ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଦାବି, ପୁଣି ଆନ୍ଦୋଳନ ତେଜିଲା

ବଲାଙ୍ଗୀର : ବଲାଙ୍ଗୀରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ପୁଣିଥରେ ଆନ୍ଦୋଳନ ତେଜିଛି। ଆନ୍ଦୋଳନ ଯୋଗୁଁ ସମସ୍ତ ସରକାରୀ ଅଫିସ୍‌ , ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିଥିଲା। ସେପଟେ ସ୍କୁଲ, କଲେଜ, ଦୋକାନ, ବଜାର ଏବଂ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଥିଲା। ଜିଲ୍ଲା ଓକିଲ ସଂଘର ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି।

ଆଜି ସକାଳୁ ଓକିଲ ସଂଘର କର୍ମକର୍ତ୍ତାମାନେ ପିକେଟିଂ କରି ଅଫିସଗୁଡ଼ିକୁ ବନ୍ଦ କରିଥିଲେ। ଜିଲ୍ଲା ମୁଖ୍ୟ ଡାକଘର, ଷ୍ଟେଟ୍ ବ୍ୟାଙ୍କ, ଡିଆର୍‌ଡିଏ, ଆର୍‌ଟିଓ ଅଫିସ, ବିଏସ୍ଏନ୍ଏଲ, ଏଲ୍ଆଇସି ଅଫିସ ଆଦି ଅନୁଷ୍ଠାନ ବନ୍ଦ କରିଥିଲେ। ଜିଲ୍ଲା ଦୌରାଜଜ୍ ଓ ଅନ୍ୟ ବିଚାରପତିମାନେ ମଧ୍ୟ ସିଭିଲ କୋର୍ଟକୁ ପ୍ରବେଶ କରିପାରି ନଥିଲେ। ଓକିଲମାନଙ୍କ ପିକେଟିଂ ଯୋଗୁଁ ସେମାନେ ସିଭିଲ କୋର୍ଟ ଗେଟ୍ ସମ୍ମୁଖରୁ ଫେରି ଯାଇଥିଲେ। ଓକିଲ ସଂଘର ସଭାପତି ପ୍ରମୋଦ ତ୍ରିପାଠୀ ଏବଂ ସଂପାଦକ ଅମନ ନାଗଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ ନାରାବାଜି ଓ ସ୍ଲୋଗାନ ଦେଇଥିଲେ। ଓକିଲମାନେ ପିକେଟିଂ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ସଂଗଠନର କର୍ମକର୍ତ୍ତା ପିକେଟିଂ ଓ ଧାରଣାସ୍ଥଳରେ ସାମିଲ ହୋଇଥିଲେ। ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। ଜାଣିଶୁଣି ରାଜ୍ୟ ତଥା କେନ୍ଦ୍ର ସରକାର ହୋଇକୋର୍ଟ ବେଞ୍ଚ ସ୍ଥାପନ କରିବାରେ ବିଳମ୍ବ କରୁଥିବାରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ବଲାଙ୍ଗୀର ସମେତ ପାଟଣାଗଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼, ସଇଁତଳା, ଲୋଇସିଂହା ଆଦି ସ୍ଥାନରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର