ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ, ରିଲେ ଅନଶନ, ଅଚଳାବସ୍ଥା ଜାରି

ପଡ଼ିରହିଛି ୫୫ ହଜାରରୁ ଅଧିକ ମାମଲା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବି ନେଇ ରିଲେ ଅନଶନ ଦ୍ବିତୀୟ ଦିନରେ ପହଞ୍ଚିଛି। ଏଥିସହିତ ଆଜି ମଧ୍ୟ ସମ୍ପୂର୍ଣ୍ଣ ଅଚଳାବସ୍ଥା ଜାରି ରହିଛି। ଏହି ଆନ୍ଦୋଳନ ଫଳରେ, ଅଢେଇ ମାସ ହେଲା ଜିଲ୍ଲାର ସମସ୍ତ କୋର୍ଟ, ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ସମେତ ଦୁଇ ଦିନ ହେଲା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଛି। ଆଜିର ରିଲେ ଅନଶନରେ ପ୍ରଫୁଲ୍ଲ ହୋତା, ଯୋଗେଶ ଦୀକ୍ଷିତ, ମନୋରଂଜନ ପଣ୍ଡା ଏବଂ ଶରତ ମହାପାତ୍ର ପ୍ରମୁଖ ସାମିଲ୍‌ ହୋଇଥିଲେ। ସିଏସି ଆବାହକ ଅଶୋକ ଦାସ ମଧ୍ୟ ଅନଶନସ୍ଥଳରେ ଉପସ୍ଥିତ ଥିଲେ। ଜଣେ ଆନ୍ଦୋଳନକାରୀ କହିଛନ୍ତି ଯେ, ‘ ବିଧାନସଭାରେ ଏ ନେଇ ଆଲୋଚନା ଆଶା କରାଯାଉଥିବାବେଳେ, ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ। ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ, ବିଧାୟକ ରବି ନାୟକ, ରମେଶ ପଟୁଆ, ନବ ଦାସ ଓ ରାଧାରାଣୀ ପଣ୍ଡାଙ୍କ ମଧ୍ୟରୁ କେହି ଏ ନେଇ ଦୃଷ୍ଟି ଆକର୍ଷଣ କରି ନାହାନ୍ତି। ’

ସମ୍ବଲପୁର: ସମ୍ବଲପୁର ବିଚାର ବିଭାଗୀୟ ଅଦାଲତରେ ବର୍ତ୍ତମାନ ୫୫ ହଜାରରୁ ଅଧିକ ମାମଲା ପଡ଼ିରହିଛି। କେବଳ ବିଚାର ବିଭାଗୀୟ ଅଦାଲତରେ ଏହି ସ୍ଥିତି ହୋଇଥିବାବେଳେ ଆର୍‌ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଭଳି ରାଜସ୍ବ ଅଦାଲତରେ ପଡ଼ି ରହିଥିବା ମାମଲା ସଂଖ୍ୟାକୁ ମିଶାଇଲେ ପଡ଼ି ରହିଥିବା ମାମଲା ଆହୁରି ଅଧିକ ହେବ। ସମ୍ବଲପୁର କୋର୍ଟର ଅଫିସିଆଲ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ, ଜୁଲାଇ ମାସ ଶେଷ ସୁଦ୍ଧା ଜିଲ୍ଲାରେ ସ୍ଥିତ ୧୮ଟି କୋର୍ଟରେ ସମୁଦାୟ ୫୦ ହଜାର ୮୬୩ଟି ମାମଲା ପଡ଼ିରହିଥିଲା। ଏଥିମଧ୍ୟରୁ ୬୨୨୭ଟି ଦେୱାନି ଏବଂ ୪୪ ହଜାର ୬୩୬ ଅପରାଧିକ ମାମଲା ଅଟେ। ଜୁଲାଇ ମାସ ୫୦ ହଜାର ୨୬୯ ପୁରୁଣା ମାସର ବକେୟା ମାମଲା ସହିତ ମାସ ଆରମ୍ଭ ହୋଇଥିଲା।

ଜୁଲାଇ ମାସରେ ୯୭ ଦେୱାନି, ୧୦୮୦ ଅପରାଧିକ ମାମଲାକୁ ମିଶାଇ ସମୁଦାୟ ୧୧୭୭ ନୂଆ ମାମଲା ଆସିଥିଲା। ସେହି ମାସରେ ୧୫୧ ଦେୱାନି, ୪୩୨ ଅପରାଧିକ ସମେତ ୫୮୩ଟି ମାମଲାର ଫଇସଲା ହୋଇଥିଲା। ସୂଚନା ଅନୁଯାୟୀ, ସମ୍ବଲପୁରରେ ସମୁଦାୟ ୧୮ଟି ବିଚାର ବିଭାଗୀୟ ଅଦାଲତ ରହିଛି। ଏଥିମଧ୍ୟରୁ ସର୍ବାଧିକ ମାମଲା ଏସଡିଜେଏମ ସମ୍ବଲପୁର କୋର୍ଟକୁ ଆସିଥାଏ। ଆକଳନ ଅନୁସାରେ ଗୋଟିଏ ମାସରେ ଜିଲ୍ଲାରେ ସ୍ଥିତ ବିଭିନ୍ନ ଅଦାଲତକୁ ସମୁଦାୟ ୧୦୦୦-୧୫୦୦ ମାମଲା ଆସିଥାଏ। ଏଥିମଧ୍ୟରୁ ମାସିକ ପ୍ରାୟ ୫୦୦ରୁ୭୦୦ ମାମଲା ଫଇସଲା ହୋଇଥାଏ। ଅଢେଇ ମାସ ହେଲା କୋର୍ଟ ଅଚଳ ହୋଇ ପଡ଼ିଥିବାବେଳେ ୧୫ଶହରୁ ୨ ହଜାର ମାମଲା ଫଇସଲା ହେବାରେ ବାଧାପ୍ରାପ୍ତ ହୋଇଛି। ୫ ବର୍ଷ ପୁରୁଣା ମାମଲା ମଧ୍ୟ କୋର୍ଟରେ ପଡ଼ି ରହିଥିବାରୁ ପଡ଼ିରହିଥିବା କେସ୍‌ ସଂଖ୍ୟା ଆହୁରି ବଢିବାରେ ଲାଗିଛି। ଅନ୍ୟଦିଗରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଅଢେଇ ମାସ ହେଲା ଅଚଳାବସ୍ଥା ରହିଛି। ଏଥିପୂର୍ବରୁ ମଧ୍ୟ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ମାସର ଶେଷ ୩ ଦିନ ଆନ୍ଦୋଳନ ଯୋଗୁଁ ମାମଲା ପରିଚାଳନାରେ ବାଧା ସୃଷ୍ଟି ହୋଇ ଆସୁଛି। ତେଣୁ ବର୍ତ୍ତମାନ ସ୍ଥିତିରେ ହାଇକୋର୍ଟ ବେଞ୍ଚ୍‌ ଦାବିକୁ ଉଭୟ ପ୍ରଶାସନ ଏବଂ ହାଇକୋର୍ଟ ଗୁରୁତ୍ବର ସହିତ ବିଚାର ନକଲେ ଆଗାମୀ ଦିନରେ ସ୍ଥିତି ଗୁରୁତର ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର