କୋଣାର୍କ ସଂରକ୍ଷଣ ଓ ମରାମତି ମାମଲା : ହାଇକୋର୍ଟରେ ଏଏସ୍‌ଆଇ ଡିଜିଙ୍କ ସତ୍ୟପାଠ ଦାଖଲ

କଟକ : ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ସତ୍ୟପାଠ ଦାଖଲ କରିଛି।

ଏଏସଆଇ ମହାନିର୍ଦ୍ଦେଶକ ଉଷା ଶର୍ମାଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ନୂଆଦିଲ୍ଲୀସ୍ଥିତି ଏଏସଆଇ ମୁଖ୍ୟାଳୟରେ କୋଣାର୍କ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପ୍ରସଂଗକୁ ନେଇ ୨୦୧୯, ଫେବ୍ରୁଆରି ୧୨ରେ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରୁର୍‌କିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆରଆଇ) ଜଗମୋହନ ଭିତରେ ବାଲି ଭରିବା ପାଇଁ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। କମିଟିର କେତେକ ସଦସ୍ୟ ଏହି ପ୍ରସଂଗରେ ଦେଇଥିବା ମତାମତ ଉପରେ ପକ୍ଷ ରଖିବା ସହିତ କାର୍ଯ୍ୟପନ୍ଥା ସଂପର୍କରେ ତଥ୍ୟ ରଖିବାକୁ ସିବିଆରଆଇ ଅଧିକ ମହଲତ ଲୋଡିଥିଲା। ଏଥି ପାଇଁ ୪ ମାସ ସମୟସୀମା ଧାର୍ଯ୍ୟ କରାଯାଇଛି। ସେହିପିର କୋଣାର୍କ ମନ୍ଦିରକୁ ମଜବୁତ କରିବା ସହିତ ସମର୍ଥନ ଦେବା ପାଇଁ ସିବିଆରଆଇ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଢାଞ୍ଚାକୁ ମଜବୁତ ଓ ସମର୍ଥନ ଦେବା ପ୍ରସଂଗରେ ସଂଶୋଧିତ ପ୍ରସ୍ତାବ ଦେବା ସିହିତ ଏ ସଂପର୍କିତ ସଂପୂର୍ଣ୍ଣ ଡିଜାଇନ ଓ ଡ୍ରଇଂ ବିକଳ୍ପ ସହିତ ୩ ମାସ ଭିତରେ ଦାଖଲ ପାଇଁ ସିବିଆରଆଇକୁ କୁହାଯାଇଛି।

କୋଣାର୍କ ମନ୍ଦିରରେ ପରିସରରେ ଡ୍ରେନେଜ୍ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି ବୋଲି ଏଏସଆଇ ଭୁବନେଶ୍ବର ସର୍କଲ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ବୈଠକରେ ଅବଗତ କରିଥିଲେ। ବର୍ତ୍ତମାନର ଡ୍ରେନେଜ ବ୍ୟବସ୍ଥାର ଯାଞ୍ଚ କରିବା ସହ ଏଥିରେ ଯଦି ଉନ୍ନତି ଆବଶ୍ୟକ ଥାଏ ତେବେ ପରାମର୍ଶ ଦେବା ସହିତ ସବିଶେଷ ଡିଜାଇନ୍ ରିପୋର୍ଟ ଓ ଡ୍ରଇଂ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦାଖଲ ପାଇଁ ସିବିଆରଆଇକୁ ଏଏସଆଇ ଡିଜି କହିଥିଲେ। କୋଣାର୍କ ମନ୍ଦିରର ରାସାୟନିକ ସଂରକ୍ଷଣ ପାଇଁ ଗ୍ରହଣ କରାଯାଇଥବା କାର୍ଯ୍ୟ ପଦ୍ଧତି ସଂପର୍କରେ ଭୁବନେଶ୍ବର ଏଏସଆଇ କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଥିଲା। ମନ୍ଦିରରେ ବ୍ୟବହାର କରାଯାଇଥିବା ରାସାୟନିକର ପରିମାଣ ୬ ମାସ ମଧ୍ୟ‌େର ଆକଳନ ପାଇଁ ଏଏସଆଇ ଡିଜି ନିର୍ଦ୍ଦେଶ ଦେଇଥିଲେ। ମନ୍ଦିରର ଲେଜର ସ୍କାନିଂ ଉପରେ ବୈଠକରେ ଗୁରୁତ୍ବା‌େ‌ରାପ କରାଯାଇଥିଲା। ମନ୍ଦିର ଢାଞ୍ଚା ଅନୁଧ୍ୟାନ କରିବା ପାଇଁ ପୂର୍ବରୁ ଲେଜର ସ୍କାନିଂ କରାଯାଇଥିଲା। ପୂର୍ବରୁ ରହିଥିବା ଲେଜର ସ୍କାନିଂ ରେକର୍ଡ ସହିତ ଭବିଷ୍ୟତରେ ହେବାକୁ ଥିବା ଲେଜର ସ୍କାନିଂ ରିପୋର୍ଟକୁ ତୁଳନା କରାଯିବ। ତେଣୁ ଲେଜର ସ୍କାନିଂ ସଂପର୍କିତ ଆବଶ୍ୟକ ରେକର୍ଡ ୬ ମାସ ମଧ୍ୟ‌େର ରଖିବାକୁ ସିବିଆରଆଇକୁ ଏଏସଆଇ ଡିଜି କହିଛନ୍ତି। ବୈଠକର ସବିଶେଷ ବିବରଣୀ ସହିତ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂପର୍କିତ ରେକର୍ଡ ସତ୍ୟପାଠ ସହିତ ଦାଖଲ କରାଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଏହି ଜନସ୍ବାର୍ଥ ମାମଲାର ଶୁଣାଣି ଚାଲିଛି। ମାର୍ଚ୍ଚ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ ଓ ଏଏସଆଇ ତରଫରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୬ରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ‘ସମ୍ବାଦ’ର ୨୦୧୮, ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା। କୋଣାର୍କର ସୁରକ୍ଷା ପ୍ରସଂଗକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିଲା। ଏହା ପରେ ଆବେଦନକାରୀ ମନ୍ଦିରର ଅବସ୍ଥା ଏବେ ଚିନ୍ତାଜନକ ରହିଛି ଦର୍ଶାଇ ସାନି ପିଟିସନ୍ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର