୁଲିସ କମିସନର୍‌ ଖୁରାନିଆଙ୍କ କହିବା ଅନୁଯାୟୀ ଏଣିକି ବିକ୍ଷୋଭକାରୀମାନେ ବିକ୍ଷୋଭ, ର‍୍ୟାଲି କିମ୍ବା ଧାରଣା ପାଇଁ କମିସନରେଟ୍‌ ପୁଲିସ ନିକଟରୁ ଅନୁମତି ନେବାବେଳେ ଏକ ଆଫିଡେଭିଟ୍‌ ଦେବେ। ଯେଉଁଥିରେ ସେ ବିକ୍ଷୋଭ ବେଳେ କୌଣସି ସରକାରୀ କିମ୍ବା ବେସରକାରୀ ସମ୍ପତ୍ତି ନଷ୍ଟ କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇବେ। ଯଦି ବିକ୍ଷୋଭକାରୀମାନେ ଏହାର ଖିଲାପ କରି ସରକାରୀ କିମ୍ବା ବେସରକାରୀ ସମ୍ପତ୍ତି ନଷ୍ଟ କରନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ, ଯିଏ ଆଫିଡେଭିଟ୍‌ ଦେଇଥିବେ, ତାଙ୍କର ସମ୍ପତ୍ତି ବାଜ୍ୟାପ୍ତ କରାଯାଇ କ୍ଷତି ଭରଣା କରାଯିବ ବୋଲି କମିସନର୍‌ ଶ୍ରୀ ଖୁରାନିଆ କହିଛନ୍ତି।

ସମ୍ବନ୍ଧିତ ଖବର