ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମାପଚୁପକୁ ବିରୋଧ : ରାସ୍ତାରେ ବସିଲେ ମହିଳା, ମାପଚୁପ କରାଇ ଦେଲେନି, ଭିଟାମାଟି ନଛାଡ଼ିବାକୁ ଜିଦ୍

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ନେଇ ୭୫ ମିଟର ମାପଚୁପ ସମୟରେ ତୀବ୍ର ବିରୋଧ କରାଯାଇଛି। ସ୍ଥାନୀୟ ବାସିନ୍ଦା ଏହି ଉଚ୍ଛେଦକୁ ଦୃଢ଼ ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପଶ୍ଚିମଦ୍ବାର ଗାଣ୍ଡୁଆ ଚୌରା ଛକ ସହ ଅନ୍ୟାନ୍ୟ ସାହିର ବହୁ ମହିଳା ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାପଚୁପ ସ୍ଥଳରେ ଧାରଣା ଦେବା ସହ ଜିଲ୍ଲା ପ୍ରଶାସନକୁ ମାପଚୁପ କରାଇ ଦେଇନାହାନ୍ତି। ଏହାକୁ ନେଇ ବିରୋଧ ବଢ଼ିବା ପରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଧାରଣାରତ ମହିଳାଙ୍କୁ ନେଇ ଜିଲ୍ଲାପାଳଙ୍କ ସହ ଉଚ୍ଛେଦ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ତଥାପି ମହିଳାମାନେ ନିଜ ଜିଦରେ ଅଟଳ ରହିଛନ୍ତି। ଏ ସଂପର୍କରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଜଣାଇବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଲୋଚନା ପରେ ଗଣମାଧ୍ୟମକୁ ମହିଳାମାନେ କହିଛନ୍ତି, ଆମେ ପୂର୍ବରୁ ବହୁବାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛୁ। କିନ୍ତୁ କୌଣସି ଫଳ ମିଳିନି। ଆଜିର ଆଲୋଚନା ଆମର ଶେଷ ଆଲୋଚନା। ଏହା ପରେ ଯଦି ପ୍ରଶାସନ ଉଚ୍ଛେଦ କରେ, ତେବେ ଆମ ଉଚ୍ଛେଦ ପାଇଁ ଯାଇଥିବା ଗାଡ଼ି ଆଗରେ ଶୋଇବାକୁ ପଛାଇବୁ ନାହିଁ ବୋଲି କହିଛନ୍ତି।

ଅନ୍ୟପଟେ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଯେହେତୁ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ, ସ୍ଥାନୀୟ ଲୋକ ପ୍ରତିନିଧି ହିସା‌ବରେ ସେମାନଙ୍କ ସହ ଆଲୋଚନା ପାଇଁ ଯାଇଥିଲି। ଜିଲ୍ଲାପାଳଙ୍କ ସହ ଆଲୋଚନା ପାଇଁ ଜିଦ୍ ଧରିବାରୁ ଆଜି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଚ୍ଛେଦ ସଂପର୍କରେ ଆଲୋଚନା ବି ହୋଇଥିଲା। ବିକାଶରେ ଆମର କିଛି ବିରୋଧ ନାହିଁ। କିନ୍ତୁ ବିକାଶରେ କାହାରି ଯେପରି ଅନିଷ୍ଠ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଁ ଅନୁରୋଧ କରୁଛି ବୋଲି ବିଧାୟକ କହିଛନ୍ତି।

ସମ୍ବନ୍ଧିତ ଖବର