ନିଶା ବିରୋଧୀଙ୍କ ହୁଙ୍କାର, ରଣକ୍ଷେତ୍ର ପାଲଟିଲା ରାଜପଥ

ପୁଲିସ ସହ ଧସ୍ତାଧସ୍ତି, ୧୨ କୋର୍ଟଚାଲାଣ

ଭୁବନେଶ୍ୱର : ନିଶା ବିରୋଧୀଙ୍କ ହୁଙ୍କାରରେ କମ୍ପିଛି ରାଜଧାନୀ। ଆଜି ମଧ୍ୟାହ୍ନ‌‌ରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଶହଶହ କର୍ମୀ ସତ୍‌ସଙ୍ଗ ବିହାର ସାମ୍ନା ରାଜପଥ ଅବରୋଧ କରିବା ସହ ନବୀନ ନିବାସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉଭୟ ସ୍ଥାନରେ ବିକ୍ଷୋଭକାରୀଙ୍କୁ କାବୁ କରିବାକୁ ପୁଲିସ ନାକେଦମ୍‌ ହୋଇଥିଲା। ପୁଲିସ ସହ ବିକ୍ଷୋଭକାରୀଙ୍କ ଧସ୍ତାଧସ୍ତି ହେବାରୁ ରାଜପଥ ରଣକ୍ଷେତ୍ର ପାଲଟିଥିଲା। ଦୀର୍ଘ ଅଧ ଘଣ୍ଟା କାଳ ରାଜପଥର ‌ଗୋଟିଏ ପାର୍ଶ୍ବ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସେହିପରି ନବୀନ ନିବାସ ନିକଟରେ ମହିଳାମାନେ ରାସ୍ତା ଉପରେ ବସି ଯିବାରୁ ସେଠାରେ ମଧ୍ୟ ଭୟଙ୍କର ପରିସ୍ଥିତି ଉପୁଜିଥିଲା।

ଅପରପକ୍ଷେ ବେଆଇନ ଭାବେ ରାଜପଥ ଅବରୋଧ କରିବା ସହ କାର୍ଯ୍ୟରତ ପୁଲିସକୁ ଆକ୍ରମଣ ଅଭିଯୋଗରେ ସହିଦ ନଗର ପୁଲିସ ୧୨ଜଣ ବିକ୍ଷୋଭକାରୀଙ୍କୁ କୋର୍ଟଚାଲାଣ କରିଛି। କିନ୍ତୁ ପୁଲିସର ଏହି ଗିରଫଦାରୀଙ୍କୁ ଅଭିଯାନ ପୂରା ବେଆଇନ ଓ ଆକ୍ରୋଶମୂଳକ ବୋଲି କହିଛି। ଅଭିଯାନର ସଭାପତି ପଦ୍ମଚରଣ ନାୟକ କହିଛନ୍ତି, କର୍ମୀମାନେ ଲୋୟର ପିଏମ୍‌ଜି ଯାଉଥିବା ବେଳେ ପୁଲିସ ଅଟକାଇବାରୁ ରାଜପଥ ଜାମ୍‌ ହୋଇଥିଲା। ୨୦୧୫ ମସିହାରୁ ଅଭିଯାନ ପକ୍ଷରୁ ଏହି ଆନ୍ଦୋଳନ ଚାଲିଛି। କିନ୍ତୁ ଆଜି ପୁଲିସ ନୃଶଂସ ଭାବେ ରାସ୍ତା ଉପରୁ ମହିଳାଙ୍କୁ ଟେକି ଆଣିବା ସହ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି।

ଅଭିଯାନର ଅଭିଯୋଗ ମୁତାବକ, ସରକାରଙ୍କ ‘ମଦ ସହଜଲବ୍ଧ’ ନୀତି ଯୋଗୁଁ ବିଜେଡି ଶାସନ କାଳରେ ୧୦ଲକ୍ଷ ଲୋକ ନିଶା ଯୋଗୁଁ ପ୍ରାଣ ହରାଇଛନ୍ତି। ଖାଲି ସେତିକି ନୁହେଁ, ପ୍ରତ୍ୟେକ ଦିନ ଗୃହିଣୀ ନିର୍ଯାତିତ ହେଉଛନ୍ତି। ଏହାସହ ମଦ ଯୋଗୁଁ ଗରିବ ପରିବାର ବର୍ଷକୁ ୪୦ ହଜାର ଟଙ୍କର ଆର୍ଥିକ କ୍ଷତି ସହୁଛି। ଅବକାରୀରୁ ସର୍ବାଧିକ ରାଜସ୍ବ ଆସୁଥିବା ନେଇ ସରକାର ଏହାକୁ ପ୍ରୋତ୍ସାହନ ଦେଉଥିବା କହୁଛନ୍ତି। କିନ୍ତୁ ସରକାରଙ୍କ ବା‌ର୍ଷିକ ୧ ଲକ୍ଷ ୩୩ ହଜାର କୋଟି ବଜେଟ୍‌ରେ ମାତ୍ର ୩ ହଜାର କୋଟି ଅବକାରୀ ଆୟ ନଗଣ୍ୟ ବୋଲି ପ୍ରମାଣିତ ହେଉଛି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ !ମଦମୁକ୍ତ ଓଡ଼ିଶା’ ଆହ୍ବାନ ନେଇ ଅଭିଯାନ ଆନ୍ଦୋଳନ କରିଆସିଛି। କିନ୍ତୁ ସରକାର ଶୁଣିନାହାନ୍ତି। ସେଥିପାଇଁ ଆଜି ସାରା ଓଡ଼ିଶାରୁ ପାଖାପାଖି ୫ ହଜାର କର୍ମୀ ଏକାଠି ହୋଇ ଲୋୟର ପିଏମ୍‌ଜି ଅଭିମୁଖେ ଶୋଭାଯାତ୍ରା‌ରେ ଆସୁଥିଲେ। ବାଟରେ ପୁଲିସ ଅଟକାଇବାରୁ ସେମାନେ ରାଜପଥ ଅବରୋଧ କରିଥିଲେ। ସେଠାରୁ କିଛି କର୍ମୀ ଯାଇ ନବୀନ ନିବାସ ନିକଟରେ ପହଞ୍ଚି ଯାଇଥିଲେ। ପଳାସପଲ୍ଲୀ, ଏୟାର ପୋର୍ଟ ଓ ପାର୍କ ଷ୍ଟ୍ରିଟ୍ ଗଳିରୁ ଶତାଧିକ କର୍ମୀ ମାଡ଼ି ଆସିଥିଲେ। ତିନି ଆଡ଼ୁ ନବୀନ ନିବାସକୁ ପ୍ରବେଶ ଉଦ୍ୟମ କରିଥିବାରୁ ପୁଲିସ ନାକେଦମ୍‌ ହୋଇଥିଲା। ତେବେ ନବୀନ ନିବାସ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର