ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ୍‌ ବ୍ୟବସ୍ଥା ଲାଗୁ ଦାବିରେ ବିକ୍ଷୋଭ

ଭୁବନେଶ୍ବ: ଆସନ୍ତା ଶିକ୍ଷା ବର୍ଷରୁ ପ୍ରଥମ ଶ୍ରେଣୀରୁ ପାସ୍‌-ଫେଲ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଦାବିରେ ଆଜି ଏଆଇଡିଏସ୍‌ଓ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ରାଜ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ରେଳଷ୍ଟେସନ୍‌ରୁ ବାହାରି ଗାନ୍ଧୀମାର୍ଗରେ ପହଞ୍ଚିଥିଲେ। ଗତକିଛି ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମାଧ୍ୟମିକ ଶିକ୍ଷା ପରିଷଦର ୬୩ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସନ୍ତା ଶିକ୍ଷା ବର୍ଷରୁ ପ୍ରଥମରୁ ଅଷ୍ଟମ ଯାଏ ପାସ-ଫେଲ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ଘୋଷଣା କରିଥିଲେ। ତେବେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ମାସ ଥିବାବେଳେ ରାଜ୍ୟ ସରକାର ଏନେଇ କୌଣସି ତପ୍ତରତା ପ୍ରକାଶ କରୁନାହାନ୍ତି। ତେଣୁ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଏଆଇଡିଏସଓ ପକ୍ଷରୁ ଦାବି କରାଯାଇଛି। ବିକ୍ଷୋଭସ୍ଥଳରେ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସୁବାସ ନାୟକ, ଉପସଭାପତି ସିଦ୍ଧାର୍ଥ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର