ନବୀନ ନିବାସ ସାମ୍ନାରେ ବିକ୍ଷୋଭ, ନାରାବାଜି

ଭୁବନେଶ୍ବର : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷିତ ପ୍ରାର୍ଥୀମାନେ ଟିକେଟ ନେବାକୁ ନବୀନ ନିବାସରେ ଭିଡ଼ ଜମାଇଥିବାବେଳେ ନବୀନ ନିବାସ ବାହାରେ ସମର୍ଥକ ଓ ବିରୋଧୀଙ୍କ ବିକ୍ଷୋଭ, ନାରାବାଜି ବି ଦେଖିବାକୁ ମିଳିଥିଲା। ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରୁ କିଛି ଟିକେଟ୍‌ ଆଶାୟୀଙ୍କ ସମର୍ଥକ ଟିକେଟ୍‌ ଦାବିରେ ନାରାବାଜି କରିଥିଲା ବେଳେ ଆଉ କିଛି ଜାଗାରୁ ଘୋଷିତ ପ୍ରାର୍ଥୀଙ୍କ ଟିକେଟ୍‌ ପ୍ରତ୍ୟାହାର ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ପାରାଦୀପରେ ସମ୍ବିତ ରାଉତରାୟଙ୍କ ଟିକେଟ୍‌ ମିଳିବା ନେଇ ଏକ ବଡ଼ ଗୋଷ୍ଠୀ ତାହାର ପ୍ରତିବାଦ କରିଛନ୍ତି। ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ନବୀନ ନିବାସ ସାମ୍ନାରେ ‌େହାହଲ୍ଲା କରିଥିଲେ। ସମ୍ବିତଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିବା ସହ ତାଙ୍କ ବଦଳରେ ଆଉ କାହାକୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ‘ସମ୍ବିତ ହଟାଅ ପାରାଦୀପ ବଞ୍ଚ‌ାଅ’ ବ୍ୟାନର ପ୍ରଦର୍ଶନ କରିବା ସହ ସ୍ଲୋଗାନ୍ ଦେଇଥିଲେ। ସମ୍ବିତଙ୍କୁ ପ୍ରାର୍ଥୀ କରାଗଲେ ଆଦୌ ସହଯୋଗ କରିବେ ନାହିଁ ବୋଲି ଶୁଣାଇ ଦେଇଥିଲେ।

ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନରେ ଟିକେଟ ପାଇଁ ଏକାଧିକ ଆଶାୟୀ ଆଖି ପକାଇଥିବା ବେଳେ ଏପର୍ଯ୍ୟନ୍ତ ବିଜେଡି ମୁଖିଆ କାହାରି ନାମ ଘୋଷଣା କରିନାହାନ୍ତି। ଏଭଳି ସ୍ଥିତିରେ ଦଳର ରାଜ୍ୟ ସମ୍ପାଦକ ଥିବା ତଥା ଆଶାୟୀ ପ୍ରାର୍ଥୀ ବିଜୟ ନାୟକଙ୍କ ଶତାଧିକ ସମର୍ଥକ ଶନିବାର ନବୀନ ନିବାସ ଫାଟକ ବାହାରେ ଶ୍ରୀନାୟକଙ୍କୁ ଟିକେଟ ଦେବାକୁ ସ୍ଲୋଗାନ୍ ଦେଇଥିଲେ। ଅପର ପକ୍ଷରେ ସନ୍ଧ୍ୟା ବେଳେ ବରୀ ବିଧାୟକ ଦେବାଶିଷ ନାୟକଙ୍କ ସମର୍ଥକମାନେ ନବୀନ ନିବାସ ସାମ୍ନାରେ ଏକଜୁଟ ହୋଇଥିବା ଦେଖିବାକୁ ମିଳିଥିଲା।

ଅନ୍ୟ ପଟେ କେନ୍ଦ୍ରାପଡ଼ା ରାଜନଗର ବିଧାନସଭା ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଗତକାଲି ଧ୍ରୁବ ସାହୁଙ୍କ ନାମ ଘୋଷଣା ହେଲା ପ‌େର ଆଜି ଅନ୍ୟ ଆଶାୟୀଙ୍କ ସମର୍ଥକମାନେ ତାଙ୍କୁ ବିରୋଧ କରିଛନ୍ତି। ନବୀନ ନିବାସ ସାମ୍ନାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧ୍ରୁବଙ୍କ ଟିକେଟ୍‌ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର