ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ୍ ଦାବି: ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆରମ୍ଭ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ୪ ଜିଲ୍ଲାରେ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି। ଏଥିରେ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଏବଂ ସୁନ୍ଦରଗଡ଼ ସାମିଲ ହୋଇଛି। ପୂର୍ବ ଘୋଷଣା ଅନୁସାରେ, ୭ ତାରିଖରେ ଓକିଲ ସଂଘ କର୍ମକର୍ତ୍ତାମାନେ ଭାଗ ହୋଇ ଗୋଟିଏ ଦଳ ଅଇଁଠାପାଲି ଛକ, ଅନ୍ୟ ଦଳ ସିନ୍ଦୁରପଙ୍କ ଛକରେ ବସିଥିଲେ। ଗାଡ଼ିରରେ ମଧ୍ୟ ପ୍ରଚାର ଜାରି ରହିଥିଲା। ଅର୍ଥନୈତିକ ଅବରୋଧ କରିବା ପାଇଁ ମଧ୍ୟ ‘ସିଫ୍ଟ ସିଷ୍ଟମ’ କରାଯାଇ ଥିଲା। ସକାଳ ୮ରୁ ଅପରାହ୍ନ ୫, ଅପରାହ୍ନ ୫ଟାରୁ ରାତି ୧୧ ଏବଂ ରାତି ୧୧ରୁ ସକାଳ ପର୍ଯ୍ୟନ୍ତ ଓକିଲ ସଂଘ କର୍ମକର୍ତ୍ତାମାନେ ପାଳି କରି ବସିଥିଲେ। ଆନ୍ଦୋଳନକାରୀମାନେ ଯାତ୍ରୀବାହୀ ଗାଡ଼ିକୁ ଅଟକାଉନଥିବାବେଳେ ଟ୍ରକଗୁଡ଼ିକର ମାଲ ଯାଞ୍ଚ କରି ଛାଡ଼ୁଥିଲେ। ନଷ୍ଟ ହେଉନଥିବା କଞ୍ଚାମାଲ ଅଟକା ଯାଉଥିବାବେଳେ ନଷ୍ଟଯୁକ୍ତ ମାଲ ଛାଡ଼ି ଦିଆଯାଉ ଥିଲା। ଗାଡ଼ିଗୁଡ଼ିକ ପିଏଚଡି ପଡ଼ିଆରେ ରହିଥିବାବେଳେ ଆହୁରି ଅନେକ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଥିଲା। ଆସନ୍ତା ୨ ଦିନ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ, ହାଇକୋର୍ଟ ବେଞ୍ଚ ଦାବି ନେଇ ସମ୍ବଲପୁର ଓକିଲ ସଂଘର ଆନ୍ଦୋଳନ ୧୨୫ ଦିନରେ ପହଞ୍ଚିଛି। ୨୪ ଘଣ୍ଟିଆ ରିଲେ ଅନଶନ ୫୦ ଦିନରେ ପହଞ୍ଚିଛି। ହାଇକୋର୍ଟ ବେଞ୍ଚ ଦାବି ନେଇ ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆହୁରି ତେଜିବାରେ ଲାଗିଛି। ୪ ମାସ ହେଲା ସମ୍ବଲପୁର ଠପ୍‌ ହୋଇ ପଡ଼ିଛି। ୪୮ ଘଣ୍ଟିଆ ମହାବନ୍ଦ ପରେ ମଧ୍ୟ ହାଇକୋର୍ଟ ବେଞ୍ଚ୍‌ ଦାବି ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍ଥାଣୁ ହୋଇ ଯାଇଛନ୍ତି। ୬ ବିଧାୟକଙ୍କ ସାକ୍ଷାତ ମଧ୍ୟ କିଛି ଫରକ ପକାଇ ପାରି ନାହିଁ। ଅନ୍ୟଦିଗରେ ଓକିଲମାନେ ମଧ୍ୟ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅଧ୍ୟାଦେଶ ଜରିଆରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନ ସହିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଦିଆନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଏଭଳି ଜାରି ରହିବ ବୋଲି କୁହାଯାଇଛି। ସେପଟେ ହାଇକୋର୍ଟ ମଧ୍ୟ ବେଞ୍ଚ ସମ୍ପର୍କରେ ରିପୋର୍ଟ ଦେଉନଥିବା ସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଛି। ନିର୍ବାଚନ ଘୋଷଣା ତାରିଖ ପାଖେଇ ଆସୁଥିବାରୁ ଆବଶ୍ୟକ ସ୍ଥଳେ ନିର୍ବାଚନବେଳେ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର